ରାନୁ ମଣ୍ଡଳଙ୍କ ବାୟୋପିକ୍‍ : ମୁଖ୍ୟ ଭୂମିକା ପାଇଁ ଏହି ଅଭିନେତ୍ରୀଙ୍କୁ ଅଫର୍‍

ମୁମ୍ବଇ : ଷ୍ଟେଶନରେ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ସାରା ଦେଶରେ ଲୋକପ୍ରିୟତା ହାସଲ କରିବା ସହ ନିଜ ସୁମଧୁର କଣ୍ଠର ଯାଦୁରେ ସେ ସମସ୍ତଙ୍କୁ ବିମୋହିତ କରିଛନ୍ତି। ରାନୁଙ୍କ ଜୀବନ କାହାଣୀ ଦ୍ୱାରା ପ୍ରଭାବିତ ହୋଇ ଚଳଚ୍ଚିତ୍ର ନିର୍ମାତା ଋଷିକେଶ ମଣ୍ଡଳ ତାଙ୍କ ବାୟୋପିକ୍‍ ନିର୍ମାଣ କରିବାକୁ ଯାଉଛନ୍ତି। ରାନୁଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହେବାକୁ ଥିବା ଏହି ଚଳଚ୍ଚିତ୍ରର ନାମ ‘ପ୍ଲାଟ୍‍ଫର୍ମ ସିଙ୍ଗର୍‍ ରାନୁ ମଣ୍ଡଳ’ ରଖାଯାଇଛି।

ସୂଚନା ଅନୁସାରେ, ରାନୁଙ୍କ ବାୟୋପିକ୍‍ରେ ଅଭିନୟ କରିବା ପାଇଁ ଜଣାଶୁଣା ବଙ୍ଗାଳୀ ଅଭିନେତ୍ରୀ ସୁଦୀପ୍ତା ଚକ୍ରବର୍ତ୍ତୀଙ୍କୁ ପ୍ରସ୍ତାବ ଦିଆଯାଇଛି। ସୁଦୀପ୍ତା ମଧ୍ୟ ଏହି ଅଫର୍‍ ପାଇଥିବା ଗଣମାଧ୍ୟମରେ ସ୍ପଷ୍ଟ କରିଛନ୍ତି। ତେବେ ସ୍କ୍ରିପ୍ଟ ପଢିଲା ପରେ ହିଁ ସେ ଏହି ଚଳଚ୍ଚିତ୍ର କରିବେ କି ନାହିଁ ସେ ନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ଚଳଚ୍ଚିତ୍ରରେ ରାନୁଙ୍କୁ ଅତିଥି କଳାକାର ଭାବେ ଅଭିନୟ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ମାତ୍ର ଏନେଇ ଏପର୍ଯ୍ୟନ୍ତ କୌଣସି ସଠିକ୍‍ ତଥ୍ୟ ମିଳିନାହିଁ। ଚଳଚ୍ଚିତ୍ରର ଶୁଟିଂ ଅକ୍ଟୋବର ମାସ ଶେଷ ସୁଦ୍ଧା ଆରମ୍ଭ ହୋଇପାରେ। ରାନୁଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଫେବୃଆରୀ ମାସରେ ପରଦାକୁ ଆସିବ।

Comments are closed.