ପ୍ରଭୁ ଗଣେଶଙ୍କର ଏପରି ମନ୍ଦିର, ଚିଠି ମାଧ୍ୟମରେ ମନରକଥା ଜଣାଇଥାଆନ୍ତି ଭକ୍ତ

0

ରାଜସ୍ଥାନର ରଣଥମ୍ବୋର୍‍ ଠାରେ ରହିଛି ଭଗବାନ ଗଣେଶଙ୍କ ମନ୍ଦିର। ଆଜିର ଇଣ୍ଟର୍‍ନେଟ୍‍, ଇ-ମେଲ୍‍ ଓ ସ୍ମାର୍ଟଫୋନ୍‍ ଯୁଗରେ ମଧ୍ୟ ସେଠାକୁ ଲକ୍ଷାଧିକ ସଂଖ୍ୟାର ଚିଠି ଆସିଥାଏ। ଏହି ଚିଠି କୌଣସି ମଣିଷଙ୍କୁ ନୁହେଁ ବରଂ ପ୍ରଭୁ ଗଣେଶଙ୍କ ପାଖକୁ ଆସିଥାଏ। କୌଣସି ଶୁଭ କର୍ମ ଆରମ୍ଭ କରିବା ପୂର୍ବରୁ ଲୋକମାନେ ସିଦ୍ଧି ଦାତା ଗଣନାଥଙ୍କ ପାଖକୁ ପ୍ରଥମେ ନିମନ୍ତ୍ରଣ ପତ୍ର ପଠାଇଥା’ନ୍ତି। କେବଳ ରାଜସ୍ଥାନ ନୁହେଁ ଦେଶର ବିଭିନ୍ନ ସ୍ଥାନରୁ ଭଗବାନଙ୍କ ପାଖକୁ ନିମନ୍ତ୍ରଣପତ୍ର ଆସିଥାଏ।ସେଥିପାଇଁ ସବୁବେଳେ ଏଠାରେ ଭଗବାନଙ୍କ ଚରଣରେ ଚିଠି ଓ ନିମନ୍ତ୍ରଣପତ୍ର ମାନ କୁଢକୁଢ ହୋଇ ଗଦା ହୋଇଥାଏ।
ମନ୍ଦିରର ପ୍ରତିଷ୍ଠା :
ଗଣେଶଙ୍କର ଏହି ମନ୍ଦିର ରାଜସ୍ଥାନର ସୱାଇ ମାଧୋପୁର ଠାରୁ ପ୍ରାୟ ୧୦ କିମି ଦୂରରେ ଥିବା ରଣଥମ୍ବୋର୍‍ ଦୁର୍ଗରେ ଅବସ୍ଥିତ। ଏହାକୁ ଦଶମ ଶତାବ୍ଦୀରେ ରଣଥମ୍ବୋର୍‍ ର ରାଜା ହମୀର ନିର୍ମାଣ କରାଇଥିଲେ। କୁହାଯାଏ ଯେ, ଥରେ ଯୁଦ୍ଧ ଚାଲିଥିବା ସମୟରେ ପ୍ରଭୁ ଗଣେଶ ରାଜାଙ୍କ ସ୍ୱପ୍ନରେ ଆସି ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହାପରେ ଯୁଦ୍ଧରେ ରାଜାଙ୍କର ବିଜୟ ହୋଇଥିଲା। ତା’ପରେ ସେ ସେଠାରେ ମନ୍ଦିର ନିର୍ମାଣ କରାଇଥିଲେ।
ଏଠାରେ ଥିବା ଭଗବାନ ଗଣେଶଙ୍କ ମୂର୍ତ୍ତି ଅନ୍ୟ ମନ୍ଦିର ମାନଙ୍କ ଠାରୁ କିଛି ଅଲଗା ହୋଇଥାଏ। ମୂର୍ତ୍ତିରେ ପ୍ରଭୁଙ୍କର ତିନୋଟି ଆଖି ରହିଛି। ଭଗବାନ ତାଙ୍କ ପତ୍ନୀ ରିଦ୍ଧି, ସିଦ୍ଧି ଓ ପୁତ୍ର ଶୁଭ, ଲାଭଙ୍କ ସହ ଏଠାରେ ବିରାଜମାନ କରିଛନ୍ତି। ପ୍ରଭୁଙ୍କ ବାହାନ ମୂଷିକରାଜ ମଧ୍ୟ ଏଠାରେ ଅଛନ୍ତି। ଗଣେଶ ଚତୁର୍ଥୀ ଦିନ ଏଠାରେ ମହା ଆଡ଼ମ୍ବର ସହକାରେ ଉତ୍ସବ ପାଳନ କରା ଯାଇଥାଏ ଓ ବିଶେଷ ପୂଜା ଅର୍ଚ୍ଚନା କରା ଯାଇଥାଏ।

ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଡ଼ାକ ଯୋଗେ ଭଗବାନଙ୍କ ନାମରେ ଚିଠି ଆସିଥାଏ। ବହୁତ ଲୋକ ନିଜ ଘରେ ହେବାକୁ ଥିବା କୌଣସି ମାଙ୍ଗଳିକ କାର୍ଯ୍ୟର ପ୍ରଥମ ନିମନ୍ତ୍ରଣପତ୍ର ଏଠାକୁ ପଠାଇଥା’ନ୍ତି। ଠିକଣାରେ ଲେଖା ଯାଇଥାଏ- ପ୍ରଭୁ ଶ୍ରୀ ଗଣେଶ, ରଣଥମ୍ବୋର୍‍ ଦୁର୍ଗ, ସୱାଇ ମାଧୋପୁର(ରାଜସ୍ଥାନ)। ଡ଼ାକବାଲା ମଧ୍ୟ ଭକ୍ତି ଓ ସମ୍ମାନ ସହକାରେ ଏହି ଚିଠିକୁ ମନ୍ଦିରରେ ପହଞ୍ଚାଇ ଥାଏ। ଏହାପରେ ପୂଜକ ସେହି ଚିଠି ଗୁଡ଼ିକୁ ଭଗବାନଙ୍କ ସମ୍ମୁଖରେ ପଢି ତାଙ୍କ ଚରଣରେ ରଖି ଦେଇଥା’ନ୍ତି। ବିଶ୍ୱାସ ରହିଛି ଯେ ଏହି ମନ୍ଦରିରରେ ଗଣେଶଙ୍କୁ ନିମନ୍ତ୍ରଣ ପଠାଇବା ଦ୍ୱାରା ସମସ୍ତ କାର୍ଯ୍ୟ ବିନା ବାଧା ବିଘ୍ନରେ ସୁରୁଖୁରୁରେ ସମ୍ପନ୍ନ ହୋଇଥାଏ।

Leave A Reply