ରଣଜୀ: ଆଜିଠାରୁ ଚମ୍ପିଆନ୍‌ ସୌରାଷ୍ଟ୍ର ବିପକ୍ଷରେ ଖେଳିବ ଓଡ଼ିଶା

କଟକ: ଚଳିତ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ୍‌ର ୨ୟ ଇନିଂସରେ ଶାନ୍ତନୁ ମିଶ୍ରଙ୍କ ଶତକ ଓ ରାଜେଶ ଧୁପରଙ୍କ ଅର୍ଦ୍ଧଶତକ ବଳ‌େର ଦୁର୍ବଳ ଗୋଆଠାରୁ ପରାଜୟ ଏଡ଼ାଇ ପାରିଥିଲା ଓଡ଼ିଶା ଦଳ। ଗୁରୁବାରଠାରୁ ଅହମ୍ମଦାବାଦରେ ଗତଥରର ରଣଜୀ ଚମ୍ପିଆନ୍‌ ସୌରାଷ୍ଟ୍ର ବିପକ୍ଷରେ ଏଲିଟ୍‌ ଗ୍ରୁପ୍‌ ‘ଡି’ର ୨ୟ ଲିଗ୍‌ ମ୍ୟାଚ୍‌ ଓଡ଼ିଶା ଖେଳିବ। ସଫଳତମ ରଣଜୀ ଦଳ ମୁମ୍ବଇ ବିପକ୍ଷରେ ସୌରାଷ୍ଟ୍ର ପ୍ରଥମ ମ୍ୟାଚ୍‌ରେ ସେପରି ଭଲ ପ୍ରଦର୍ଶନ କରି ପାରିନଥିଲା। ଫଲୋଅନ୍ ଖେଳିଥିବା ସୌରାଷ୍ଟ୍ର ୨ୟ ଇନିଂସରେ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ଚେତେଶ୍ବର ପୂଜାରା, ସ୍ନେଲ ପଟେଲ ଓ ହାର୍ବିକ ଦେଶାଇଙ୍କ ଅର୍ଦ୍ଧଶତକ ବଳରେ ପରାଜୟ ଏଡ଼ାଇ ପାରିଥିଲା। ତେଣୁ ଓଡ଼ିଶା ବିପକ୍ଷରେ ଉନ୍ନତ ପ୍ରଦର୍ଶନ କରି ସୌରାଷ୍ଟ୍ର ଦଳ କ୍ବାର୍ଟରଫାଇନାଲ ଖେଳିବା ଆଶା ବଜାୟ ରଖିବାକୁ ଚାହିଁବ। ଏଥିପାଇଁ ସୌରାଷ୍ଟ୍ରକୁ ଏହି ମ୍ୟାଚ୍‌ ନିଶ୍ଚୟ ଜିତିବାକୁ ପଡ଼ିବ। ପ୍ରଥମ ମ୍ୟାଚ୍‌ରୁ ସୌରାଷ୍ଟ୍ର ୧ ପଏଣ୍ଟ ପାଇଥିବା ବେଳେ ଓଡ଼ିଶା ୩ ପଏଣ୍ଟ ପାଇଛି।

ଗୋଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଓଡ଼ିଶାର ପ୍ରଥମ ଇନିଂସ ବ୍ୟାଟିଂ ଓ ୨ୟ ଇନିଂସ ବୋଲିଂ ବେଶ୍‌ ନୈରାଶ୍ୟଜନକ ଥିଲା। ସୌରାଷ୍ଟ୍ର ଭଳି ଚମ୍ପିଆନ୍‌ ଦଳର ମୁକାବିଲା କରିବାକୁ ହେଲେ ଓଡ଼ିଶାକୁ ଉଭୟ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ। ଗୋଆ ପ୍ରଥମ ଇନିଂସରେ ଭେଟେରାନ୍ ବସନ୍ତ ମହାନ୍ତି ୩ଟି ୱିକେଟ ନେବାରୁ ଏହା ୧୮୧ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ପରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲେ ହେଁ ରାଜେଶ ଧୁପରଙ୍କ ଅପରାଜିତ ଅର୍ଦ୍ଧଶତକ ଯୋଗୁଁ ୮ ରନ୍‌ରେ ଆଗୁଆ ହୋଇଥିଲା; ଯାହା ପରେ ନିର୍ଣ୍ଣାୟକ ହୋଇଥିଲା। ୨ୟ ଇନିଂସରେ ଓଡ଼ିଶାର ବୋଲିଂ ସମ୍ପୂର୍ଣ୍ଣ ନିଷ୍ପ୍ରଭ ଥିବା ବେଳେ ଗୋଆ ୫ ୱିକେଟରେ ୩୯୪ ରନ୍‌ କରି ପାରିଥିଲା। ଶାନ୍ତନୁ ଓ ଧୁପରଙ୍କ ଇନିଂସ ଯୋଗୁଁ ଓଡ଼ିଶା ମ୍ୟାଚ୍‌ ଡ୍ର ରଖି ପାରିଥିଲା। ଚେତେଶ୍ବର ପୂଜାରା ଭଳି ପ୍ରାଚୀରକୁ ଭାଙ୍ଗିବା ଓଡ଼ିଶା ବୋଲରଙ୍କ ପାଇଁ ବଡ଼ ଆହ୍ବାନ ହେବ। ମୁମ୍ବଇ ବିପକ୍ଷରେ ପୂଜାରାଙ୍କୁ ବେଶ୍‌ ଆକ୍ରମଣାତ୍ମକ ବ୍ୟାଟିଂକରିବା ଦେଖା ଯାଇଥିଲା। ଭାରତୀୟ ଟେଷ୍ଟ ଦଳକୁ ଫେରିବାକୁ ବ୍ୟଗ୍ର ପୂଜାରା ପୁଣି ଏକ ବଡ଼ ସ୍କୋର୍ କରିବାକୁ ଚାହିଁବେ। ସୌରାଷ୍ଟ୍ରର ଅନ୍ୟ ବ୍ୟାଟ୍‌ସମ୍ୟାନ ମଧ୍ୟ ବେଶ୍ କିଛିବର୍ଷ ଧରି ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ କରିଛନ୍ତି। ଫଳରେ ୨ ବର୍ଷ ତଳେ ସୌରାଷ୍ଟ୍ର ରଣଜୀ ଚମ୍ପିଆନ୍ ହୋଇଥିଲା। ସୌରାଷ୍ଟ୍ରର ଅନ୍ୟ ପ୍ରମୁଖ ବ୍ୟାଟ୍‌ସମ୍ୟାନଙ୍କ ମଧ୍ୟରେ ଅଛନ୍ତି ସେଲ୍‌ଡନ ଜ୍ୟାକ୍‌ସନ, ସ୍ନେଲ ପଟେଲ, ହାର୍ବିକ ଦେଶାଇ, ବିଶ୍ବରାଜ ଜାଡ଼େଜା ଏବଂ ୩ ଅଲ୍‌ରାଉଣ୍ଡର ଅର୍ପିତ ବାସୱାଡା, ଚିରାଗ ଜାନି ଓ ପ୍ରେରକ ମଙ୍କଡ଼ ପ୍ରଭୃତି।

ଏମାନଙ୍କୁ ରୋକିବାକୁ ହେଲେ ଓଡ଼ିଶାର ବୋଲରଙ୍କୁ ବହୁତ ଭଲ ବୋଲିଂ କରିବାକୁ ପଡ଼ିବ। ଜାଣିବାକୁ ମିଳିଛି ଯେ ଉକ୍ତ ମ୍ୟାଚ୍‌ ପାଇଁ ପିଚ୍‌‌େ‌ର ପ୍ରଥମ ଦିନରେ ପେସ୍ ବୋଲର ସହାୟତା ପାଇପାରନ୍ତି। ପରେ ଏହା ବ୍ୟାଟିଂକୁ ସୁହାଇବ ଏବଂ ଶେଷ ୨ ଦିନରେ ବଲ୍‌ ସ୍ପିନ୍ କରିପାରେ। ତେଣୁ ଓଡ଼ିଶା ଏହି ମ୍ୟାଚ୍‌ରେ ଯୁବ ପେସ୍‌ ବୋଲର ଆଶିଷ ରାୟଙ୍କ ସ୍ଥାନରେ ବାମହାତି ସ୍ପିନର ପପ୍ପୁ ରାୟଙ୍କୁ ଖେଳାଇପାରେ। ବ୍ୟାଟିଂରେ ଓଡ଼ିଶାର ଦୁଇ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ ଅଧିନାୟକ ଶୁଭ୍ରାଂଶୁ ସେନାପତି ଓ ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଉଭୟ ଇନିଂସରେ ବିଫଳ ହେବା ଓଡ଼ିଶାର ପ୍ରଶିକ୍ଷକ ୱାସିମ୍ ଜାଫରଙ୍କୁ ଚିନ୍ତିତ କରିଛି। ଗୋବିନ୍ଦ ପୋଦ୍ଦାରଙ୍କ ସ୍ଥାନରେ ଯୁବ ବ୍ୟାଟ୍‌ସମ୍ୟାନ ଦେବାଶିଷ ସାମନ୍ତରାୟଙ୍କୁ ଖେଳାଇବା କଥା ଓଡ଼ିଶା ବିଚାର କରିପାରେ। ହେଲେ ଗୋଟିଏ ମ୍ୟାଚ୍‌ରେ ବିଫଳ ହେବା ଏବଂ ବୋଲିଂରେ ଦକ୍ଷତା ରଖିଥିବା ପୋଦ୍ଦାରଙ୍କୁ ବାଦ୍‌​‌େ‌ଦବାର ସମ୍ଭାବନା କମ୍‌। ଏହି ମ୍ୟାଚ୍‌ ପରେ ଓଡ଼ିଶାକୁ ଶକ୍ତିଶାଳୀ ମୁମ୍ବଇ ବିପକ୍ଷରେ ଖେଳିବାର ଅଛି। ତେଣୁ ସୌରାଷ୍ଟ୍ର ବିପକ୍ଷରେ ଅଧିକ ପଏଣ୍ଟ ହାତେଇବା ପାଇଁ ଓଡ଼ିଶା ଦଳ ଯୋଜନା ରଖିଥିବ ନିଶ୍ଚିତ। ଭାରତ ପାଇଁ ଜୁନିୟର କ୍ରିକେଟ୍‌ ଖେଳିଥିବା ପେସ୍ ବୋଲର ରାଜେଶ ମହାନ୍ତି ଗୋଆ ବିପକ୍ଷରେ ଉଭୟ ଇନିଂସରେ ବିଫଳ ହେବା ଓଡ଼ିଶା ଦଳକୁ ଚିନ୍ତିତ କରିଛି। ମୋଟଉପରେ, ଏହି ମୁକାବିଲାରେ ଚମ୍ପିଆନ୍ ସୌରାଷ୍ଟ୍ର ନିଶ୍ଚୟ ଭାବେ ଫେଭରିଟ୍‌। ଏହାକୁ ରୋକିବାକୁ ହେଲେ ଓଡ଼ିଶା ଦଳକୁ ତା’ର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ।

Comments are closed.