ମୋଦୀ-ଶାହା ଜୀବିତ ରହିବା ଚାହୁଁ ନ ଥିଲେ ସୋନିଆ-ରାହୁଲ- ରାମଦେବ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସଭାପତି ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜୀବିତ ରହିବା ଚାହୁଁ ନାହାନ୍ତି। ୟୁପିଏ ସରକାର ଅମଳରେ ମଧ୍ୟ ସେମାନେ ଏହା ଚାହୁ ନ ଥିଲେ। ଏଭଳି ଅଭିଯୋଗ କରିଛନ୍ତି ଯୋଗ ଗୁରୁ ରାମଦେବ। ନଏଡ଼ାଠାରେ ଏକ ସଭାକୁ ଉଦ୍ବୋଧନ ଦେଇ ରାମଦେବ କହିଛନ୍ତି ଯେ ୟୁପିଏ ସରକାର ସମୟରେ ଅମିତ ଶାହାଙ୍କର ଜେଲ୍ରେ ହିଁ ମୃତ୍ୟୁ ହେଉ ବୋଲି ଗାନ୍ଧୀ ପରିବାର ଚାହୁଥିଲେ। ବର୍ତ୍ତମାନ ଜେଲ୍ରେ ଥିବା ତତ୍କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ପି. ଚିଦମ୍ବରମ୍ ହିଁ ଶାହାଙ୍କୁ ଜେଲ୍ରେ ଭର୍ତ୍ତି କରିଥିଲେ। ସେ ସେତେବେଳେ ଗୁଜରାତ ମୁଖ୍ୟମନ୍ତ୍ରୀ ଥିବା ମୋଦୀଙ୍କୁ ମଧ୍ୟ ଜେଲ୍ରେ ଭର୍ତ୍ତି କରିବାର ଷଡ଼ଯନ୍ତ୍ର କରିଥିଲେ। କେବଳ ଜେଲ୍ ନୁହେଁ; ସେମାନଙ୍କୁ ସେ ଫାଶୀରେ ଝୁଲାଇବା ଷଡ଼ଯନ୍ତ୍ର କରିଥିଲେ। ସମୟ ଓ ପରିସ୍ଥିତି ଓଲଟିଯିବ ବୋଲି ସେମାନେ ସେତେବେଳେ ଭାବି ନ ଥିଲେ। ମୋଦୀ ଓ ଶାହା ଯଦି ଏବେ ଏହାର ପ୍ରତିଶୋଧ ନେବାକୁ ଚାହିଁବେ; ତେବେ ସୋନିଆ ଓ ରାହୁଲଙ୍କ ଠିକଣା ମିଳିବ ନାହିଁ। ଉଭୟ ମାଆ-ପୁଅ ଏବେ ଆଇନର ଜାଲରେ ଫସିବାକୁ ଯାଉଛନ୍ତି ବୋଲି ରାମଦେବ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୧ ଜୁନ୍ରେ ଦିଲ୍ଲୀର ରାମଲୀଳା ମଇଦାନରେ ଆୟୋଜିତ ଦୁର୍ନୀତି ବିରୋଧୀ ବିକ୍ଷୋଭ କାର୍ଯ୍ୟକ୍ରମରେ ରାମଦେବଙ୍କ ଉପରେ ଆକ୍ରମଣ ହୋଇଥିଲା। ସେତେବେଳେ ଚିଦମ୍ବରମ୍ ସ୍ବରାଷ୍ଟ୍ର ମନ୍ତ୍ରୀ ଥିଲେ।
Comments are closed.