ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ: ଶଙ୍କରାଚାର୍ଯ୍ୟ କାହିଁକି ସାମିଲ ହେବେ ନାହିଁ

ନୂଆଦିଲ୍ଲୀ:  ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ୨୨ଜାନୁଆରୀରେ ଅନୁଷ୍ଠିତ ହେବ। ଏହି ତାରିଖ ଯେତିକି ପାଖେଇ ଆସୁଛି କାର୍ଯ୍ୟକ୍ରମରେ କିଏ ଅଂଶଗ୍ରହଣ କରିବେ ଏବଂ କିଏ ଅଂଶଗ୍ରହଣ କରିବେ ନାହିଁ ସେ ନେଇ ଜୋରଦାର ଆଲୋଚନା ହେଉଛି। କଂଗ୍ରେସ ନେତୃବୃନ୍ଦ ପୂର୍ବରୁ କହିସାରିଛନ୍ତି ଯେ ରାମ ମନ୍ଦିରକୁ ବିଜେପି ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବାରୁ ଏହି ଉତ୍ସବରେ ଦଳର କୌଣସି ନେତା ସାମିଲ ହେବେ ନାହିଁ। କଂଗ୍ରେସ ବ୍ୟତୀତ ଦୁଇ ଶକଙ୍କରାଚାର୍ଯ୍ୟ ମଧ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ମନା କରି ଦେଇଛନ୍ତି। ହେଲେ ଏହି ଦୁଇ ଗୁରୁ ଏକ ବୟାନ ଜାରି କରି ସମସ୍ତଙ୍କୁ ଏହି ସମାରୋହରେ ସାମିଲ ହେବାକୁ କହିଛନ୍ତି।

ମାନ୍ୟତା ଅନୁସାରେ ଶଙ୍କରାଚାର୍ଯ୍ୟ ହେଉଛନ୍ତି ହିନ୍ଦୁ ଧର୍ମରେ ସର୍ବୋଚ୍ଚ ଧର୍ମଗୁରୁର ପଦ। ଏହି ଗୁରୁଙ୍କୁ ଜନସାଧାରଣ ସମ୍ମାନ ଓ ଶ୍ରଦ୍ଧାର ସହି ପ୍ରଣାମ କରି ସେମାନଙ୍କ ଆଜ୍ଞାକୁ ପାଳନ କରିଥାନ୍ତି। ଭାରତ ବର୍ଷରେ ଧର୍ମଗୁରୁ ଶଙ୍କରାଚାର୍ଯ୍ୟ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର ଲାଗି ୪ଟି ମଠର ସ୍ଥାପନା କରିଥିଲେ। ଏହି ମଠର ମୁଖ୍ୟ କାମ ହେଉଛି ଧର୍ମର ପ୍ରଚାର ପ୍ରସାର କରିବା। ଏହି ସବୁ ମଠ ମଧ୍ୟରେ କର୍ଣ୍ଣାଟକର ଶ୍ରୀଙ୍ଗେରି ମଠ (ଶଙ୍କରାଚାର୍ଯ୍ୟ ଭାରତୀତିର୍ଥ ମହାରାଜ), ପୁରୀର ଗୋବର୍ଦ୍ଧନ ମଠ (ଶଙ୍କାରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ), ଗୁଜୁରାଟ ଦ୍ୱାରକାର ଶାରଦା ମଠ (ଶଙ୍କରାଚାର୍ଯ୍ୟ ସଦାନନ୍ଦ ମହାରାଜ) ଏବଂ ଉତ୍ତରାଖଣ୍ଡର ଜ୍ୟୋର୍ତିମଠ (ଶଙ୍କରାଚାର୍ଯ୍ୟ ଅବିମୁକ୍ତେଶ୍ୱରାନନ୍ଦ ମହରାଜା)। ହିନ୍ଦୁ ଧର୍ମରେ ଏହି ୪ଟି ମଠର ମହତ୍ୱ ବେଶ ଗୁରୁତ୍ୱବହନ କରିଥାଏ। ଏଥିପାଇଁ ଯେତେବେଳେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପାଇଁ ତାରିଖ ସ୍ଥିର ହେଉଥିଲା ସେତେବେଳେ ଧର୍ମଗୁରୁଙ୍କ ମତ ନିଆଯାଇଥିଲା।

ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ମନ୍ଦିର ଏବେ ସମୂର୍ଣ୍ଣ ହୋଇନାହିଁ, ମନ୍ଦିର ସମୂର୍ଣ୍ଣ ହେବା ପରେ ପ୍ରାଣ ପ୍ରତିଷ୍ଠା କରାଯିବା କଥା। ହେଲେ ଆଗକୁ ନିର୍ବାଚନ ଥିବାରୁ ରାଜନେତା ମାନେ ଏଭଳି କାର୍ଯ୍ୟ କରୁଛନ୍ତି। ମନ୍ଦିରର ନିର୍ମାଣ କାର୍ଯ୍ୟ ସମୂର୍ଣ୍ଣ ହେବା ପରେ ରୀତିନୀତି ଅନୁସାରେ ପ୍ରାଣ ପ୍ରତିଷ୍ଠା ହେବା କଥା। ସେହିପରି ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ କହିଛନ୍ତି ଯେ ସବୁ ରୀତିନୀତିକୁ ଧ୍ୟାନ ଦେଇ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବା ଆବଶ୍ୟକ। ମୋତେ ନିମନ୍ତ୍ରଣ ମିଳିଛି, ହେଲେ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି। ଶ୍ରୀଙ୍ଗେରି ମଠ ପକ୍ଷରୁ ଏକ ବୟାନ ଜାରି କରାଯାଇଛି, ଯେଉଁଥିରୁ ସ୍ପଷ୍ଟ ହେଉଛି ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସେମାନେ ବିରୋଧ କରୁଛନ୍ତି। ହେଲେ ଶଙ୍କରାଚାର୍ଯ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ କି ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ବୟାନ ଦିଆଯାଇନାହିଁ।

ସେହିପରି ଦ୍ୱାରକା ଶାରଦା ମଠ ପକ୍ଷରୁ କୁହାଯାଇଛି ଯେ ରାମ ମନ୍ଦିର ନିର୍ମାଣ ପାଇଁ ଗୁରୁଜି ଅନେକ ପ୍ରଚେଷ୍ଟା କରିଥିଲେ। ଅନେକ ବର୍ଷ ପରେ ଏହି ବିବାଦର ସମାଧାନ ହୋଇଛି। ପ୍ରାଣ ପ୍ରତିଷ୍ଠା ସମାରୋହ ବେଦ ପାଠ ରୀତିନୀତି ଅନୁସାରେ କରାଯାଉ ଏବଂ ଧର୍ମର ସଠିକ୍ ପାଳନ ହେଉ। କିନ୍ତୁ ଉତ୍ସବରେ ଶଙ୍କରାଚାର୍ଯ୍ୟ ସାମିଲ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

Comments are closed.