ଲାଞ୍ଜିଗଡ଼ସ୍ଥିତ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟରେ ରକ୍ଷାବନ୍ଧନ ପର୍ବ ପାଳିତ

ଲାଞ୍ଜିଗଡ: ଲାଞ୍ଜିଗଡ ଅନ୍ତର୍ଗତ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟରେ ଗୁରୁବାର ଏକ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପର୍ବ ପାଳିତ ହୋଇଯାଇଛି। ରାକ୍ଷୀ ପୂର୍ଣ୍ଣିମା କେଵଳ ଭାଇ ହାତରେ ରାକ୍ଷୀ ବାନ୍ଧୁଥିବା ଭଉଣୀମାନଙ୍କ ପାଇଁ ନୁହେଁ । ଯେଉଁ ମହାନ ବୀର ସୈନିକ ଭାଇମାନେ ଦିନରାତି ଜଗିରହି ଦେଶର ସମସ୍ତ ଜନତାଙ୍କୁ ସୁରକ୍ଷା ଦେଉଛନ୍ତି, ପୁଣି ସାରା ପୃଥିବୀରେ କରୋନା ମହାମାରୀ ଭଳି ଦୁର୍ଦ୍ଦିନରେ ନିଜ ଜୀବନକୁ ବାଜି ଲଗାଇ ଅହରହ ଆମର ସେବା କରି ଆସିଛନ୍ତି ସେଇ ଆମର ଡାକ୍ତର ଓ ସହକର୍ମୀ ଭାଇମାନଙ୍କ ଉଦ୍ଦେଶ୍ୟରେ ଆଜିର ଏହି ପବିତ୍ର ଦିନଟିକୁ ଉତ୍ସର୍ଗ କରିଛନ୍ତି। ତେଣୁ ଏହି ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀମାନେ ରାୟଗଡ଼ା ଜିଲ୍ଲାସ୍ଥିତ ଦୁର୍ଗମ ଝିଲିଗୁଡ଼ା ଗ୍ରାମକୁ ଯାଇ ଆର୍ମି ଅଫିସର(୮ବାଟାଲିୟନ)ମାନଙ୍କୁ ପବିତ୍ର ରାକ୍ଷୀ ବାନ୍ଧି ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହା ସହିତ ଲାଞ୍ଜିଗଡ ବେଦାନ୍ତ ହସ୍ପିଟାଲର ଡାକ୍ତର ଓ ସହକର୍ମୀ ବନ୍ଧୁମାନଙ୍କୁ ଏବଂ ଲାଞ୍ଜିଗଡସ୍ଥିତ ଥାନାର ପୁଲିସ ତଥା ସୁରକ୍ଷା କର୍ମୀମାନଙ୍କୁ ରାକ୍ଷୀ ବାନ୍ଧିଥିଲେ। ଏଥିରେ ଅତ୍ୟନ୍ତ ପ୍ରସନ୍ନତା ପ୍ରକଟ କରି ବେଦାନ୍ତ ହସ୍ପିଟାଲର ମୁଖ୍ୟ ଚିକିତ୍ସକ ଡାକ୍ତର ଅକ୍ଷୟ କୁମାର ସାହୁ ଆନ୍ତରିକତା ସହ କୃତଜ୍ଞତା ଜ୍ଞାପନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଏହି ନିଆରା ପଦକ୍ଷେପ ପାଇଁ ସ୍ୱାଗତ ତଥା ଅଭିନନ୍ଦନ ଜଣାଇଥିଲେ ଏବଂ ଏହାଦ୍ବାରା ସାରା ବିଶ୍ୱରେ ମୈତ୍ରୀ ଓ ଭାଇଚାରାର ଏକ ମଧୁର ସମ୍ବନ୍ଧ ସୃଷ୍ଟି କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

Comments are closed.