ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ବିଜେଡି ସମର୍ଥନ ହାସଲ ଉଦ୍ୟମରେ କଂଗ୍ରେସ

0

ନୂଆଦିଲ୍ଲୀ : ବିଜେପିକୁ କର୍ଣ୍ଣାଟକରେ କ୍ଷମତାଠାରୁ ଦୂରେଇ ରଖିବା ଏବଂ ସଦ୍ୟ ସମାପ୍ତ ଉପ-ନିର୍ବାଚନରେ ମାତ୍‍ ଦେବା ପରେ କଂଗ୍ରେସ ଆଗାମୀ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଉପରେ ଦୃଷ୍ଟି ନିକ୍ଷେପ କରିଛି। ଏଥିରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏକୁ ପରାସ୍ତ କରିବା ନିମନ୍ତେ କଂଗ୍ରେସ ଓଡ଼ିଶାରେ ଏହାର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜୁ ଜନତା ଦଳ (ବିଜେଡି)କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ ଆରମ୍ଭ କରିଛି। ଖାସ୍‍ ବିଜେପି ବିରୋଧରେ ବିରୋଧୀ ଦଳଗୁଡିକର ମେଣ୍ଟ ମଜବୁତ କରିବା ନିମନ୍ତେ କଂଗ୍ରେସ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ଭଳି ରାଜ୍ୟସଭା ଅଧ୍ୟକ୍ଷ ପଦ ଜଳାଞ୍ଜଳି ଦେବାକୁ ମଧ୍ୟ ପ୍ରସ୍ତୁତ ରହିଛି। ଏହି ନିର୍ବାଚନରେ ନିଜେ ପ୍ରାର୍ଥୀ ନ ଦେଇ ବରଂ ବିଜେଡି ଅଥବା ତୃଣମୂଳ କଂଗ୍ରେସ କିମ୍ବା ଅନ୍ୟ ଯେକୌଣସି ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ କଂଗ୍ରେସ ଯୋଜନା ରଖିଥିବା ‘ହିନ୍ଦୁସ୍ଥାନ ଟାଇମ୍ସ’ ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଏହି ରିପୋର୍ଟ ଅନୁସାରେ, ବିଜେପିକୁ ପରାଜିତ କରିବା ନିମନ୍ତେ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବା କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତି ବୋଲି କୁହାଯାଇଛି। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏନ୍‍ଡିଏର ଏକ ସମର୍ଥକ ଭାବେ ଜଣାଶୁଣା। ଦଳ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବହୁ ବିଲ୍‍କୁ ସମର୍ଥନ କରିଆସିଥିବା ବେଳେ ପାର୍ଲାମେଣ୍ଟରେ କେବେ କୌଣସି ବିକ୍ଷୋଭରେ ସାମିଲ ହୋଇନାହିଁ। ଏପରିକି ବିଜେପି ମଧ୍ୟ ବିଜେଡିକୁ ମିତ୍ର ଦଳ ଭାବେ ବିବେଚନା କରିଆସୁଛି। ଏମିତିରେ କଂଗ୍ରେସର ରଣନୀତି ବିଫଳ ହେବାର ଆଶଙ୍କା ବେଶୀ।
ଉଲ୍ଲେଖ ଯେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ପି. ଜେ. କୁରିଏନ୍‍ଙ୍କ କାର୍ଯ୍ୟକାଳ ଜୁଲାଇରେ ଶେଷ ହେବ। ଆଗାମୀ ମୌସୁମୀ ଅଧିବେସନ ଅବସରରେ ଏହି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ରାଜ୍ୟସଭାରେ ବିଜେଡିର ୯ ଜଣ ସାଂସଦ ଥିବା ବେଳେ ଦଳ ଏହି ନିର୍ବାଚନରେ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି କୁହାଯାଉଛି। ଉଚ୍ଚସଦନରେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‍)ର ୬ ଜଣ ଏବଂ ୱାଇଏସ୍‍ଆର୍‍ କଂଗ୍ରେସ ପାର୍ଟିର ୨ ଜଣ ସାଂସଦ ଅଛନ୍ତି। ମାତ୍ର ଦାକ୍ଷିଣାତ୍ୟ ଦଳଦ୍ୱୟ କଂଗ୍ରେସକୁ ସମର୍ଥନ କରିବାର ବିଶେଷ ସମ୍ଭାବନା ନ ଥିବା ବେଳେ ବିଜେଡିର ସମର୍ଥନ ମିଳିଲେ କଂଗ୍ରେସ ସଂଖ୍ୟାଗରିଷ୍ଠତା (୧୨୨) ଲାଭ କରିପାରିବ ବୋଲି କଂଗ୍ରେସର ଜଣେ ନେତା ପ୍ରକାଶ କରିଥିବା ‘ହିନ୍ଦୁସ୍ଥାନ ଟାଇମ୍ସ’ ଉଲ୍ଲେଖ କରିଛି।
ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସାଂସଦଙ୍କ ସଂଖ୍ୟା ୧୦୫। ଏହାକୁ ୬ ଜଣ ସ୍ୱାଧୀନ ପ୍ରାର୍ଥୀ ଏବଂ ଅନ୍ୟ କିଛି ସାଂସଦ ସମର୍ଥନ କରିପାରନ୍ତି। ବିଜେପିକୁ ଟିଆର୍‍ଏସ୍‍ ଏବଂ ୱାଇଏସ୍‍ଆର୍‍ କଂଗ୍ରେସ ପାର୍ଟିର ସମର୍ଥନ ମିଳିବା ସତ୍ତ୍ବେ ବିଜେଡି ନିର୍ବାଚନୀ ଫଳାଫଳକୁ ବିରୋଧୀଙ୍କ ସପକ୍ଷରେ ନେବାର କ୍ଷମତା ରଖେ। ଅନ୍ୟପଟେ ବିଜେଡି କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରି ନ ପାରେ; କିନ୍ତୁ ଯୋଗ୍ୟ ଅଣ-କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆ ଯାଇ ନ ପାରେ ବୋଲି ବିଜେଡି ସୂତ୍ରରୁ ଜଣାପଡିଛି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହିତ ନବୀନଙ୍କ ବନ୍ଧୁତ୍ୱ ରହିଆସିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ତାଙ୍କ ସହିତ ଏ ବିଷୟରେ ଆଲୋଚନା ଉଦ୍ୟମ ଆରମ୍ଭ କରିଛନ୍ତି। ଅନ୍ୟପଟେ ତୃଣମୂଳ କଂଗ୍ରେସ ନେତା ଡେରେକ ଓ’ ବ୍ରିଏନ ଇତିମଧ୍ୟରେ ବିଜେଡି ନେତା ଭର୍ତ୍ତୃହରି ମହତାବଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡିଛି। ବ୍ରିଏନଙ୍କ ପ୍ରସ୍ତାବ ସମ୍ବନ୍ଧରେ ଅବଗତ ହେବା ପରେ ପରିସ୍ଥିତି କିଭଳି କଡ଼ ଲେଉଟାଉଛି ଦେଖାଯାଉ ବୋଲି ନବୀନ କହିଥିବା ବିଜେଡିର ଆଭ୍ୟନ୍ତରୀଣ ସୂତ୍ରରୁ ସୂଚନା ମିଳିଛି।
ଅନ୍ୟପଟେ ତୃଣମୂଳ କଂଗ୍ରେସ ମଧ୍ୟ ସହମତି ଭିତ୍ତିରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିଜର ପ୍ରାର୍ଥୀ ଦେବାକୁ ଉଦ୍ୟମ କରିପାରେ; କିନ୍ତୁ ପ୍ରାର୍ଥୀ ଘୋଷଣା ପରେ ହିଁ ନବୀନ ଯାହାକିଛି ନିଷ୍ପତ୍ତି ନେବେ ବୋଲି ଦଳର ଜଣେ ନେତା ସ୍ପଷ୍ଟ କରିଛନ୍ତି। ନବୀନ ରାଷ୍ଟ୍ରପତି ନିର୍ବାଚନ ବେଳେ ମୀରା କୁମାରଙ୍କୁ ସମର୍ଥନ ଦେଇ ନ ଥିଲେ, କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନ ବେଳେ ଗୋପାଳ କୃଷ୍ଣ ଗାନ୍ଧିଙ୍କୁ ସମର୍ଥନ କରିଥିଲେ ବୋଲି ସମ୍ପୃକ୍ତ ନେତା ଉଦାହରଣ ଦେଇଛନ୍ତି। ତେବେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ କିମ୍ବା ତୃଣମୂଳ କଂଗ୍ରେସର ଶୁଖେନ୍ଦୁ ଶେଖର ରାଏ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ପ୍ରାର୍ôଥପତ୍ର ଦାଖଲ କରିପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିବା ‘ହିନ୍ଦୁସ୍ଥାନ ଟାଇମ୍ସ’ ପ୍ରକାଶ କରିଛି।

Leave A Reply