www.samajalive.in
Sunday, December 14, 2025
19.1 C
Bhubaneswar

ରାଜମହଲରେ ୪୫କିଲୋ ସୁନାର କାରୁକାର୍ଯ୍ୟ

ଆମ ଭାରତର ପ୍ରତ୍ୟେକ ପ୍ରାନ୍ତରେ ରାଜାରାଜୁଡ଼ା ଶାସନର ଐତିହ୍ୟ କୀର୍ତ୍ତିମାନ ଦେଖିବାକୁ ମିଳେ। ଇତିମଧ୍ୟରେ ଅନେକ ବର୍ଷ ଅତିବାହିତ ହୋଇଯାଇଥିଲେ ସୁଦ୍ଧା, ଇତିହାସର ସ୍ବର୍ଣ୍ଣିମ ଝଲକ୍‌‌ରେ କୌଣସି ପ୍ରକାର ଆବରଣ ଦେଖିବାକୁ ମିଳୁନାହିଁ। ରାଜସ୍ଥାନ, ଏଠାର ପ୍ରତ୍ୟେକ ସହର ସହ ରାଜାରାଜୁଡ଼ା ଶାସନର କିମ୍ବଦନ୍ତୀମାନ ଯୋଡ଼ି ହୋଇରହିଛି। ବିକାନେର୍‌୍ ଲାଲଗଡ଼ ପ୍ୟାଲେସ୍‌ ଦେଖିବାକୁ ଦେଶବିଦେଶର ସଂଖ୍ୟାଧିକ ପର୍ଯ୍ୟଟକଙ୍କ ଭିଡ଼ ନିୟମିତ ଦେଖିବାକୁ ମିଳେ। ୧୯୦୨-୧୯୨୬ ମଧ୍ୟରେ ନିର୍ମିତ ହୋଇଥିବା ଏଇ ରାଜମହଲର ଡିଜାଇନ୍ ବ୍ରିଟିଶ୍ ସ୍ଥପତି ସାର୍ ସାମୁଏଲ୍ ସ୍ବିନଟନ୍ ଜ୍ୟାକବ୍ ପ୍ରସ୍ତୁତ କରିଥିଲେ। ରାଜମହଲ ନିର୍ମାଣରେ ତତ୍କାଳୀନ ମହାରାଜା ଗଙ୍ଗା ସିଂହ ସମସ୍ତ ପ୍ରକାର ଉନ୍ନତମାନର ସାମଗ୍ରୀ ବ୍ୟବହାର କରିବାକୁ ପରାମର୍ଶ ଦେଇଥିବାବେଳେ ପାଣି ପରି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ କୁଣ୍ଠାବୋଧ କରିନଥିଲେ। ଆଜିର ସମୟରେ ଏଇ ରାଜମହଲର ଗୋଟିଏ ଭାଗ ହେରିଟେଜ୍ ହୋଟେଲ ଭାବେ ଗ୍ରାହକଙ୍କ ସେବା କରୁଛି। ରାଜପରିବାରର ସଦସ୍ୟ ଓ ଟ୍ରଷ୍ଟର ଆପୋସ ବୁଝାମଣା ପରେ ହିଁ ଏଇ ନିଷ୍ପତ୍ତି ନିଆଯାଇଥିଲା। ଲାଲଗଡ଼ ପ୍ୟାଲେସ୍‌‌ର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଲକ୍ଷ୍ମୀ ନିୱାସ୍ ପ୍ୟାଲେସ୍। ଏହି ରାଜମହଲକୁ ହୋଟେଲର ରୂପ ଦିଆଯିବା ସହ ଏକ ବର୍ଣ୍ଣାଢ୍ୟ ରେସ୍ତୋରାଁ ମଧ୍ୟ ଗ୍ରାହକଙ୍କୁ ଅପ୍ୟାୟିତ କରିଥାଏ। ଲକ୍ଷ୍ମୀ ନିୱାସ୍ ପ୍ୟାଲେସ୍‌ର ଭୋଜନ କକ୍ଷର କାନ୍ଥରେ ୪୫ କିଲୋ ସୁନାର କାରୁକାର୍ଯ୍ୟ ୯୫ ବର୍ଷ ତଳେ ହୋଇଥିବାର ସେଠା କର୍ମଚାରୀ ପ୍ରକାଶ କରିଛନ୍ତି। ଏବେ ମଧ୍ୟ ଏଇ ସୁନା କାରୁକାର୍ଯ୍ୟ କାନ୍ଥକୁ ଆଲୋକିତ କରୁଛି। ରାଜମହଲ ଟ୍ରଷ୍ଟ ଏଇ ସୁନା କାରୁକାର୍ଯ୍ୟର ବିଶେଷ ଭାବେ ଯତ୍ନ ତଥା ତଦାରଖ କରିବାକୁ କର୍ମଚାରୀ ନିଯୁକ୍ତି ଦେଇଛନ୍ତି। ରାଜମହଲ କାନ୍ଥର ସୁନା କାମ ପାଇଁ କାଶ୍ମୀରରୁ ସ୍ବତନ୍ତ୍ର ଲୋକ ସେସମୟରେ ଆସିଥିଲେ। ଦେଢ଼ ବର୍ଷ ଏଇ କାମ ଚାଲିବା ପରେ ଶେଷ ହୋଇଥିଲା। ମହାରାଜା ନିଜ ଅଲିଅଳୀ ଝିଅଙ୍କ ନିମନ୍ତେ ଏଇ କକ୍ଷର ସାଜସଜା କରିଥିଲେ। ଯୋଜନା ଥିଲା ରାଜକୁମାରୀ ନିଜ ବାନ୍ଧବୀମାନଙ୍କୁ ନିମନ୍ତ୍ରଣ କରି ଏଇଠାରେ ସମୟ ଅତିବାହିତ କରିବେ। ରାଜକୁମାରୀଙ୍କ କକ୍ଷରେ ମଧ୍ୟ ମୋତିମାଣିକ୍ୟରେ ସାଜସଜା ହୋଇଥିବାର ଖବର ମିଳିଥିବାବେଳେ ଆଜି ପର୍ଯ୍ୟନ୍ତ ରାଜପରିବାର ତରଫରୁ ଏ ସମ୍ପର୍କିତ ଖବର ମିଳିନାହିଁ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories