ରାଜଗାଙ୍ଗପୁର: ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ କାରଖାନାରେ ଘଟିଥିବା ଦୁର୍ଘଟଣାକୁ ୨୨ଘଣ୍ଟା ବିତିଲାଣି। ହେଲେ ବର୍ତ୍ତମାନସୁଦ୍ଧା ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। କୋଇଲା ହପର ତଳେ ଚାପି ହୋଇ ରହିଥିବା ତିନି ଶ୍ରମିକ ଉଦ୍ଧାର ହୋଇ ପାରି ନ ଥିବାବେଳେ ତାଙ୍କ ପରିବାର ବର୍ଗ ଭୟଭୀତ ହୋଇ ରହିଛନ୍ତି। ଆଶା ଆଶଙ୍କାରେ ପ୍ରତିଟି ମୁହୂର୍ତ୍ତ ଅତିବାହିତ କରୁଛନ୍ତି। ଘଟଣା ପରେ ପଶ୍ଚିମାଞ୍ଚଳ ଡିଆଇଜି, ସୁନ୍ଦରଗଡ଼ ଏସପି, ରାଜଗାଙ୍ଗପୁର ତହସିଲଦାର ଘଟଣା ସ୍ଥଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦେଶ ଦେଇଛନ୍ତି। ଉଦ୍ଧାର କାର୍ଯ୍ୟରେ କମ୍ପାନୀର ଏକାଧିକ କ୍ରେନ, ଡମ୍ଫର, ୪ଟି ଦମକଳ ଗାଡ଼ି, ଓଡ୍ରାଫ୍ ଟିମ୍ ନିୟୋଜିତ ଥିବାବେଳେ ୬ଟି ଆମ୍ବୁଲାନ୍ସ ସଜାଗ ହୋଇ ରହିଛି।
ଘଟଣାର ଖବର ପାଇ ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜେନ ଏକ୍କା, ପୂର୍ବତନ ବିଧାୟକ ମଙ୍ଗଳା କିଷାନ, କାରଖାନା ମଧ୍ୟରେ ଶ୍ରମିକମାନଙ୍କର ସୁରକ୍ଷା ଅବହେଳାକୁ ଦୃଢତାର ସହିତ କଟାକ୍ଷ କରିଛନ୍ତି। ଏଥିସହ ଦାୟିତ୍ବରେ ଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ବିଭାଗୀୟ ଅଧିକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏହାସହ ପୂର୍ବତନ ବିଧାୟକ ମଙ୍ଗଳା କିଷାନ କାରଖାନାକୁ ଚାଲୁ କରିବା ପାଇଁ ଜିଲା ପ୍ରଶାସନର ଉଚ୍ଚ ଅଧିକାରୀ, କାରଖାନା ସୁରକ୍ଷା ବିଭାଗ ମିଳିତ ଭାବରେ ଏକ କମିଟି ଗଠନ କରି ଗଣମାଧ୍ୟମର ଉପସ୍ଥିତିରେ ଯାଞ୍ଚ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ନିର୍ଣ୍ଣୟ ନେବାକୁ ପ୍ରସ୍ତାବ ଦେଇଥିଲେ। ଏପଟେ ଦୁର୍ଘଟଣାର ପ୍ରାୟ ୨୦ ଘଣ୍ଟା ପରେ କମ୍ପାନୀ କର୍ତ୍ତୃପକ୍ଷ ଚାରି ଧାଡ଼ିର ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଦୁର୍ଘଟଣାର ସୂଚନା ଦେଇ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯାଇଛି ଏବଂ କୋଇଲା ହପର ମଧ୍ୟରେ ତିନି ଜଣ ଶ୍ରମିକ ଚାପି ରହିଥିବା ସୂଚନା ଦେଇଛନ୍ତି। ଏହା ସହିତ ବିଭାଗର ପରିଚାଳନା ଦାୟିତ୍ୱ ଏକ ତୃତୀୟ ପକ୍ଷକୁ ଦିଆଯାଇଥିବା ପ୍ରକାଶ କରିଛନ୍ତି। ଅବଶ୍ୟ ପରବର୍ତ୍ତୀ ସମୟରେ ଏହାକୁ ସଂଶୋଧନ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ କାରଖାନର ଲାଇନ ୨ ପ୍ଲାଣ୍ଟରେ କୋଲ୍ ହପର ଷ୍ଟ୍ରକ୍ଚର ହଠାତ ପଡ଼ି ଯାଇଥିଲା। ନିୟମିତ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି।



