ଗୋପାଳପୁର ପାନ୍ଥ ନିବାସରେ ରଜପର୍ବ

 ଗୋପାଳପୁର : ଗୋପାଳପୁର ପାନ୍ଥ ନିବାସରେ ବୁଧବାର ରଜ ପର୍ବ ପାଳନ ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପାନ୍ଥ ନିବାସ ପରିସରରେ ସୁସଜ୍ଜିତ ରଜ ଦୋଳି ସହ ବିଭିନ୍ନ ପିଠାପଣା ପ୍ରସ୍ତୁତ ସହ ପର୍ଯ୍ୟଟକଙ୍କୁ ପରସା ଯିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ପାନ୍ଥ ନିବାସର ପରିଚାଳକ ବାପି ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୩ ଦିନିଆ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଏନଏସି ଅଧକ୍ଷ ଏ.ଜାନକୀ ରାମ ଯୋଗ ଦେଇ ଉଦଘାଟନ କରିଥିଲେ। ଗୋପାଳପୁର ଏକ ପର୍ଯ୍ୟଟନ ସ୍ଥଳି ହୋଇଥିବାରୁ ପାନ୍ଥନିବାସରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ଗୋପାଳପୁର ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶ, ଏଏସଆଇ ତିରୁପତି ରାଓ, ହାବିଲଦାର ଅଜୟ କୁମାର ଶତପଥୀ, ପର୍ଯ୍ୟଟନ ଭାରତ ସମ୍ପାଦକ ନାରାୟଣ ମହାଙ୍କୁଡ଼, ଓଡ଼ିଶା ନାଟ୍ୟ ଏକାଡେମୀର ସଦସ୍ୟ ଅନିଲ କୁମାର ପାତ୍ର, କାଉନସିଲର ଜି. ମୋହନଙ୍କ ସମେତ ପାନ୍ଥ ନିବାସରେ ରହୁଥିବା ପର୍ଯ୍ୟଟକ ଓ ପାନ୍ଥନିବାସ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ପାନ୍ଥନିବାସ ପକ୍ଷରୁ ଆରିସା, କାକରା, ମଣ୍ଡା, ଚକୁଳି, ପୋଡପିଠା, ବରା, ଦହିବରା ଆଦି ପିଠା ପ୍ରସ୍ତୁତି କରି ବଣ୍ଟନ କରାଯାଇଥିଲା। ପର୍ଯ୍ୟଟକ ମାନେ ଦୋଳିରେ ଝୁଲି ମଜା ନେଇଥିଲେ । ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କ ସମେତ ବାହାର ପର୍ଯ୍ୟଟକ ମାନେ ମଧ୍ୟ ରଜ ମଉଜ ନିମନ୍ତେ ପାନ୍ଥନିବାସ ଆସି ଦୋଳିର ମଜା ନେବା ସହ ପାରମ୍ପରିକ ପିଠାପଣାର ମଜା ଉଠାଇ ପାରିବେ ବୋଲି ପାନ୍ଥନିବାସ ପରିଚାଳକ ବାପି ରଞ୍ଜନ ସାହୁ ପ୍ରକାଶ କରିଛନ୍ତି ।

Comments are closed.