ଭାରତ-ପାକ୍, ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମ୍ୟାଚ୍ରେ ବର୍ଷା ଆଶଙ୍କା
ସିଡ୍ନୀ/ମେଲ୍ବୋର୍ଣ୍ଣ : ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍ରେ ସୁପର-୧୨ ପର୍ଯ୍ୟାୟ ଶନିବାରଠାରୁ ଆରମ୍ଭ ହେଉଛି। ପ୍ରଥମ ୨ ଦିନରେ ୪ଟି ମ୍ୟାଚ୍ ଥିଲେ ହେଁ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ତଥା ଦୁଇ ପଡ଼ୋଶୀଙ୍କ ମଧ୍ୟରେ ମୁକାବିଲା ଉପରେ କ୍ରିକେଟ୍ ଦୁନିଆର ନଜର ରହିଛି। ଶନିବାର ଆୟୋଜକ ତଥା ଗତବର୍ଷର ଚମ୍ପିଆନ୍ ଅଷ୍ଟ୍ରେଲିଆ ପଡ଼ୋଶୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଗ୍ରୁପ୍-୧ର ପ୍ରଥମ ମ୍ୟାଚ୍ ଖେଳିବ। ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ୍-୨ର ପ୍ରଥମ ମ୍ୟାଚ୍ ଖେଳାଯିବ। ତେବେ ସ୍ଥାନୀୟ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ଉଭୟ ମ୍ୟାଚ୍ରେ ବର୍ଷା ହେବାର ବହୁତ ସମ୍ଭାବନା ରହିଛି।
ରବିବାର ମେଲ୍ବୋର୍ଣ୍ଣରେ ଭାରତ-ପାକିସ୍ତାନ ମୁକାବିଲା ହେବ। ଏହି ମ୍ୟାଚ୍ରେ ବର୍ଷା ହେବାର ବହୁତ (୯୦ ପ୍ରତିଶତ) ସମ୍ଭାବନା ରହିଛି ବୋଲି ସ୍ଥାନୀୟ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଏହିଦିନ ୧୦ରୁ ୨୫ ମିଲିମିଟର ବର୍ଷାର ପୂର୍ବାନୁମାନ କରାଯାଇଛି। ଅପରାହ୍ଣ ଓ ସନ୍ଧ୍ୟାରେ ବର୍ଷା ହେବ ବୋଲି କୁହାଯାଇଛି। ଉକ୍ତ ମ୍ୟାଚ୍ ସ୍ଥାନୀୟ ସମୟ ସନ୍ଧ୍ୟା ୭ଟାରେ ଆରମ୍ଭହେବ। ସାରାବିଶ୍ବର କ୍ରିକେଟ୍ପ୍ରେମୀ ଭାରତ-ପାକିସ୍ତାନ ମୁକାବିଲା ଦେଖିବାକୁ ଅପେକ୍ଷା କରିଥିବା ବେଳେ ଉକ୍ତ ମ୍ୟାଚ୍ ବର୍ଷାରେ ଧୋଇଲେ ସେମାନେ ନିରାଶ ହେବେ ନିଶ୍ଚୟ। ଫଳାଫଳ ବାହାରିବା ପାଇଁ ଉଭୟ ଦଳ ଅତିକମ୍ରେ ୫ ଓଭର ଖେଳିବା ଆବଶ୍ୟକ। ଶନିବାର ସିଡ୍ନୀରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମ୍ୟାଚ୍ରେ ମଧ୍ୟ ବର୍ଷାର ଆଶଙ୍କା ରହିଛି। ଉକ୍ତ ମ୍ୟାଚ୍ ସନ୍ଧ୍ୟାରେ ଥିବା ବେଳେ ବର୍ଷାହେବାର ୮୦ ପ୍ରତିଶତ ସମ୍ଭାବନା ରହିଥିବା କୁହାଯାଇଛି। ତେବେ ଉକ୍ତ ମ୍ୟାଚ୍ ସମୟରେ ଶନିବାର ଅପେକ୍ଷା କମ୍ ବର୍ଷା (୧ରୁ ୩ ମିଲିମିଟର) ବର୍ଷା ହେବ ବୋଲି କୁହାଯାଇଛି। ଶନିବାର ପର୍ଥରେ ଇଂଲଣ୍ଡ-ଆଫ୍ଗାନିସ୍ତାନ ମୁକାବିଲା ଥିବା ବେଳେ ଉକ୍ତ ମ୍ୟାଚ୍ରେ ବର୍ଷାର କମ୍ ସମ୍ଭାବନା ଅଛି। ବର୍ତ୍ତମାନ ପ୍ରଥମ ରାଉଣ୍ଡର ମୁକାବିଲା ରୋଚକ ସ୍ଥିତିରେ ଥିବା ବେଳେ ଶୁକ୍ରବାର ଅନ୍ତିମଦିନ ଗ୍ରୁପ୍ ‘ବି’ରୁ କେଉଁ ୨ଟି ଦଳ ସୁପର୍-୧୨ରେ ପହଞ୍ଚିବେ; ତାହା ନିଶ୍ଚିତ ହେବ। ଉକ୍ତ ଦିନ ସ୍କଟ୍ଲାଣ୍ଡ-ଜିମ୍ବାୱେ, ୱେଷ୍ଟଇଣ୍ଡିଜ୍-ଆୟରଲାଣ୍ଡ ମୁକାବିଲା ହେବ। ହୋବାର୍ଟରେ ଶୁକ୍ରବାର ବର୍ଷାର ୬୦ ପ୍ରତିଶତ ସମ୍ଭାବନା ରହିଛି। ତେବେ ଗୁରୁବାର ଗ୍ରୁପ୍ ‘ବି’ର ଅନ୍ତିମ ରାଉଣ୍ଡର ୨ଟି ମ୍ୟାଚ୍ ଥିବା ବେଳେ ଉକ୍ତ ଦିନ ବର୍ଷାର କମ୍ ସମ୍ଭାବନା ରହିଛି।
Comments are closed.