ଲଗାଣ ବର୍ଷାରେ ବେହାଲ ସାରା ଓଡିଶା

0

କଟକ: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଓ ଘୁର୍ଣ୍ଣିଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରରେ ୨୪ଘଣ୍ଟିଆ ଜରୁରିକାଳୀନ କଣ୍ଟ୍ରୋଲ୍‌ରୁମ୍‌ କାର୍ଯ୍ୟକ୍ଷମ କରିବା ସହ କୌଣସି ପ୍ରତିକୂଳ ପରିସ୍ଥିତି ଉପୁଜିଲେ ଏ ସମ୍ପର୍କରେ ତୁରନ୍ତ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ କାର୍ଯ୍ୟାଳୟକୁ ଅବଗତ କରାଇବା ନିମନ୍ତେ ସରକାର ନିର୍ଦେଶ ଦେଇଛନ୍ତି।

ଏହି ଲଘୁଚାପ ଜନିତ ବର୍ଷା ଯୋଗୁଁ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। କଟକ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଲୋକେ ଘରୁ ବାହାରିପାରୁ ନାହାନ୍ତି। ରାସ୍ତଘାଟରେ ପାଣି ଜମି ରହିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ସହରର ତଳିଆ ଲୋକଙ୍କ ଘରେ ପାଣି ପଶିଛି। ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ଜଳ ଯୋଗୁଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡିଛି।

ସେହିପରି ରାଜଧାନୀ ଭୁବନେଶ୍ୱରର ଇସ୍‌କନ୍‌ ମନ୍ଦିର ସମ୍ମୁଖୀନ ୩ଫୁଟରୁ ଅଧିକ ଉଚ୍ଚର ପାଣିର ସୁଅ ଛୁଟି ଥିବାବେଳେ ବେହେରା ସାହି ଓ ନୂଆପଲ୍ଲୀ, ଆଚାର୍ଯ୍ୟ ବିହାର, ପୁରୁଣା ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘର ଭିତରେ ପାଣି ପଶିଯାଇଥିବା ଖବର ମିଳିଛି।

ଅନ୍ୟ ପକ୍ଷରେ ପୁରୀ ସହରର ବଡ଼ଦାଣ୍ଡର ଡାକ୍ତରଖାନା ଛକ ଓ ବଳଗଣ୍ଡି ଛକରେ ପ୍ରାୟ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ମୋଟର ବସାଯାଇ ଜଳ ନିଷ୍କାସନ କରାଯାଉଛି। ରେଳ ବିଭାଗ ପକ୍ଷରୁ ପୁରୀ ଷ୍ଟେସନ୍‌ ସମ୍ମୁଖରେ ପ୍ରାୟ ୪୦ଫୁଟ୍‌ ଚଉଡ଼ାର ନିର୍ମାଣ କରାଯାଇଥିବା ଏକ ତୋରଣ ଏହି ବର୍ଷା ଯୋଗୁଁ ଭାଙ୍ଗି ଯାଇଥିବା ଜଣାଯାଇଛି। ସମୁଦ୍ର ଜୁଆରୀଆ ରହିଥିବାରୁ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାଲାଗି ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ୍‌ ସର୍ବାଧିକ ପ୍ରଭାବିତ ହୋଇଛି । ସେଠାରେ ଗତକାଲି ୧୨୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବ୍ଲକ୍‌ର ତେନ୍ତୁଳିଖୁଣ୍ଟି- ଇନ୍ଦ୍ରାବତୀ, କୁକୁଡ଼ାବାଇ-ନବରଙ୍ଗପୁର, ଝରି ଗୁମ୍ମା-କଣ୍ଟା ଗାଁ, ପାତ୍ରପୁଟ-ଚିତ୍ରକୋଟ, କୁର୍ମା କୋଟ-ନୂଆଗୁଡ଼ା ରାସ୍ତାରେ ୩ ଫୁଟ ବର୍ଷା ଜଳ ପ୍ରଭାବିତ ହେଉଥିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ବର୍ଷା ଫଳରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୬୨୯. ୮ ଫୁଟ୍‌ରେ ପହଞ୍ଚିଛି   ।

ମାଲ୍‌କାନଗିରି ଜିଲ୍ଲାର ପାଙ୍ଗାମ ଓ ଅଁଳାଯୋଡ଼ି ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଉଭୟ ପୋଲ ମଧ୍ୟରେ ଗତକାଲିଠାରୁ ପ୍ରାୟ ୧୭ଜଣ ଫସି ରହିଥିବାର ଜଣାପଡ଼ିଛି। ଜଳର ପ୍ରବାହ ହ୍ରାସ ହେଉନଥିବାରୁ ସେମାନଙ୍କୁ ମୁକୁଳିବା ନେଇ ସମସ୍ୟା ସୃଷ୍ଟି ହୋଇଛି। ତେବେ ସେମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ମାଥିଲି ବ୍ଲକ୍‌ର ଅଟାଲଗୁଡ଼ା ନଦୀ ଜଳସ୍ତର ବୃଦ୍ଧି ପାଉଥିବାରୁ ସେଠାରେ ଫସି ରହିଥିବା ଗଙ୍ଗାରାଜଗୁମ୍ମା ଗ୍ରାମର ୧୩ଜଣ ଲୋକଙ୍କୁ ଇତି ମଧ୍ୟରେ ଉଦ୍ଧାର କରାଯାଇଥିବା ଜଣାପଡିଛି।

Leave A Reply