ରାଇକିଆ : ଯୀଶୁଖ୍ରୀଷ୍ଟ ମାନବ ଜାତିକୁ ପାପରୁ ପରିତ୍ରାଣ ଦେବା ପାଇଁ ମୃତ୍ୟୁବରଣ କଲେ ଏବଂ ତିନି ଦିନ ପରେ ତାଙ୍କର ପୁନରୁତ୍ଥାନ ହୋଇଥିଲା। ସେହି ଦିବସକୁ ସ୍ମରଣ କରି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ପାଳନ କରିଥା’ନ୍ତି ଯୀଶୁଙ୍କ ପୁନରୁତ୍ଥାନ ପର୍ବ। ରାଇକିଆସ୍ଥିତ କ୍ୟାଥଲିକ୍ ଚର୍ଚ୍ଚରେ ଶନିବାର ମଧ୍ୟ ରାତ୍ରିରେ ଏବଂ ରବିବାର ସକାଳୁ ଦୁଇଦିନ ଧରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ପର୍ବ ମହାଆଡ଼ମ୍ବରରେ ପାଳନ କରାଯାଇଛି। ରାଇକିଆ ପ୍ୟାରିସ ଚର୍ଚ୍ଚ ମୁଖ୍ୟ ଧର୍ମ ଯାଜକ ପ୍ରଦୋଷ ଚନ୍ଦ୍ର ନାୟକ ଏବଂ ସହ ଯାଜକ ପୁରୁଷୋତ୍ତମ ନାୟକ, ଯାଜକ ଜେରେମ ନାୟକ ପବିତ୍ର ବାଇବଲ ପଠନ କରି ପୃଥିବୀବାସୀ ଏବଂ ଅଞ୍ଚଳବାସୀଙ୍କ ପାଇଁ ସାମୂହିକ ପ୍ରାର୍ଥନା କରିଥିଲେ ଏବଂ ପୁନରୁତ୍ଥାନ ପର୍ବର ଦିବ୍ୟ ଯଜ୍ଞ ଉତ୍ସର୍ଗ କରିଥିଲେ। ଯୀଶୁଙ୍କ ପୁନରୁତ୍ଥାନ ଦ୍ବାରା ଖ୍ରୀଷ୍ଟ ବିଶ୍ୱାସୀ ଏକ ନୂତନ ଜୀବନ ଲାଭ କରିବାସହ ଅନନ୍ତ ଜୀବନ ପାଇବାର ଯୋଗ୍ୟ ହୋଇ ପାରିଲେ।
କାର୍ଯ୍ୟକ୍ରମକୁ ମଣ୍ଡଳୀ କର୍ମକର୍ତ୍ତା ପରିଚାଳନା କରିଥିଲେ। ଯୁବଗୋଷ୍ଠୀଙ୍କ ଦ୍ବାରା ଦିବ୍ୟଯଜ୍ଞକାଳୀନ ଭକ୍ତି ସଙ୍ଗୀତ ପରିବେଷଣ କରିଥିବାବେଳେ କମିଟିର ଅନ୍ୟ ସଦସ୍ୟ ସହୋଯୋଗ କରିଥିଲେ। ପ୍ୟାରିସର ବିଭିନ୍ନ ମଣ୍ଡଳୀରୁ ବହୁ ଖ୍ରୀଷ୍ଟ ବିଶ୍ୱାସୀ ସାମିଲ ହୋଇ ଆନନ୍ଦ ଉଲ୍ଲାସରେ ପର୍ବ ପାଳନ କରିଥିଲେ। ସେହିପରି ମଣ୍ଡାସରୁ ପ୍ୟାରିସ ସ୍ଥାନୀୟ କ୍ୟାଥଲିକ୍ ଚର୍ଚ୍ଚରେ ମଧ୍ୟ ଏହି ପର୍ବ ପାଳନ କରାଯାଇଛି। ବହୁ ସଂଖ୍ୟାରେ ଖ୍ରୀଷ୍ଟ ବିଶ୍ବାସୀ ଏଥିରେ ଯୋଗ ଦେଇଥିଲେ। ସନ୍ଧ୍ୟା ସମୟରେ କ୍ୟାଥଲିକ୍ ସାଂସ୍କୃତିକ କମିଟି ଆୟୋଜନରେ ଓଡ଼ିଶାର ନାମୀଦାମୀ ସଙ୍ଗୀତ କଳାକାର ଏବଂ ସ୍ଥାନୀୟ ଯୁବ ଗୋଷ୍ଠୀଙ୍କ ଦ୍ବାରା ସାଂସ୍କୃତିକ ଓ ଖ୍ରୀଷ୍ଟିୟ ଭକ୍ତି ସଙ୍ଗୀତ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି।



