ଗାନ୍ଧୀନଗର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଏକ ମାନହାନୀ ମାମଲାରେ ଅହମ୍ମଦାବାଦ କୋର୍ଟରେ ହାଜର ହେବେ। ବିଜେପିର ଜଣେ ସଦସ୍ୟ ରାହୁଲଙ୍କ ନାମରେ ଏହି ମାମଲା ଦାୟର କରିଥିଲେ। ଆବେଦନକାରୀ ପିଟିଶନରେ ଦର୍ଶାଯାଇଥିଲେ ଯେ, ଗତ ଏପ୍ରିଲରେ ରାହୁଲ ମଧ୍ୟପ୍ରଦେଶରେ ଏକ ନିର୍ବାଚନୀ ରାଲିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ରାହୁଲ ଅମିତ ଶାହଙ୍କୁ ହତ୍ୟା ଅଭିଯୁକ୍ତ ବୋଲି କହିଥିଲେ। ଏହି ମାମଲାରେ କୋର୍ଟ ରାହୁଲଙ୍କୁ ନୋଟିସ ଜାରି କରିବା ସହିତ ହାଜର ହେବାକୁ ନିର୍ଦେଶ ଦେଇଥିଲେ। ଏହାକୁ ମିଶାଇ ଗୋଟିଏ ମାସରେ ରାହୁଲ ୪ର୍ଥ ଥର ପାଇଁ କୋର୍ଟରେ ହାଜର ହେବେ।
ଗତ ଏପ୍ରିଲ ୨୩ରେ ରାହୁଲ ମଧ୍ୟପ୍ରଦେଶରେ ଏକ ଦଳୀୟ ରାଲିରେ ପ୍ରଚାର କରିବା ସମୟରେ ଅମିତ ଶାହଙ୍କୁ ୫ବର୍ଷ ତଳର ଏକ ହତ୍ୟା ମାମଲାର ଅଭିଯୁକ୍ତ ବୋଲି କହିଥିଲେ। କିନ୍ତୁ କୋର୍ଟ ଉକ୍ତ ମାମଲାରେ ଅମିତ ଶାହଙ୍କୁ ଦୋଷମୁକ୍ତ କରିଥିଲେ। ରାଲିରେ ରାହୁଲ ଅମିତଙ୍କ ପୁଅ ଜୟ ଶାହଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ମଧ୍ୟ ଆଣିଥିଲେ। ରାହୁଲ କହିଥିଲେ, ବିଜେପି ଅଧ୍ୟକ୍ଷ ଅମିତ ଶାହ ହତ୍ୟା ମାମଲାର ଅଭିଯୁକ୍ତି। ତାଙ୍କ ପୁଅ ଜୟ ଶାହ ବି ଜଣେ ଜାଦୁଗର। ସେ ୩ମାସରେ ୫୦ ହଜାର ଟଙ୍କାକୁ ୮୦ କୋଟିରେ ପରିଣତ କରିଦେଇଥିଲେ।



