bjd gruha runa

ଲଦାଖରେ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ

‘ଭାରତୀୟଙ୍କ ଜମିକୁ ଚୀନ ଅକ୍ତିଆର କରିଛି’

BJD Bijuli 480×75 Mob

ଲଦାଖ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୯ତମ ଜନ୍ମଦିନ ଅବସରରେ ଲଦାଖର ପାଙ୍ଗଙ୍ଗ ହ୍ରଦ କୂଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ହ୍ରଦ କୂଳରେ ରାଜୀବଙ୍କ ସ୍ମୃତି ଉଦେଶ୍ୟରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଲଦାଖ ଗସ୍ତ ଅବସରରେ ରାହୁଲ ଅଭିଯୋଗ କରିଛନ୍ତି ଯେ ଚୀନ ଭାରତୀୟଙ୍କ ଜମିକୁ ଛଡାଇ ନେଇଥିବାବେଳେ ସରକାର ଏହାକୁ ସ୍ବୀକାର କରୁ ନାହାନ୍ତି। ଲଦାଖର ମେଷ ପାଳକଙ୍କ ଚାରଣଭୂମିକୁ ଚୀନ ଦଖଲ କରି ନେଇଛି। ଅଥଚ ଭାରତ ସରକାର କହୁଛନ୍ତି ଯେ ଚୀନ ଆମର ଗୋଟିଏ ଇଞ୍ଚ ଜମି ନେଇ ନାହିଁ। ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ ଭାରତର ଜମିକୁ ଚୀନ ଅକ୍ତିଆର କରିନାହିଁ। ପ୍ରଧାନମନ୍ତ୍ରୀଙ୍କ ଏପରି ଅସ୍ବୀକାର ଚିନ୍ତାଜନକ ବୋଲି ରାହୁଲ କହିଛନ୍ତି। ଏଥିସହିତ ଲଦାଖବାସୀ କେନ୍ଦ୍ରଶାସିତ ଅଞ୍ଚଳ ପାହ୍ୟା ପାଇ ଖୁସି ନାହାନ୍ତି ବୋଲି ରାହୁଲ କହିଛନ୍ତି। ଏ ନେଇ ଲଦାଖବାସୀଙ୍କର ବହୁ ଆପତ୍ତି ଅଭିଯୋଗ ରହିଛି। ସେମାନଙ୍କର ବହୁ ସମସ୍ୟା ଥିଲାବେଳେ ଶାସନ ଚଳାଇଥିବା ସରକାରୀ ଅଧିକାରୀମାନେ ଏହାର ସମାଧାନ କରିପାରୁ ନାହାନ୍ତି। ଗତ ତିନିବର୍ଷ ହେଲା ଲଦାଖ ସୀମାକୁ ନେଇ ଭାରତ-ଚୀନ ମୁହଁାମୁହଁି ଅବସ୍ଥାରେ ରହିଛନ୍ତି। ୨୦୨୦ ଜୁନ୍‌ରେ ଲଦାଖର ଗଲୱାନ ଉପତ୍ୟକାରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ସେବେଠାରୁ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ସୀମା ସ୍ଥିତାବସ୍ଥାକୁ ନେଇ ଲଦାଖବାସୀ ଖୁସି ନାହାନ୍ତି ବୋଲି ରାହୁଲ କହିଛନ୍ତି। ରାଜୀବଙ୍କ ଜନ୍ମ ଦିନ ଅବସରରେ ପତ୍ନୀ ତଥା କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀ, ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ, ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଜ୍ବାଇଁ ରବର୍ଟ ଭଦ୍ରା ପ୍ରମୁଖ ତାଙ୍କ ସମାଧିସ୍ଥଳ ‘ବୀରଭୂମି’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Comments are closed.