ଅମ୍ବାଲା : ହରିୟାଣା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନିପା ଜୀବାଣୁ ପରି ବିପଦଜନକ ବୋଲି କହିଛନ୍ତି। ସେ କହିଛନ୍ତି ରାହୁଲ ଗାନ୍ଧିଙ୍କ ସଂସ୍ପର୍ଶରେ ଯିଏବି ଆସିଛି ନଷ୍ଟ ହୋଇଯାଇଛି। ଏହାସହ ଅନିଲ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେଇଥିବା ୧୩ ଦଳର ନେତାଙ୍କୁ ସେ ବ୍ୟଙ୍ଗ କରିଛନ୍ତି। ଯେଉଁ ଦଳଗୁଡ଼ିକ ଏକଜୁଟ ହୋଇ ରାହୁଲ ଗାନ୍ଧିଙ୍କ ସହ ମେଣ୍ଟ କରିବେ ସେ ସବୁ ନଷ୍ଟ ହୋଇଯିବେ। କାରଣ ରାହୁଲ ନିପା ଜୀବାଣୁ ପରି ବିପଦଜନକ ବୋଲି ସେ କହିଛନ୍ତି। ହରିୟାଣାର ଖଟ୍ଟର ସରକାରରେ ଅନିଲ ଭିଜ ସ୍ୱାସ୍ଥ୍ୟମନ୍ତ୍ରୀ ପଦରେ ଅଛନ୍ତି। ନିପା ଜୀବାଣୁ ସଂକ୍ରମଣକୁ ନେଇ ସେ ରାଜ୍ୟରେ ସତର୍କ ସୂଚନା ଜାରି କରିଛନ୍ତି। ନିପା ପାଇଁ କୌଣସି ଆଣ୍ଟି ଭାଇରାସ ନାହିଁ, ତେଣୁ କେବଳ ସଚେତନତା ହିଁ ଏହାକୁ ରୋକିପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ପ୍ରକାଶଯୋଗ୍ୟ ଯେ ଅନିଲ ଭିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ଏହା ପୂର୍ବରୁ ସେ ତିନି ତଲାକ୍ ଉପରେ କଂଗ୍ରେସକୁ ଦୁଇ ମୁଁହା ସାପ ବୋଲି କହିଥିଲେ। ସେହିପରି ୨୦୧୭ରେ ଖଦି ଗ୍ରାମ୍ୟଦ୍ୟୋଗ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲଗାଯିବାକୁ ନେଇ ସେ ଧୀରେ ଧୀରେ ନୋଟରୁ ବି ଗାନ୍ଧି ବାହାରିଯିବେ ବୋଲି ବିବାଦୀୟ ବୟାନ ଦେଇଥିଲେ।
Popular Categories



