www.samajalive.in
Sunday, December 14, 2025
14.1 C
Bhubaneswar

ଜାତୀୟ କ୍ରିକେଟ୍‌ ଏକାଡେମୀର ଦାୟିତ୍ବ ନେବେ ଦ୍ରାବିଡ଼

ମୁମ୍ବଇ : ବାଙ୍ଗାଲୋରସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ(ଏନ୍‌ସିଏ)ର ସଂପୂର୍ଣ୍ଣ ଦାୟିତ୍ବ ପୂର୍ବତନ ଅଧିନାୟକ ତଥା ମହାନ୍ ବ୍ୟାଟସମ୍ୟାନ୍‌ ରାହୁଲ ଦ୍ରାବିଡ଼ଙ୍କ ଉପରେ ନ୍ୟସ୍ତ କରିବାକୁ ବିସିସିଆଇ ମନସ୍ଥିର କରିଥିବା ଜଣାପଡ଼ିଛି। ଏନ୍‌ସିଏରେ ଦ୍ରାବିଡ଼ଙ୍କୁ କେଉଁ ପଦରେ ଅବସ୍ଥାପିତ କରାଯିବ ସେଥିନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବା ବେଳେ ତାଙ୍କୁ ନିର୍ଦେଶକ ଦାୟିତ୍ବ ମିଳିବ ବୋଲି ଆଲୋଚନା ହେଉଛି।
ଦ୍ରାବିଡ଼ଙ୍କ ଅଧୀନରେ ଏନ୍‌ସିଏର ନବୀକରଣ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ଦ୍ରାବିଡ଼ ଦାୟିତ୍ବ ଗ୍ରହଣ କରିବା ପରେ ଅଗ୍ରାଧିକାର ଭିତ୍ତିରେ ଏନ୍‌ସିଏର ନବୀକରଣ କରାଯିବ ବୋଲି ବିସିସିଆଇର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଭାରତୀୟ ଯୁବ କ୍ରିକେଟର୍‌ଙ୍କ ସହ ଦ୍ରାବିଡ଼ ଦୀର୍ଘଦିନ ହେବ କାର୍ଯ୍ୟ କରିଥିବାରୁ ସେମାନଙ୍କୁ ବିଶ୍ବସ୍ତରୀୟ କ୍ରିକେଟର୍‌ ଭାବେ ଗଢ଼ି ତୋଳିବାକୁ ଦ୍ରାବିଡ଼ଙ୍କ ହାତରେ ଏନ୍‌ସିଏର ଦାୟିତ୍ବ ପ୍ରଦାନ କରିବାକୁ ଯାଉଛି ବିସିସିଆଇ। ଖୁବ୍‌ଶୀଘ୍ର କ୍ରିକେଟ୍‌ ପ୍ରଶାସକ କମିଟି (ସିଓଏ) ତରଫରୁ ଦ୍ରାବିଡ଼ଙ୍କୁ ବିଧିବଦ୍ଧ ଭାବେ ଏନ୍‌ସିଏରେ ନିଯୁକ୍ତି ମିଳିବ। ଏ ସଂପର୍କରେ ସୂଚନା ଦେଇ ବରିଷ୍ଠ ଅଧିକାରୀଜଣକ କହିଥିଲେ ଯୁବ କ୍ରିକେଟର୍‌ଙ୍କ କ୍ୟାରିୟର ଗଢ଼ିବାରେ ଦ୍ରାବିଡ଼ଙ୍କ ଅବଦାନର ତୁଳନା ନାହିଁ। ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଏନ୍‌ସିଏର ନିର୍ଦେଶକ ଭାବେ ନିଯୁକ୍ତ କରାଯିବାକୁ ବିସିସିଆଇ ଚାହୁଁଛି। ଏନ୍‌ସିଏରେ ଆବଶ୍ୟକ ପରିବର୍ତ୍ତନ ଆଣି ଦ୍ରାବିଡ଼ ଭବିଷ୍ୟତର କ୍ରିକେଟର୍‌ଙ୍କୁ ବିଶ୍ବସ୍ତରୀୟ ଖେଳାଳି ଭାବେ ଗଢ଼ି ତୋଳିବେ ବୋଲି ଆଶା କରାଯାଉଛି। ଦ୍ରାବିଡ଼ ଜଣେ ମହାନ୍ କ୍ରିକେଟର୍‌ ଏବଂ ପ୍ରଶିକ୍ଷକ ଏଥିରେ କୌଣସି ସନ୍ଦେହ ନାହିଁ। ଏଥିସହ ତାଙ୍କ ନିକଟରେ ଭବିଷ୍ୟତକୁ ନେଇ ବେଶ୍‌ ଦୂରଦୃଷ୍ଟି ରହିଥିବାରୁ ସେ ଏନ୍‌ସିଏକୁ ଉପଯୁକ୍ତ ଭାବେ ପରିଚାଳିତ କରିପାରିବେ ବୋଲି ଆଶା ରହିଛି। ଦ୍ରାବିଡ଼ଙ୍କ ନିଯୁକ୍ତି ପରେ ଏନ୍‌ସିଏର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତୋଫାନ୍‌ ଘୋଷ କେବଳ ଭିତ୍ତିଭୂମି ଉନ୍ନତିକରଣ ଦାୟିତ୍ବ ନିର୍ବାହ କରିବେ ବୋଲି ଜଣାପଡ଼ିଛି। ଦ୍ରାବିଡ଼ ଏନ୍‌ସିଏର ନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ନିଜ ପସନ୍ଦର ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେଇ ପାରିବେ। ଏହି ପ୍ରଶିକ୍ଷକମାନେ ଏନ୍‌ସିଏ ବ୍ୟତୀତ ବିଭିନ୍ନ ଜୋନ୍‌ର ଦାୟିତ୍ବରେ ରହିବେ। ବର୍ତ୍ତମାନ ସୁଦ୍ଧା ୨୨ ଜଣ ପ୍ରଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଦ୍ରାବିଡ଼ଙ୍କ ପରାମର୍ଶକ୍ରମେ ସେମାନଙ୍କୁ ନିଯୁକ୍ତି ମିଳିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଯୁବ କ୍ରିକେଟର୍‌ଙ୍କୁ ଅଧିକରୁ ଅଧିକ ମ୍ୟାଚ୍ ଖେଳିବାକୁ ସୁଯୋଗ ଦେବା ସହ ଏନ୍‌ସିଏରେ ପ୍ରଶିକ୍ଷଣ ହାସଲ ପାଇଁ ଯୋଗ୍ୟତା ହାସଲ କରିଥିବା ସମସ୍ତ ଖେଳାଳିଙ୍କୁ ଉଚ୍ଚମାନର ସୁବିଧା ଯୋଗାଇ ଦେବା ସପକ୍ଷରେ ଅଛନ୍ତି ଦ୍ରାବିଡ଼। ଦ୍ରାବିଡ଼ ବିସିସିଆଇର ଜେନେରାଲ୍‌ ମ୍ୟାନେଜର ସବା କରିମ୍‌ଙ୍କୁ ରିପୋର୍ଟ କରିବେ। ତେବେ ଏହାକୁ ନେଇ କେତେକ ମହଲରୁ ଆପତ୍ତି ଉଠିଛି। ଦ୍ରାବିଡ଼ଙ୍କ ପରି ମହାନ୍‌ କ୍ରିକେଟର୍‌ ସବା କରିମ୍‌ଙ୍କୁ ରିପୋର୍ଟ କରିବା ଗ୍ରହଣୀୟ ନୁହେଁ ବୋଲି କେତେକ ମତ ଦେଇଛନ୍ତି। ଅନ୍ୟପକ୍ଷରେ ବିସିସିଆଇର ନିୟମ ଅନୁଯାୟୀ ସବା କରିମଙ୍କୁ ଦ୍ରାବିଡ଼ ରିପୋର୍ଟ କରିବାକୁ ବାଧ୍ୟ ଏବଂ ଏହାକୁ ନେଇ କିଛି କରାଯାଇ ପାରିବ ନାହିଁ ବୋଲି ଆଉ କେତେକ ବିଶେଷଜ୍ଞ ମତ ଦେଇଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories