ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ
ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା ଗରିବ ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସରକାର ଭତ୍ତା ପ୍ରଦାନ କରୁଛନ୍ତି। ଏହି ଭତ୍ତା ବୟସର ଅପରାହ୍ଣରେ ପହଞ୍ଚିଥିବା ଅଭାବୀ ମଣିଷଙ୍କୁ ଅର୍ଥନୈତିକ ସ୍ବାଧୀନତା ଓ ସମ୍ମାନପୂର୍ଣ୍ଣ ଜୀବନଯାପନର ସୁଯୋଗ ଦେଉଛି। ରାଜ୍ୟରେ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଥିଲେ ବି ୭ଲକ୍ଷ ୨୮ହଜାର ୭୨୯ ଆବେଦନକାରୀ ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ବୟସ ପ୍ରମାଣପତ୍ରରେ ତ୍ରୁଟି ଓ ସରକାରୀ ବାବୁମାନେ ଆବେଦନର ଯାଞ୍ଚ ପାଇଁ ଅଧିକ ସମୟ ନେଉଥିବାରୁ ଭତ୍ତା ପ୍ରଦାନରେ ବିଳମ୍ବ ହେଉଥିବା ସୂଚନା ମିଳିଛି। ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ଭତ୍ତା ରାଜ୍ୟର ଲକ୍ଷାଧିକ ବରିଷ୍ଠ ନାଗରିକଙ୍କ ପାଇଁ ଆଶାବାଡ଼ି ପାଲଟିଛି। ମଧୁବାବୁ ପେନସନ ଯୋଜନାରେ ରାଜ୍ୟର ୩୬,୬୨,୯୪୫ ଜଣଙ୍କୁ ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ୧୯,୫୫,୩୯୧ ଜଣ ବରିଷ୍ଠ ନାଗରିକ ଭତ୍ତା ପାଉଛନ୍ତି। ସେମାନଙ୍କ ମଧ୍ୟରେ ୮୦ ବର୍ଷରୁ ଅଧିକ ବୟସ୍କ ୩,୮୫,୭୯୭ ହିତାଧିକାରୀ ଥିବାବେଳେ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କ ସଂଖ୍ୟା ୧,୦୬.୩୧୭ ରହିଛି। ଏବେ ସୁଦ୍ଧା ରାଜ୍ୟର ୭,୧୧,୧୨୩ ବରିଷ୍ଠ ନାଗରିକ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପାଇବା ପାଇଁ ଆବେଦନ କରିଛନ୍ତି। ସେହିଭଳି ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ୧୭ହଜାର ୬୦୬ଜଣ ଆବେଦନ କରିଛନ୍ତି।
ଗଞ୍ଜାମ ଜିଲାରେ ସର୍ବାଧିକ ୭୫ହଜାର ୯୦୧ଜଣ ଅପେକ୍ଷା କରିଥିବା ବେଳେ ମୟୂରଭଞ୍ଜରେ ୫୦,୪୪୭, କଟକରେ ୪୩,୪୩୨, ବାଲେଶ୍ବରରେ ୪୨,୭୬୧, ଯାଜପୁରରେ ୪୦,୧୨୪, କେନ୍ଦୁଝରରେ ୩୫,୯୧୭, ପୁରୀରେ ୩୫,୨୬୪, ବଲାଙ୍ଗୀରରେ ୩୪,୫୧୪, କେନ୍ଦ୍ରାପଡ଼ାରେ ୩୩,୭୪୯, ଭଦ୍ରକରେ ୩୨,୮୫୭, ଖୋର୍ଦ୍ଧାରେ ୨୯,୯୦୯, ସୁନ୍ଦରଗଡ଼ରେ ୨୯,୩୫୮, ବରଗଡ଼ରେ ୨୮,୯୮୧, କଳାହାଣ୍ଡିରେ ୨୬,୦୬୮, ଅନୁଗୋଳରେ ୨୨,୬୬୩, ଜଗତସିଂହପୁରରେ ୨୧,୩୮୪ ଓ ଢେଙ୍କାନାଳରେ ୨୦,୯୭୭ ହିତାଧିକାରୀ ଭତ୍ତା ପାଇବା ପାଇଁ ଦିନ ଗଣୁଛନ୍ତି।
ବରିଷ୍ଠ ନାଗରିକଙ୍କୁ ଭତ୍ତା ପ୍ରଦାନ ପାଇଁ ସରକାର ନିର୍ଦିଷ୍ଟ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି। ବୟସ ୬୦ବର୍ଷ କିମ୍ବା ତଦୂର୍ଦ୍ଧ୍ବ ହେବା ଆବଶ୍ୟକ ଥିବାବେଳେ ପରିବାରର ବାର୍ଷିକ ଆୟ ୨୪ ହଜାର ମଧ୍ୟରେ ହେବା ଉଚିତ। ଅନେକ କ୍ଷେତ୍ରରେ ଆବେଦନକାରୀଙ୍କ ଆଧାର କାର୍ଡ ଓ ଭୋଟର କାର୍ଡରେ ଉଲ୍ଲେଖଥିବା ବୟସରେ ତାଳମେଳ ରହୁନି। ଆବେଦନକାରୀଙ୍କ ପରିବାରର ରୋଜଗାର କେତେ ? ତାହାର ଯାଞ୍ଚ କରିବା ପାଇଁ ଦାୟିତ୍ବରେ ଥିବା ସରକାରୀ ବାବୁ ଦିନ ଗଡ଼ାଉଛନ୍ତି। ଭୋଟର କାର୍ଡରେ ବୟସ ସଂଶୋଧନ ପ୍ରକ୍ରିୟା ସରଳୀକରଣ ହେଲେ ବହୁ ହିତାଧିକାରୀ ଲାଭବାନ ହୋଇପାରିବେ ବୋଲି ଅନେକ ଆଶାୟୀ ହିତାଧିକାରୀ କହିଛନ୍ତି।



