ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦଙ୍ଗା ସୃଷ୍ଟି କରିବା ଲାଗି ଲୋକଙ୍କୁ ଉସୁକାଉଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଦିଲ୍ଲୀରେ ବୁଥ କାର୍ଯ୍ୟକର୍ତ୍ତା ସମ୍ମେଳନରେ ଉଦବୋଧନ ଦେଇ ଶାହା ଏହା କହିଛନ୍ତି। ରାହୁଲ ଏବଂ ପ୍ରିୟଙ୍କା ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି। ସିଏଏ ଲାଗୁ ହେଲେ ଦେଶରେ ସଂଖ୍ୟଲଘୁ ସମ୍ପ୍ରଦାୟର କୌଣସି ନାଗରିକ ନାଗରିକତା ହରାଇବେ ନାହିଁ। ଆଇନରେ ଏଭଳି କୌଣସି ବ୍ୟବସ୍ଥା ନାହିଁ ବୋଲି ଶାହା ପୁଣି ଥରେ ନିଜର ପୂର୍ବ ପ୍ରତିଶ୍ରୁତିକୁ ଦୋହରାଇଛନ୍ତି।
ଶାହା ତାଙ୍କ ଭାଷଣରେ ବିରୋଧୀଙ୍କୁ ଟାର୍ଗେଟ କରି ପାକିସ୍ତାନରେ ନାନକ ସାହିବ ଗୁରୁଦ୍ବାରା ଉପରେ ହୋଇଥିବା ଆକ୍ରମଣ ଉପରେ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି। ଶାହା କହିଥିଲେ, ଅରବିନ୍ଦ କେଜ୍ରିୱାଲ, ସୋନିଆ ଗାନ୍ଧୀ ଏବଂ ରାହୁଲ ଆଖି ଖୋଲନ୍ତୁ ଏବଂ ୨ଦିନ ତଳେ କିଭଳି ପାକିସ୍ତାନରେ ନାନକ ସାହିବ ଗୁରୁଦ୍ବାରା ଉପରେ ଆକ୍ରମଣ ହୋଇଛି ଦେଖନ୍ତୁ। ଯେଉଁମାନେ ସିଏଏକୁ ବିରୋଧ କରୁଛନ୍ତି, ସେମାନଙ୍କ ପାଇଁ ଏହା ହେଉଛି ଗୋଟିଏ ଉତ୍ତର। ଶିଖମାନେ ଆକ୍ରମଣର ଶିକାର ହେଲେ କୁଆଡେ ଯିବେ ବୋଲି ଶାହା ପ୍ରଶ୍ନ କରିଛନ୍ତି।
ଏହା ସହିତ ଶନିବାରଠାରୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ନମ୍ବର ସମ୍ପର୍କରେ ଶାହା ସ୍ପଷ୍ଟ କରି କହିଛନ୍ତି ଯେ, ସେହି ନମ୍ବରଟି ବିଜେପିର। କିନ୍ତୁ ନମ୍ବର ବ୍ୟତୀତ ସୋସିଆଲ ମିଡିଆରେ ଅନ୍ୟ ଯେଉଁ ସବୁ ତଥ୍ୟ ଦିଆଯାଇଛି ତାହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା। ରବିବାରଠାରୁ ଗୁଜବ ପ୍ରଚାର ହେଉଛି ଯେ ଉକ୍ତ ନମ୍ବରଟି କୌଣସି ଏକ ଚ୍ୟାନେଲ ନେଟ୍ଫ୍ଲିକ୍ସର। କିନ୍ତୁ ମୁଁ ଏହା ସ୍ପଷ୍ଟ କରୁଛି ଯେ ନମ୍ବରଟି ନେଟ୍ଫ୍ଲିକ୍ସର ନୁହେଁ, ତାହା ବିଜେପିର ଟୋଲ୍ ଫ୍ରି ନମ୍ବର, ଯାହା ଜରିଆରେ ସିଏଏ ସପକ୍ଷରେ ସମର୍ଥନ ସଂଗ୍ରହ କରାଯାଉଛି।



