ରାଧାଗୋବିନ୍ଦ ମନ୍ଦିରରେ ରାଧାଷ୍ଟମୀ
ଆଠଗଡ : ଆଠଗଡ ଗଡଜାତ ଅଞ୍ଚଳର ବହୁ ପରମ୍ପରା ଧିରେ ଧିରେ ଲୁଚି ଯାଉଥିବାବେଳେ ସେ ସବୁକୁ ଉଜ୍ଜୀବିତ ରଖିବା ଲାଗି ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ପରାମର୍ଶକ୍ରମେ ଦେବୋତ୍ତର ବିଭାଗ ପଦକ୍ଷେପ ନେଉଛି । ଗତ କିଛି ବର୍ଷ ଧରି ଶ୍ରୀ ରାଧାଗୋବିନ୍ଦ ଜୀଉ ମନ୍ଦିରରେ ପୂର୍ବରୁ ଚାଲିଆସିଥିବା ରାଧାଷ୍ଟମୀ ଉତ୍ସବ ନାମକୁ ମାତ୍ର ହେଉଥିଲା। ତେବେ ଚଳିତବର୍ଷ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଦେବୋତ୍ତର ବିଭାଗ ପକ୍ଷରୁ ପବିତ୍ର ରାଧାଷ୍ଟମୀ ଉତ୍ସବକୁ ଯଥାସାଧ୍ୟ ମହାସମାରୋହରେ ପାଳନ କରିବା ପାଇଁ ଉଦ୍ୟମ କରାଯାଇଛି । ଶନିବାର ଆୟୋଜିତ ଏହି ଉତ୍ସବରେ ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଜୀଉଙ୍କର ସ୍ୱତନ୍ତ୍ର ପୂଜାନୀତି କରାଯିବା ସହ ସନ୍ଧ୍ୟାରେ ମନ୍ଦିର ପରିସରରେ ଭଜନ ଓ ଜଣାଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ। ଓଡିଶାର ସୁନାମଧନ୍ୟ ଗୀତିକାର ରାଧାନାଥ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ରାକେଶ କୁମାର ନାଥ, ସତ୍ୟବ୍ରତ ମଲ୍ଲିକ, ସାଗରିକା କୁଣ୍ଡୁ, ସୌଜନ୍ୟା ରଥ, ଉପଜିଲ୍ଲାପାଳଙ୍କ ସହଧର୍ମିଣୀ ଚପଳା ସ୍ୱାଇଁ ଏବଂ କୁନି କଣ୍ଠଶିଳ୍ପୀ ସୈହ୍ୟାଦ୍ରୀ ଦାସ ପ୍ରମୁଖ ଭଜନ ଓ ଜଣାଣ ଗାନ କରିଥିଲେ। ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଗୀତଗୋବିନ୍ଦ ଖଣ୍ଡୁଆପାଟ ବୁଣୁଥିବା ତିଗିରିଆ ନୂଆପାଟଣାର ଦୁଲ୍ଲଭ କୁମାର ପାତ୍ର, ବୈକୁଣ୍ଠ ବିହାରୀ ନନ୍ଦି ଓ ଶ୍ରୀନିବାସ ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ଓ ଆଠଗଡର ଜଣାଶୁଣା ବ୍ୟବସାୟୀ ତଥା ସମାଜସେବୀ ମହାବୀର ପ୍ରସାଦ ବିହାନୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.