କଟକ: ବିଶିଷ୍ଟ ମନୋବୈଜ୍ଞାନିକ ପ୍ରଫେସର ରାଧାନାଥ ରଥଙ୍କ ଜନ୍ମ ଶତବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଆଭାସୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ୍ ଯୋଗଦେଇ ପ୍ରଫେସର ରାଧାନାଥ ରଥଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ। ଯୋଗାଭ୍ୟାସ ଆଧାରିତ ସୁସ୍ଥ ଶରୀର ଓ ସକାରାତ୍ମକ ଚିନ୍ତନ ଦ୍ୱାରା ମଣିଷ ଭୋଗବିଳାସ ଯୁକ୍ତ ଜୀବନଶୈଳୀରୁ ମୁକ୍ତି ପାଇପାରିବ ବୋଲି ପ୍ରଫେସର ଜୟସ୍ୱାଲ୍ କହିଥିଲେ। କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଏମ୍ସ୍, ନୂଆଦିଲ୍ଲୀର ପ୍ରଫେସର ରବୀନ୍ଦ୍ର ଆଚାର୍ଯ୍ୟ ‘ଯୋଗ ଏବଂ ମନୋବିଜ୍ଞାନ ସମ୍ମତ ଶରୀର ଓ ମନ ମାଧ୍ୟମରେ ସକାରାତ୍ମକ ଚିନ୍ତନର ଆବଶ୍ୟକତା’ ଶୀର୍ଷକ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ ଭୌତିକତା ଉପରେ ମନର ନିୟନ୍ତ୍ରଣ ଜରୁରୀ। ମଣିଷ ମନ, ବୁଦ୍ଧି, ଚିତ୍ତ, ଅହଂକାରକୁ ନିୟନ୍ତ୍ରିତ କରି ମାନସିକ ପ୍ରକ୍ରିୟାରେ ଶୁଦ୍ଧିକରଣ ଆଣିପାରିବ ଯାହା ଚିନ୍ତନ କ୍ଷମତାର ବିକାଶ କରିବା ସଂଗେ ସଂଗେ ମଣିଷର ଶରୀର ଓମନରେ ସାମଗ୍ରୀକ ପରିବର୍ତ୍ତନ ତଥା ଆନନ୍ଦର ନିରନ୍ତରତା ବୃଦ୍ଧିରେ ସହାୟକ ହେବ।
ଏହି ଆଭାସୀ କାର୍ଯ୍ୟକ୍ରମରେ ପ୍ରଫେସର ରାଧାନାଥ ରଥଙ୍କ ସୁପୁତ୍ରୀ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନସ୍ କାଉନ୍ସିଲର ଅଧ୍ୟକ୍ଷା ପ୍ରଫେସର ସଂଗୀତା ରଥ ଉପସ୍ଥିତ ରହି ପ୍ରଫେସର ରଥଙ୍କ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ଜୁଡିସିଆଲ୍ ସାଇନସେସ୍, କୋଲକାତାର ପ୍ରଫେସର ଶ୍ରୀନିବାସଲୁ ପ୍ରଫେସର ରଥଙ୍କର ମନୋବିଜ୍ଞାନକୁ ଅବଦାନ ସଂପର୍କରେ ବ୍ୟାଖା କରିଥିଲେ। ଯୋଗ ଏବଂ ମନୋବିଜ୍ଞାନର ସମନ୍ୱିତ ଅଭ୍ୟାସ ହିଁ ମଣିଷର ବିଗିଡ଼ିଥିବା ଜୀବନ-ଶୈଳୀକୁ ସଜାଡ଼ି ପାରିବ ବୋଲି ପ୍ରଫେସର ଶ୍ରୀନିବାସଲୁ ମତବ୍ୟକ୍ତ କରିଥିଲେ। ଏନ୍.ଆଇ.ଟି. ରାଉରକେଲାର ପ୍ରଫେସର ଆର୍.କେ. ବିଶ୍ୱାଳ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷାବିଭାଗର ବରିଷ୍ଠ ସହକାରୀ ପ୍ରାଧ୍ୟାପକ ଡକ୍ଟର ବି.ସି. ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଭାସୀ କାର୍ଯ୍ୟକ୍ରମ ଆଦିବାସୀ ଗବେଷଣା ଏବଂ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ବିକ୍ରମ ଜେନା ଏବଂ କାର୍ଯ୍ୟକାରୀ ନିର୍ଦ୍ଦେଶକ ରୁଦ୍ର ନାରାୟଣ ଦାଶଙ୍କ ଦ୍ୱାରା ଆୟୋଜିତ ହୋଇଥିଲା।



