www.samajalive.in
Sunday, December 14, 2025
19.1 C
Bhubaneswar

ହିଂସାକାଣ୍ଡ ପଛରେ ବଡ଼ଧରଣର ଷଡ଼ଯନ୍ତ୍ର

ପୁରୀ : ପୁରୀ ବନ୍ଦ ବେଳେ ବୁଧବାର ହିଂସାକାଣ୍ଡ ପାଇଁ ପୂର୍ବରୁ ଷଡ଼ଯନ୍ତ୍ର ହୋଇଥିଲା। ପୋଡାଜଳା ଓ ଭଙ୍ଗାରୁଜା ପାଇଁ କିଛି ବ୍ୟକ୍ତି ଭଡାଟିଆ ଗୁଣ୍ଡାଙ୍କୁ ନିୟୋଜିତ କରିଥିଲେ। ପୁରୀ ଇତିହାସରେ ପ୍ରଥମଥର ୪ଟି ଝୁମ୍ପୁଡି ବସ୍ତିର ଶତାଧିକ ଯୁବକଙ୍କୁ ଟଙ୍କା ଓ ନିଶା ବଣ୍ଟା ଯାଇଥିଲା। ଏଥିପାଇଁ କିଛି ବ୍ୟକ୍ତି ଲକ୍ଷ ଲକ୍ଷ ଟଙ୍କା ସୁପାରି ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ସମେତ ଟାଉନ ଥାନା ଭଙ୍ଗାରୁଜା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଆନ୍ଦୋଳନକୁ ଅଧିକ ତୀବ୍ର କରିବା ପାଇଁ ବଡ଼ଦାଣ୍ଡରୁ ହଟାଯାଇଥିବା କିଛି ଉଠାଦୋକାନୀଙ୍କୁ ଉତ୍ସାହିତ କରାଯାଇଥିଲା। ଗଣ୍ଡଗୋଳ ପାଇଁ ୩ରୁ ୫ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଥିବା ୪ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପର୍କରେ ପୁଲିସ ସୂଚନା ପାଇଛି। ସେମାନଙ୍କ ବିରୋଧରେ ପ୍ରମାଣ ମିଳୁନଥିବାରୁ ଗିରଫ କରାଯାଇ ପାରୁନାହିଁ। ସୁପାରିଦାତାଙ୍କ ମୋବାଇଲ ରେକର୍ଡ ଯାଞ୍ଚ ସମେତ ଗତିବିଧି ଉପରେ ପୁଲିସ ତୀକ୍ଷ୍‍ଣ ନଜର ରଖିଛି। ଗିରଫ ହୋଇଥିବା ୨ଜଣ ଯୁବକ ଏ ସମ୍ପର୍କରେ ପୁଲିସକୁ ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି। ତାହାର ସତ୍ୟତା ନେଇ ପୁଲିସ ଖୋଳତାଡ ଚଳାଇଛି। ହିଂସାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିବାନେଇ ଏସ୍‍ପି ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ସୁପାରି ଦେଇଥିବା ବ୍ୟକ୍ତିମାନେ ରାଜନେତା, ସେବକ ନା ବନ୍ଦଡାକରା ଦେଇଥିବା ସଂଗଠନ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମନ୍ଦିର କାର୍ଯ୍ୟାଳୟ ଭଙ୍ଗାରୁଜା ପୂର୍ବରୁ ଶତାଧିକ ଯୁବକଙ୍କୁ କୋରେକ୍ସ ଏବଂ ନିଶାବଟିକା ବାଣ୍ଟିଥିବା ବ୍ୟକ୍ତିଙ୍କୁ ପୁଲିସ ଖୋଜୁଛି। ଷଡ଼ଯନ୍ତ୍ରକାରୀଙ୍କ ସମ୍ପର୍କରେ ପ୍ରମାଣ ଯୋଗାଡ କରାଯାଉଥିବା ଆରକ୍ଷୀ ଅଧୀକ୍ଷକ କହିଛନ୍ତି। ହିଂସାକାଣ୍ଡରେ ସଂପୃକ୍ତ ଥିବା କେତେକ ସେବକଙ୍କୁ ଗିରଫ ନକରିବା ପାଇଁ ପୁଲିସ ଉପରେ ଘନ ଘନ ଚାପ ପଡୁଛି। ଏଥିପାଇଁ ଗଣ୍ଡଗୋଳ ଅଭିଯୋଗରେ ପୁଲିସ ଏପର୍ଯ୍ୟନ୍ତ ୨୩ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ବ୍ୟାରିକେଡ ଭାଙ୍ଗିଥିବା ଲୋକଙ୍କ ମଧ୍ୟରୁ ଜଣକୁ ହେଲେ ଗିରଫ କରାଯାଇ ନାହିଁ। ତେଣୁ ପୁଲିସ କାର୍ଯ୍ୟାନୁଷ୍ଠାନର ନିରପେକ୍ଷତା ନେଇ ଗିରଫ ଅଭିଯୁକ୍ତଙ୍କ ପରିବାର ଶନିବାର ପ୍ରଶ୍ନ କରିଛନ୍ତି। ଏଥିନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories