ସତ୍ୟବାଦୀରେ ଗୋଷ୍ଠୀ ସଂଘର୍ଷ; ୮ ଅଟକ

ପୁରୀ : ସତ୍ୟବାଦୀରେ ଶନିବାର ରାତିରେ ଦୁଇଗୋଷ୍ଠୀ ମୁହାଁମୁହିଁ ​ହୋଇଛନ୍ତି। ସେଥିରେ ଉଭୟ ପକ୍ଷର ୪ଜଣ ଆହତ ହୋଇଛନ୍ତି। ପୁଲିସ ୮ଜଣଙ୍କୁ ଥାନାରେ ଅଟକ ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ଅହମଦପୁର ଗ୍ରାମର ଜଣେ ବ୍ୟକ୍ତି କେନାଲବନ୍ଧ ରାସ୍ତାଦେଇ ବାଇକରେ ଯିବାବେଳେ ମଲିକସାହିର ଜଣଙ୍କୁ ଧକ୍କା କରିଥିଲେ। ଉଭୟଙ୍କ ମଧ୍ୟରେ ବଚ୍ଚସା ହୋଇଥିଲା। ମଲିକସାହିର କେତେକ ବ୍ୟକ୍ତି ବାଇକ୍ ଚାଳକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପ୍ରଚାରହେବା ପରେ ଅହମଦପୁର ଗ୍ରାମର କିଛି ବ୍ୟକ୍ତି ମଲିକସାହିରେ ପହଞ୍ଚିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ପିଟାପିଟି ହୋଇଥିବା ସତ୍ୟବାଦୀ ଥାନା ପୁଲିସ ସୂଚନା ଦେଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଆକ୍ରମଣରେ ମଲିକସାହିର କେତେକ ଘର ଭାଙ୍ଗିଯାଇଛି। ଏହି ଘଟଣାର ଆପୋଷ ସମାଧାନ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ୟମ ଚାଲିଛି।

Comments are closed.