ସମାଜ ଡିଜିଟାଲ ଡେସ୍କ: ପୁରୀରେ ରଥଯାତ୍ରା ସମୟରେ ଦଳାଚକଟାରେ ୩ଜଣଙ୍କ ମୃତ୍ୟୁ ପରେ ଅନେକ ପ୍ରଶ୍ନ ଉଠିଛି । ସବୁଠାରୁ ବଡ ପ୍ରଶ୍ନ ହେଉଛି ଆମେ କାହିଁକି ଭିଡ଼କୁ ନିୟନ୍ତ୍ରଣ କରିବାରେ ବାରମ୍ବାର ବିଫଳ ହେଉଛୁ । ଶନିବାର ବିଳମ୍ବିତ ରାତିରେ ପୁରୀରେ ଦଳାଚକଟା ବେଳେ ୩ଜଣ ଭକ୍ତଙ୍କ ପ୍ରାଣ ଚାଲିଯାଇଥିଲା, ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ । ଏହା ଏକମାତ୍ର ଘଟଣା ନୁହେଁ । ପୂର୍ବରୁ ପ୍ରୟାଗରାଜ ମହାକୁମ୍ଭ ସମୟରେ ଦଳାଚକଟା ହୋଇଥିଲା, ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି ବେଙ୍ଗାଲୁରୁରେ ଆଇପିଏଲ ବିଜେତା ଦଳ ଆରସିବିକୁ ସ୍ୱାଗତ ସମାରୋହରେ କ୍ରିକେଟ ପ୍ରେମୀଙ୍କ ଭିଡ଼ ବଡିବା ଯୋଗୁ ଦଳାଚକଟା ହୋଇଥିଲା । ଏଥିରେ ମଧ୍ୟ ୧୧ଜଣଙ୍କ ପ୍ରାଣ ଚାଲିଯାଇଥିଲା । ଦେଶରେ ଗୋଟିଏ ପରେ ଗୋଟିଏ ଏହିଭଳି ଘଟଣା ଘଟୁଥିବା ବେଳେ ସେଠାକାର ସରକାର ଏବଂ ପ୍ରଶାସନର ପ୍ରସ୍ତୁତି ଉପରେ ବଡ ପ୍ରଶ୍ନ ଉଠିଛି ।
ପୁରୀ ରଥଯାତ୍ରାରେ ଦଳାଚକଟା କିପରି ଘଟିଲା
ଅଧିକାରୀମାନେ କହିଛନ୍ତି ପୂଜା ପାଇଁ ସାମଗ୍ରୀ ନେଇ ଯାଉଥିବା ଦୁଇଟି ଟ୍ରକ୍ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ପ୍ରବେଶ କରିଥିଲା । ଏହି ଟ୍ରକରେ ମହାପ୍ରଭୁଙ୍କ ରଥ ନିକଟରେ ପହଞ୍ଚିଥିଲା । ଜନଗହଳିପୂର୍ଣ୍ଣ ସ୍ଥାନରେ ପ୍ରବେଶ ହେତୁ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଦଳାଚକଟାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୫୦ଜଣ ଆହତ ହୋଇଥିଲେ । ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜିଲ୍ଲାପାଳ ସିଦ୍ଧାର୍ଥ ଏସ୍. ସ୍ୱାଇନ୍ ଏବଂ ଏସପି ବିନୀତ ଅଗ୍ରୱାଲଙ୍କୁ ବଦଳି କରିଛନ୍ତି । ରଥରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଏକତ୍ରିତ ହୋଇଥିବା ବେଳେ ରବିବାର ଭୋର ପ୍ରାୟ ୪ଟା ବେଳେ ଏହି ଅଘଟଣ ଘଟିଥିଲା ।
ବାଙ୍ଗାଲୋରରେ ଦଳାଚକଟା ଏହିପରି ଘଟିଲା
ପୂର୍ବରୁ ବେଙ୍ଗାଲୁରୁରେ ଦଳାଚକଟା ଯୋଗୁଁ ୧୧ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦୀର୍ଘ ବର୍ଷ ପରେ ଆଇପିଏଲ ଯାଇଟଲ ଜିତିବା ପରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ସମାରୋହର ପ୍ରସ୍ତୁତି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହଜାର ହଜାର କ୍ରିକେଟ ପ୍ରେମୀ ଏକତ୍ରିତ ହେବାରୁୂ ଭିଡ଼ ଅସମ୍ଭାଳ ହୋଇ ଅଘଟଣ ଘଟିଥିଲା । ଯେଉଁଥିରେ କି ୧୧ଜଣଙ୍କ ପ୍ରାଣ ଯାଇଥିଲା, ୫୦ରୁ ଅଧିକ ଆହତ ହୋଇଥିଲା ।
ମହାକୁମ୍ଭ ଅଘଟଣ
ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ହୋଇଥିଲା, ଏଥିରେ ୩୦ଜଣଙ୍କ ଜୀବନ ଚାଲିଗଲା । ମୌନି ଅମାବାସ୍ୟା ପୂର୍ବରୁ ୨୮-୨୯ ଜାନୁଆରୀ ରାତି ୧ରୁ ୨ଟା ମଧ୍ୟରେ ସଙ୍ଗମ ନୋଜରେ ହଠାତ ଭିଡ଼ ବୃଦ୍ଧି ପାଇବାରୁ ଏହି ଅଘଟଣ ଘଟିଥିଲା । ସେଠାରେ ବ୍ୟାରିକେଡ ଭାଙ୍ଗିବାରୁ ଦଳାଚକଟା ହୋଇଥିଲା ।
କୁମ୍ଭମେଳା ହେଉକି ବେଙ୍ଗାଲୁରୁ କାର୍ଯ୍ୟକ୍ରମ କିମ୍ବା ପୁରୀ ରଥଯାତ୍ରା ତିନୋଟି କାର୍ଯ୍ୟକ୍ରମ ପୂର୍ବରୁ ଯୋଜନାବଦ୍ଧ ଥିଲା । ପୁଲିସ ଏବଂ ପ୍ରଶାସନ ଏଥିପାଇଁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରିଥିଲା । ସମସ୍ତେ ଜାଣିଥିଲେ ଯେ ଏପରି କାର୍ଯ୍ୟକ୍ରମରେ ବହୁସଂଖକ ଲୋକ ଯୋଗ ଦିଅନ୍ତି । ତଥାପି, ଦଳାଚକଟା ଘଟଣା ପ୍ରଶ୍ନ ଉଠାଇଥାଏ । ଏଥିରେ ପୁଲିସ ଏବଂ ସ୍ଥାନୀୟ ପ୍ରଶାସନର ଅବହେଳାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ଏଠାରେ ପ୍ରଶ୍ନ ହେଉଛି ସାଧାରଣ ଲୋକମାନେୂ କାହିଁକି ଜନଗହଳିପୂର୍ଣ୍ଣ ସ୍ଥାନରେ କିଛି ସତର୍କତା ଅବଲମ୍ବନ କରନ୍ତି ନାହିଁ ।
ଭିଡ଼ ନିୟନ୍ତ୍ରଣ ସର୍ବଦା ଚ୍ୟାଲେଞ୍ଜ ରହିଆସିଛି
ଯେକୌଣସି ବଡ କାର୍ଯ୍ୟକ୍ରମରେ ଭିଡ଼ ନିୟନ୍ତ୍ରଣ କରିବା ସର୍ବଦା ଏକ ବଡ ଚ୍ୟାଲେଞ୍ଜ ହୋଇଆସିଛି । ବିଶେଷକରି ବଡ କାର୍ଯ୍ୟକ୍ରମ ଏବଂ ଧାର୍ମିକ ସମାରୋହରେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୁଅନ୍ତି । ଏପରି ପରିସ୍ଥିତିରେ ଭିଡ଼ ନିୟନ୍ତ୍ରଣ ପାଇଁ ଆଗୁଆ ପ୍ରସ୍ତୁତି ଆବଶ୍ୟକ । ଏପରି ଘଟଣାରେ ବହୁ ସଂଖ୍ୟକ ଲୋକଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପାରେ । ଯାହାକି ସୁରକ୍ଷା ବ୍ୟବସ୍ଥା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରେ । ପର୍ଯ୍ୟାପ୍ତ ସୁରକ୍ଷାର ଅଭାବ ଭିଡ଼ ନିୟନ୍ତ୍ରଣରେ ଅସୁବିଧା ସୃଷ୍ଟି କରିପାରେ ।



