ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନିରଥ : ଆଜି ଆଡ଼ପ ମଣ୍ଡପ ବିଜେ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ସୋମବାର ପହଞ୍ଚିଛନ୍ତି ତିନିରଥ। ପ୍ରଭୁଙ୍କ ଦର୍ଶନ ପାଇଁ ସେଠାରେ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇବାରେ ଲାଗିଛି। ଦାରୁବ୍ରହ୍ମ ରଥ ଉପରେ ବିଜେ କରିଥିବାବେଳେ ଶ୍ରଦ୍ଧାଳୁମାନେ ତଳେ ଛିଡାହୋଇ ଦର୍ଶନ କରୁଛନ୍ତି। ତିନିରଥ ଚତୁଃପାର୍ଶ୍ବରେ କର୍ଡନ କରାଯାଇଛି। ସଶସ୍ତ୍ର ପୁଲିସ ବାହିନୀ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି। ରଥ ଉପରେ ମହାପ୍ରଭୁଙ୍କ ନୀତିକାନ୍ତି କରାଯାଉଛି। ଆଜି(ମଙ୍ଗଳବାର) ସନ୍ଧ୍ୟାରେ ପ୍ରଭୁଙ୍କୁ ରଥ ଉପରୁ ପହଣ୍ଡି କରି ଆଡପ ମଣ୍ଡପରେ ବିଜେ କରାଯିବ। ବୁଧବାର ଠାରୁ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କୁ ଆଡପ ଅବଢା ମିଳିବ। ସୋମବାର ସକାଳେ ରଥ ଉପରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି, ଅବକାଶ ଓ ବେଶ ଅନୁଷ୍ଠିତ ହୋଇଥିଲା। ଦିନ ୯ଟା ୨୦ରେ ଆରମ୍ଭ ହୋଇଥିଲା ରଥଟଣା। ରଥ ଟାଣିବା ପାଇଁ ଲକ୍ଷାଧିକ ଭକ୍ତ ବଡ଼ଦାଣ୍ଡରେ ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ଘଣ୍ଟୁଆଙ୍କ ମିଳିତ ଘଣ୍ଟ ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ବଡ଼ଦାଣ୍ଡ। ମରୀଚିକୋଟ ଛକରେ ଅଟକି ରହିଥିବା ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପ୍ରଥମେ ଟଣା ଯାଇଥିଲା। ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁମାନେ ଟାଣିଥିଲେ। ଅପରାହ୍ଣ ୨ଟା ୩୫ସୁଦ୍ଧା ରଥଟଣା ଶେଷ ହୋଇଥିଲା। ତିନିରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚିଥିଲେ। ଚଳିତ ବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯୋଗୁ ଦୁଇଦିନ ରଥଟଣା ହୋଇଛି। ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତମାନେ ମହାପ୍ରଭୁଙ୍କ ରଥ ଟାଣିବାର ସୁଯୋଗ ପାଇଛନ୍ତି। ଶ୍ରୀଗୁଣ୍ଡିଚାଠାରୁ ବଡ଼ଦାଣ୍ଡରେ ଅଟକି ରହିଥିବା ତିନିରଥ ଟାଣିଟାଣି ନେଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚା ଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ପୁଲିସ ମହାନିର୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ରଥଟଣା ପରିଚାଳନା କରିଥିଲେ। ସୁରକ୍ଷା ଦାୟିତ୍ୱରେ ୧୮୦ ପ୍ଲାଟୁନ ପୁଲିସଫୋର୍ସଙ୍କ ସମେତ ପ୍ରାୟ ୨ହଜାର ପୁଲିସ ଅଧିକାରୀ ନିୟୋଜିତ ହୋଇଥିଲେ।

Comments are closed.