www.samajalive.in
Saturday, December 6, 2025
15.1 C
Bhubaneswar

ଆଜି ବସିବ ତଦାରଖ କମିଟି ବୈଠକ: ସ୍ପଷ୍ଟ ହେବ ଚିତ୍ର, କେବେ ଖୋଲିବ ରତ୍ନଭଣ୍ଡାର

ପୁରୀ : ଆଜି ବସିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ତଦାରଖ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ମଙ୍ଗଳବାର ନ୍ୟାୟମୂର୍ତ୍ତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଜିଲା କୋଷାଗାରରେ ରହିଥିବା ରତ୍ନଭଣ୍ଡାରର ଡୁପ୍ଲିକେଟ୍‌ ଚାବି ଦାଖଲ କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏହି ଚାବିରେ ଭିତର ରତ୍ନଭଣ୍ଡାର ଖୋଲାଯିବ ନା ଚାବି ଭଙ୍ଗାଯିବ ସେ ସମ୍ପର୍କରେ କମିଟି ନିଷ୍ପତ୍ତି ଗ୍ରହଣ କରିବ। ରତ୍ନଭଣ୍ଡାର ସ୍ଥିତି ତଦାରଖ ସମେତ ମହାପ୍ରଭୁଙ୍କ ମୂଲ୍ୟବାନ ଅଳଙ୍କାରଗୁଡ଼ିକର ଗଣତି ମଣତି ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିବ ତଦାରଖ କମିଟି। ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା ପରେ ଏଥିପାଇଁ ରାଜ୍ୟ ସରକାରଙ୍କଠାରୁ ଅନୁମତି ମଗାଯିବ। ମହାପ୍ରଭୁ ରଥଯାତ୍ରା କରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ବିଜେ କରିଥିବାରୁ ଏହି ସମୟରେ ଭିତର ରତ୍ନଭଣ୍ଡାର ଖୋଲି ଆବଶ୍ୟକ ମରାମତି ସମେତ ଅଳଙ୍କାର ଗଣତି ମଣତି ସହଜ ହେବ। ରଥଯାତ୍ରା ଶେଷ କରି ମହାପ୍ରଭୁ ଆଗାମୀ ୧୯ ତାରିଖରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ତେଣୁ ଏହା ପୂର୍ବରୁ ଭିତର ରତ୍ନଭଣ୍ଡାର ଖୋଲାଯିବା ଯଥେଷ୍ଟ ସମ୍ଭାବନା ରହିଛି। ରତ୍ନଭଣ୍ଡାର ସ୍ଥିତି ଭଲ ନଥିବାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ମରାମତି କରାଯିବ। ତେଣୁ ରତ୍ନଭଣ୍ଡାରରେ ରହିଥିବା ମୂଲ୍ୟବାନ ଅଳଙ୍କାରଗୁଡ଼ିକୁ ସାମୟିକ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସମ୍ଭାବନା ରହିଛି। ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିର ଭିତରେ ଅସ୍ଥାୟୀ ରତ୍ନଭଣ୍ଡାର ପ୍ରସ୍ତୁତ କରାଯିବ। ଏ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଗ୍ରହଣ କରିବ। ରତ୍ନଭଣ୍ଡାର ଖୋଲିବା କାର୍ଯ୍ୟର ତଦାରଖ ଏବଂ ମାର୍ଗଦର୍ଶିକା ପ୍ରସ୍ତୁତି ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଶ୍ରୀ ରଥଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ଗତ ୪ ତାରିଖ ଦିନ ୧୬ ଜଣିଆ କମିଟି ଗଠନ କରିଥିଲେ। ଏହି କମିଟିର ପ୍ରଥମ ବୈଠକ ୬ ତାରିଖରେ ଅନୁଷ୍ଠିତ ହୋଇଥିଲା। ଜିଲା କୋଷାଗାରରେ ରହିଥିବା ଭିତର ରତ୍ନଭଣ୍ଡାରର ଡୁପ୍ଲିକେଟ୍‌ ଚାବି କମିଟି ନିକଟରେ ଦାଖଲ କରିବାକୁ ଅଧ୍ୟକ୍ଷ ଶ୍ରୀ ରଥ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦେଶ ଦେଇଥିଲେ। ତେଣୁ ମଙ୍ଗଳବାର ହେବାକୁ ଥିବା ତଦାରଖ କମିଟି ବୈଠକରେ ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା କରାଯିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନକୁ ଭିତର ରତ୍ନଭଣ୍ଡାରର ଡୁପ୍ଲିକେଟ୍‌ ଚାବି ହସ୍ତାନ୍ତର ପାଇଁ ଜିଲା ଟ୍ରେଜେରୀ ଅଧିକାରୀଙ୍କୁ ଚିଠି ଲେଖା ଯାଇଛି। ଭିତର ରତ୍ନଭଣ୍ଡାର ବାହାର କାନ୍ଥରେ ଫାଟ ସୃଷ୍ଟି ହୋଇ ପାଣି ଗଳୁଥିବା ଲେଜର ସ୍କାନିଂ ରିପୋର୍ଟରୁ ଜଣାପଡ଼ିଛି। ତେଣୁ ରତ୍ନଭଣ୍ଡାର ଖୋଲାଯାଇ ଏଏସ୍‌ଆଇ ମାଧ୍ୟମରେ ମରାମତି କରାଯିବ। ରାଜ୍ୟ ସରକାର ଗଠନ କରିଥିବା କମିଟିରେ ବିଚାରପତି ଶ୍ରୀ ରଥ ଅଧ୍ୟକ୍ଷ ଥିବାବେଳେ ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲାପାଳ, ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅଧୀକ୍ଷକ ଏବଂ ଅନ୍ୟ କେତେକ ବିଶିଷ୍ଟ ବ୍ୟକ୍ତି ସଦସ୍ୟ ରହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories