www.samajalive.in
Saturday, December 6, 2025
14.1 C
Bhubaneswar

ଚନ୍ଦନ ଯାତ୍ରାରେ ବାଣ ବିସ୍ଫୋରଣ ଘଟଣା : ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, କାର୍ଯ୍ୟାନୁଷ୍ଠାନ ଶୂନ୍‌

ପୁରୀ : ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଶନିବାର ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି। ବିସ୍ଫୋରଣରେ ଗୁରୁତର ଆହତ ୨୬ଜଣ ଏବେ ମଧ୍ୟ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି। ଘଟଣାର ତିନି ଦିନ ପରେ ମଧ୍ୟ ରାଜ୍ୟ ସରକାର କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ପୁଲିସର ଚରମ ଅବହେଳା ଯୋଗୁଁ ଏତେବଡ଼ ଘଟଣା ଘଟିଥିବା ଅଭିଯୋଗ ହେଉଛି। ପୁଲିସ ନିଜଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଶ୍ରୀଜୀଉଙ୍କ ଭଉଁରି ଯାତ୍ରାରେ ଆତସବାଜି ପ୍ରଦର୍ଶନ ପାଇଁ ଦୁଇ ଜଣ ବାଣୁଆଙ୍କୁ ନିୟୋଜିତ କରିଥିବା ବ୍ୟକ୍ତିଙ୍କୁ ପୁଲିସ ଏପର୍ଯ୍ୟନ୍ତ ଚିହ୍ନଟ କରିପାରି ନାହିଁ। ପ୍ରକୃତ ଦୋଷୀଙ୍କୁ ସୁରକ୍ଷା ଦେବା ପାଇଁ କେବଳ ଦୁଇ ଜଣ ବାଣୁଆଙ୍କ ନାମରେ କୁମ୍ଭାରପଡ଼ା ଥାନା ପୁଲିସ ମାମଲା ରୁଜୁ କରିଛି। ଗୁରୁବାର ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରୁଥିବାବେଳେ ସନ୍ଧ୍ୟା ୭ରୁ ରାତି ସାଢେ଼ ୧୦ ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବେଆଇନ ଭାବେ ବାଣ ଫୁଟା ଯାଇଥିଲା। ଯେଉଁଠି ବାଣୁଆମାନେ ଗୋଟିଏ ପରେ ଗୋଟିଏ ବାଣ ଫୁଟାଇ ଚାଲିଥିଲେ। ସେଠାରେ ଶହ ଶହ ଭକ୍ତ ବସି ଠାକୁରଙ୍କ ଚନ୍ଦନ ଯାତ୍ରା ଦେଖୁଥିଲେ। ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ବରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହାସତ୍ତ୍ୱେ ବେଆଇନ ଭାବେ ଚାଲିଥିବା ଆତସବାଜି ପ୍ରଦର୍ଶନ ବନ୍ଦ ପାଇଁ ଦାୟିତ୍ବରେ ଥିବା ପୁଲିସ ଅଧିକାରୀମାନେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। ଯେଉଁଥିପାଇଁ ଏତେବଡ଼ ଅଘଟଣ ଘଟିବା ସହ ଜଣେ ଶିଶୁଙ୍କ ସମେତ ୬ଜଣଙ୍କ ଜୀବନ ଚାଲି ଯାଇଛି। ଆଉ ୨୬ ଜଣ ଆହତ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍ସ) ଏବଂ ଗୋଟିଏ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପର୍ଯ୍ୟଟନ ସହର ପୁରୀରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାବେଳେ ବାଣ ବିସ୍ଫୋରଣ ହୋଇ ଛଅ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୁରୀରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଏବଂ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ସ୍ପଷ୍ଟ ପ୍ରମାଣିତ ହୋଇଛି। ଭଉଁରି ତିଥିରେ ଘଟିଥିବା ବାଣ ବିସ୍ଫୋରଣ ଏକ ମନୁଷ୍ୟକୃତ ବିପର୍ଯ୍ୟୟ ହୋଇଥିଲେ ମଧ୍ୟ ତାହାକୁ ଦୁର୍ଘଟଣାର ରୂପ ଦେଇ ଚପାଇ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ କୌଣସି ବରିଷ୍ଠ ପୁଲିସ କିମ୍ବା ପ୍ରଶାସନିକ ଅଧିକାରୀ ଏହି ଘଟଣାର ତଦନ୍ତ ପାଇଁ ଶନିବାର ସନ୍ଧ୍ୟା ସୁଦ୍ଧା ପୁରୀ ଆସି ନାହାନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories