୧୨ ଦିନରେ ଅନବସର ଦର୍ଶନ

0

ପୁରୀ : ମଙ୍ଗଳବାର ୧୨ଦିନରେ ପହଞ୍ଚିଛି ଅଲାରନାଥଙ୍କ ଅନବସର ଦର୍ଶନ। ଆଉ ୨ଦିନ ବାକି ରହିଥିବା ବେଳେ ଭକ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦୈନନ୍ଦିନ ଦେଶର ଅନୁକୋଣରୁ ଭକ୍ତଙ୍କ ସମାଗମ ହେଉଛି ଅଲାରନାଥ ପୀଠକୁ। ବାରିକେଡ ଭିତରେ ଲମ୍ବା ଧାଡିରେ ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପିଇବା ପାଣି ବଣ୍ଟନ କରାଯାଉଛି। ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଯେପରି ପ୍ରତ୍ୟେକ ଦିନ ବିଭିନ୍ନ ବେଶ କରାଯାଇଥାଏ। ସେହିପରି ମହାପ୍ରଭୁ ଅଲାରନାଥଙ୍କୁ ମଧ୍ୟ ଅନବସର ସମୟରେ ଦିନକୁ ୩ଥର ବେଶ କରାଯାଏ। ମହାପ୍ରଭୁ ସମସ୍ତ ନୀତିକାନ୍ତି ଭିତରେ ବେଶ ହେଉଛି ସ୍ୱତନ୍ତ୍ର ନୀତି। ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ୪ଟା ୧୫ରେ ମଙ୍ଗଳ ଆଳତି, ୪ଟା ୩୦ରେ ଅବକାଶ, ୫ଟା ୩୦ରେ ଅନବସର ବେଶ, ଚନ୍ଦନ ତୁଳସୀ ଲାଗିହୋଇ ସକାଳ ୬ଟାରେ ଶ୍ରୀଜୀଉ ସର୍ବସାଧାରଣକୁ ଦର୍ଶନ ଦେଇଥିଲେ। ଦିନ୧୨ଟାରେ ସକାଳଧୂପ,୧ଟା୩୦ରେ ଖିରି ପ୍ରସାଦ ଭୋଗ ହୋଇ ଦିନ ୨ଟାରେ ଶ୍ରୀଜୀଉଙ୍କ ପହଡ ପଡିଥିଲା। ୨ଟା୧୫ରେ ଶ୍ରୀଜୀଉ ପୁନର୍ବାର ସର୍ବସାଧାରଣଙ୍କୁ ଦର୍ଶନ ଦେଇଥିଲେ। ସନ୍ଧ୍ୟା ୭ଟାରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତି ଓ ମଇଲମ ପରେ ଅନବସର ବେଶ ହୋଇଥିଲା। ରାତ୍ର ୯ଟାରେ ସନ୍ଧ୍ୟା ଧୂପ ଓ ୧୦ଟାରେ ମହାପ୍ରଭୁଙ୍କ ବଡସିଂହାର ବେଶ କରାଯାଇଥିଲା। ପ୍ରଶାସନ ପକ୍ଷରୁ ଶ୍ରୀଜୀଉଙ୍କ ନୀତିରେ ଲାଗି ହେଉଥିବା ଭୋଗ ଅନ୍ନ, ଖେଚୁଡି, ମିଠାଅନ୍ନ, ଡାଲି, ଡାଲମା, ବେଶର, ମହୁର, ଖଟା, ସାଗ ଓ ଖିରି ପ୍ରସାଦ ସହିତ ଶୁଖିଲି ଭୋଗ ପାଇଁ ଆନନ୍ଦ ବଜାରରେ ଭକ୍ତଙ୍କର ଭିଡ ଲାଗିରହିଥିଲା। ଶ୍ରୀଜୀଉଙ୍କ ପ୍ରିୟ ଭୋଗ ଖିରି ପ୍ରସାଦ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଷ୍ଠା ଦେଖା ଦେଇଛି।

Leave A Reply