ଦର୍ଶନ ପାଇଁ ଭକ୍ତ ଆତୁର

0

ପୁରୀ :ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇଛନ୍ତି ଭକ୍ତ । ଦେବସ୍ନାନ ପୂର୍ଣ୍ଣିମା ପରଦିନଠାରୁ ପ୍ରଭୁଙ୍କ ଦର୍ଶନ ମିଳିନାହିଁ । ଜ୍ୱରରେ ପୀଡିତ ହୋଇ ଶ୍ରୀମନ୍ଦିର ଅଣସର ଘରେ ବିଶ୍ରାମ ନେଇଥିଲେ ମହାପ୍ରଭୁ । ମହୌଷଧି ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ପ୍ରିୟ ଭକ୍ତଙ୍କୁ ନଦେଖି ଅଣସର ଘରେ ବ୍ୟଥିତ ହେଉଛନ୍ତି କାଳିଆ ଠାକୁର । କୋଟି କୋଟି ଲୋକଙ୍କ ପ୍ରାଣର ଦେବତା ସିଏ। ପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତ ଯେତିକି ଆତୁର ଭକ୍ତଙ୍କ ପାଇଁ ମହାପ୍ରଭୁ ସେତିକି ବ୍ୟାକୁଳ । ଏଥିପାଇଁ ତାଙ୍କୁ ଭକ୍ତବତ୍ସଳ ବୋଲି କୁହାଯାଏ । ଦାରୁବ୍ରହ୍ମ ନବଯୌବନ ରୂପରେ ଆଗାମୀ ଶୁକ୍ରବାର ଅମାବାସ୍ୟା ଦିନ ଭକ୍ତଙ୍କୁ ଦର୍ଶନ ଦେବେ । ଭକ୍ତ ଓ ଭଗବାନଙ୍କ ମହାମିଳନ ଘଟିବ। ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଉଠିବ ଶ୍ରୀମନ୍ଦିର । ମହାପ୍ରଭୁଙ୍କ ଚକା ଚକା ଆଖିକୁ ଦେଖି ଭାବ ଓ ଭକ୍ତିରେ ନିମଗ୍ନ ହୋଇଯିବେ ହଜାର ହଜାର ଭକ୍ତ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ନୀତିନିର୍ଘଣ୍ଟ ଅନୁଯାୟୀ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଭିତରକାଠ ପାଖରୁ ପରିମାଣିକ ଦର୍ଶନ ଅନୁଷ୍ଠିତ ହେବ । ଏହାପରେ ଦିନ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନର କାର୍ଯ୍ୟକ୍ରମ ରହିଛି । ଶନିବାର ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଥିବାରୁ ଶୁକ୍ରବାର ମାତ୍ର ୩ଘଣ୍ଟା ପାଇଁ ନବଯୌବନ ଦର୍ଶନର ସୁଯୋଗ ମିଳିବ । ଏହାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେତ୍ରୋତ୍ସବ ବନ୍ଦାପନା କରାଯିବ। ପରଦିନ ରଥଯାତ୍ରା ପାଇଁ ଦଇତାପତିମାନେ ପ୍ରଭୁଙ୍କୁ ପ୍ରସ୍ତୁତ କରିବେ । ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ଶନିବାର ଭାଇଭଉଣୀଙ୍କ ସହ ଶ୍ରୀଜଗନ୍ନାଥ ନବଦିନବ୍ୟାପୀ ଘୋଷଯାତ୍ରା କରିବେ । ବଡ଼ଦାଣ୍ଡରେ ଶରଧାବାଲି ଅଭିମୁଖେ ଗଡ଼ିବ ତିନିରଥ । ସବୁ ଧର୍ମ, ଜାତି ଓ ବର୍ଣ୍ଣର ଲୋକଙ୍କୁ ରଥରେ ବସି ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀଗୁଣ୍ଡିଚା ମନ୍ଦିରସ୍ଥିତ ଆଡ଼ପମଣ୍ଡପରେ ଆଗାମୀ ୨୨ତାରିଖ ସକାଳ ପର୍ଯ୍ୟନ୍ତ ମହାପ୍ରଭୁ ଅବସ୍ଥାନ କରିବେ । ସେହିଦିନ ବାହୁଡାଯାତ୍ରା ଅନୁଷ୍ଠିତ ହେବ । ପୁଣିଥରେ ରଥରେ ବସି ସିଂହଦ୍ୱାର ଅଭିମୁଖେ ବାହୁଡିବେ ପରଂବ୍ରହ୍ମ । ଏହି ଯାତ୍ରାକୁ ପତିତପାବନ ଯାତ୍ରା, ଦକ୍ଷିଣାଭିମୁଖୀ ଯାତ୍ରା ଏବଂ ଆଡପମଣ୍ଡପ ଯାତ୍ରା କୁହାଯାଏ । ଶ୍ରୀମନ୍ଦିରରେ ପ୍ରବେଶ ଅଧିକାର ନଥିବା ଅଣହିନ୍ଦୁ ଭକ୍ତମାନେ ରଥଯାତ୍ରାରେ ମହାପ୍ରଭୁଙ୍କୁ ମନଖୋଲି ଦର୍ଶନ କରିବାର ସୁଯୋଗ ପାଇଥାଆନ୍ତି । ରଥଯାତ୍ରା ଆଉ ୩ଦିନ ବାକିଥିବାରୁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟୁଛି । କାଳିଆ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ହୃଦୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି ।

Leave A Reply