ଛାତ୍ରଛାତ୍ରୀଙ୍କୁ ନିମ୍ମମାନର ଖାଦ୍ୟ ଦିଆଯାଉଥିବା ନେଇ ବିଦ୍ୟାଳୟରେ ଉତ୍ତେଜନା

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ମେଦିନପୁର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ନିମ୍ମମାନର ଖାଦ୍ୟ ଦିଆଯାଉଥିବା ନେଇ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇବା ସହ ପ୍ରଧାନ ଶିକ୍ଷକଙ୍କୁ କଞ୍ଚାଅଣ୍ଡା ଖୁଆଇଛନ୍ତି ଗ୍ରାମବାସୀ। ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଆଜି ଧାରଣା ଦେଇଥିଲେ ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କିଛିଦିନ ହେଲା ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀମାନଙ୍କୁ ଦରସିଝା ଭାତ ଏବଂ କଞ୍ଚାଅଣ୍ଡା ଦିଆଯାଉଥିବାରୁ କିଛି ଅସୁସ୍ଥ ହୋଇଥିଲେ । ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  କୁଳମଣି ସେଠୀଙ୍କୁ ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯିବାରୁ ଆଜି ଗ୍ରାମବାସୀ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେବା ସହ ପ୍ରଧାନ ଶିକ୍ଷକଙ୍କ ବଦଳି ଦାବି କରିଛନ୍ତି।

ତେବେ ଏହି ଘଟଣା ଉପରେ ପ୍ରଧାନଶିକ୍ଷକ କୁଳମଣି ସେଠୀଙ୍କୁ ପଚାରିବାରୁ ସେ ନିଜ ଉପରୁ ଦୋଷ ଛଡାଇ ଓଲଟା ବିଦ୍ୟାଳୟର ରୋଷେୟା ଏବଂ ସରକାରଙ୍କ  ଉପରେ ଦୋଷାରୋପ କରିଛନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଦୀର୍ଘ ସମୟ ଧରି ଗ୍ରାମବାସୀଙ୍କ ଧାରଣା ପରେ ଖବର ପାଇ  ଘଟଗାଁ ଏବିଇଓ ବେଣୁଧର ଆଚାର୍ଯ୍ୟ ଏବଂ ସିଆରସିସି ଧରଣୀଧର ମହାନ୍ତ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ବିଦ୍ୟାଳୟରୁ ତାଲା ଖୋଲିଥିଲେ ଗ୍ରାମବାସୀ। ତେବେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଗ୍ରାମବାସୀ ଏକ ଦାବିପତ୍ର ଏବିଇଓ ଆଚାର୍ଯ୍ୟଙ୍କୁ ପ୍ରଦାନ କରିଛନ୍ତି। ଯଦି ପ୍ରଧାନ ଶିକ୍ଷକଙ୍କ ବଦଳି ନହୁଏ ତେବେ  ପୁଣି ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି।

Comments are closed.