ଲାଞ୍ଜିଗଡ: ଭୂମିହୀନ ଓ ଗୃହହୀନ ଲୋକଙ୍କୁ ଚାଷଜମି ଓ ଘରଡିହ ପଟ୍ଟା ପ୍ରଦାନ, ଜଙ୍ଗଲ ଜମିରେ ଚାଷ ବାସ କରି ଆସୁଥିବା ଆଦିବାସୀ ଓ ପାରମ୍ପରିକ ବନଜୀବୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା, ବ୍ଳକର ବିଭିନ୍ନ ଗାଁରେ ଶିକ୍ଷା ଓ ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ଏଭଳି ଅନେକ ଦାବିକୁ ନେଇ ଆଜି ଅଖିଳ ଭାରତ କିଶାନ୍ ମଜଦୁର୍ ସଭା ପକ୍ଷରୁ ପଦଯାତ୍ରା ଓ ବିକ୍ଷୋଭ କରାଯାଇଛି।
ଲାଞ୍ଜିଗଡ ବ୍ଳକର ଲାଞ୍ଜିଗଡରୁ ବିଶ୍ଵନାଥପୁର ପର୍ୟ୍ୟନ୍ତ ଆୟୋଜିତ ଏହି ପଦଯାତ୍ରାରେ କିଶାନ୍ ମଜଦୁର୍ ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଲାଞ୍ଜିଗଡ ବ୍ଳକ୍ କମିଟି ଆବାହକ ପୂର୍ଣ୍ଣ ମାଝି, ସହ ଆବାହକ ପୁରନ୍ଦର ଦଣ୍ଡସେନା, ନିରଞ୍ଜନ ଆଚାର୍ୟ୍ୟ, ଯୁବନେତା ପଦ୍ମନାଭ ଚୌଧୁରୀ, ସାମାଜିକ କର୍ମୀ ଲକ୍ଷ୍ମୀ ନୃସିଂହ, ଆଦିବାସୀ ନେତା ବନମାଳୀ ମାଝୀ, ଅମ୍ବୁ ନାୟକ, ରାଜ୍ୟ କମିଟି ସଭ୍ୟ ସୁବାଷ କୁଲେସିକା, ଗଣେଶ ଜାକାସିକା, ରାଜେନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ପରେ ସ୍ଥାନୀୟ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଜି ମଧ୍ୟ ଲାଞ୍ଜିଗଡ଼ର ଉପାନ୍ତ ଅଞ୍ଚଳରେ ଥିବା ଅନେକ ଗାଁ ସରକାରଙ୍କ ମୋଲିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ସରକାର ସେମାନଙ୍କୁ ସଦାବେଳେ ଅଣଦେଖା କରି ଆସୁଛନ୍ତି । ସରକାରୀ ଅଧିକାରୀଙ୍କ ଏହି ଅଣଦେଖାକୁ ଆଜି ପ୍ରବଳ ବିରୋଧ କରିଛନ୍ତି ଦୁର୍ଗମ ଅଞ୍ଚଳବାସୀ। ସଂଗଠନ ପକ୍ଷରୁ ଏକ ସାତ ଜଣିଆ ପ୍ରତିନିଧି ଦଳ ତହସିଲଦାର ମୁନିନ୍ଦ୍ର ହୋନ୍ନଗାଙ୍କୁ ଭେଟି ଛଅ ଦଫା ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।



