ରାଜଧାନୀ ଡାକ୍ତରଖାନା : କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ, ସ୍ବାସ୍ଥ୍ୟ ସେବା ଠପ୍ ନେଇ ଆଶଙ୍କା !

ବରିଷ୍ଠଙ୍କୁ ଉପେକ୍ଷା, କନିଷ୍ଠଙ୍କୁ ଦାୟିତ୍ୱ

ଭୁବନେଶ୍ୱର :  କରୋନା ତୃତୀୟ ତରଙ୍ଗ ନେଇ ସରକାର  ସ୍ବାସ୍ଥ୍ୟ ସେବାକୁ ସଜାଡିବାରେ ଲାଗିଥିବା ବେଳେ ରାଜଧାନୀ (କ୍ୟାପିଟାଲ ହସପିଟାଲ) ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ଠପ୍ ନେଇ ଆଶଙ୍କା ଦେଖା ଦେଇଛି। କାରଣ କର୍ମଚାରୀଙ୍କ ମଧ୍ୟରେ ଦାନା ବାନ୍ଧିଥିବା ଅସନ୍ତୋଷ ଏବେ ବିସ୍ଫୋରକ ରୂପ ନେବାକୁ ଯାଉଛି। ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବାର ମଙ୍ଗ ଧରିଥିବା ସେବିକାମାନେ ଏବେ ଅନେକ ଅସନ୍ତୋଷ ଓ ମାନସିକ ଚାପ ମଧ୍ୟରେ କାର୍ଯ୍ୟ କରୁଛନ୍ତି। ଡାକ୍ତରଖାନାର ବିଭିନ୍ନ ୱାର୍ଡରେ କାର୍ଯ୍ୟରତ ବିଭିନ୍ନ ବରିଷ୍ଠ ଓ ଅଭିଜ୍ଞତା ସଂମ୍ପନ୍ନ ସେବିକାଙ୍କୁ ବାରମ୍ବାର ଅଣଦେଖା କରାଯାଉଛି। ଯାହା ପରୋକ୍ଷରେ ସ୍ବାସ୍ଥ୍ୟ ସେବା ପରିଚାଳନାକୁ ପ୍ରଭାବିତ କରିବ।

ପ୍ରାୟ ମାସେ ହେବ ବରିଷ୍ଠ ଓ ଅଭିଜ୍ଞତା ସଂମ୍ପନ୍ନ କର୍ମଚାରୀଙ୍କୁ ଉପେକ୍ଷା କରାଯାଇଛି। କନିଷ୍ଠ ମାନଙ୍କୁ ବିଭିନ୍ନ ୱାର୍ଡର ମୁଖ୍ୟ ପରିଚାଳନା ଦାୟିତ୍ୱ ଦିଆଯାଇଛି । ସରକାରୀ ନିୟମ ଅନୁସାରେ ବରିଷ୍ଠ ଓ ଅଭିଜ୍ଞତା ସଂମ୍ପନ୍ନ କର୍ମଚାରୀଙ୍କୁ ବିଭିନ୍ନ ଗୁରୁ ଦାୟିତ୍ୱ ଦିଆଯିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହାକୁ ଖୋଲାଖୋଲି ଉଲଂଘନ କରାଯାଇଛି। ଯେଉଁ ମାନେ ବିଭିନ୍ନ ୱାର୍ଡରେ ଦୀର୍ଘ ଦିନ ହେବ କାର୍ଯ୍ୟ କରୁଛନ୍ତି ଏବଂ ୱାର୍ଡ ପରିଚାଳନା ଦିଗରେ ଯେଉଁମାନଙ୍କର ଅଭିଜ୍ଞତା ରହିଛି ସେମାନଙ୍କୁ ଅଣଦେଖା କରାଯାଇଛି। ଟାଳଟୁଳ ନୀତି ଅବଳମ୍ବନ କରାଯାଇ କମ୍ ଦିନ ହେବ କେତେକ ୱାର୍ଡରେ କାର୍ଯ୍ୟ କରୁଥିବା ଓ ରାଜନୈତିକ ଚାପରେ ସେମାନଙ୍କୁ ବିଭିନ୍ନ ୱାର୍ଡର ମୁଖ୍ୟ ପରିଚାଳନା ଦାୟିତ୍ୱ ଦିଆଯାଇଛି ବୋଲି ଅଭିଯୋଗ ହେଉଛି। କନିଷ୍ଠମାନଙ୍କୁ ଦାୟିତ୍ୱ ଦେବା ଦ୍ୱାରା ପ୍ରକୃତରେ ଏଥିପାଇଁ ହକଦାର ଥିବା ବରିଷ୍ଠ କର୍ମଚାରୀମାନ ମାନସିକ ଅଶାନ୍ତି ଓ ଚାପ ମଧ୍ୟରେ କାର୍ଯ୍ୟ କରୁଛନ୍ତି। ଏପରିକି କମ୍ ଦିନର ଚାକିର ଓ  ୱାର୍ଡ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ନ ଥିବା ସେବିକାମାନଙ୍କୁ ଦାୟିତ୍ଵ ଦିଆଯାଇଛି। କିନ୍ତୁ ସେହି ୱାର୍ଡରେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ବରିଷ୍ଠ ସେବିକାମନଙ୍କୁ ଉପେକ୍ଷା କରାଯାଇଛି। ଯାହାକୁ ନେଇ ବିଭିନ୍ନ କର୍ମଚାରୀ ମହଲରେ ଅସନ୍ତୋଷ ଲାଗି ରହିଛି। ଗତ ଏକ ମାସ ହେବ ଏ ନେଇ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଛି। କିନ୍ତୁ ଡାକ୍ତରଖାନାର ଉଚ୍ଚ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଛନ୍ତି।

ବର୍ଷର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହୁଥିବା ରାଜଧାନୀ (କ୍ୟାପିଟାଲ ହସପିଟାଲ) ଡାକ୍ତରଖାନାରେ ଏବେ ରାଜନୈତିକ ଚାପ ଓ କେତେକ ବରିଷ୍ଠ ସେବିକା ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସଲାସୁତୁରାରେ ଏଭଳି କାର୍ଯ୍ୟ ଚାଲିଥିବା ଅଭିଯୋଗ ହେଉଛି। ସ୍ୱାସ୍ଥ୍ୟସେବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବରିଷ୍ଠ ମାନଙ୍କୁ ସବୁକ୍ଷେତ୍ରରେ ଅଗ୍ରାଧିକାର ଦେବାର ନିୟମ ଥିଲେ ମଧ୍ୟ ଏହାକୁ ବିଚାରକୁ ନିଆଯାଇ ନାହିଁ। ବରିଷ୍ଠମାନଙ୍କୁ ଅଣଦେଖା କରାଯାଇ ଏଭଳି କାର୍ଯ୍ୟ କରାଯିବାର ଭିତିରି ରହସ୍ୟ କ’ଣ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ତଦନ୍ତ ସାପେକ୍ଷ ବୋଲି ବିଭିନ୍ନ କର୍ମଚାରୀ ମହଲର ଅଭିଯୋଗ ହେଉଛି। ସରକାର ସ୍ୱାସ୍ଥ୍ୟସେବାକୁ ୫-ଟି ଅଧିନକୁ ନେଇଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ ଏହାର ସ୍ୱଚ୍ଛତା ନେଇ ତଦନ୍ତ କରିବା ଆବଶ୍ୟକ।

ଅନ୍ୟପକ୍ଷରେ କରୋନାର ଦ୍ବିତୀୟ ତରଙ୍ଗର ପ୍ରଭାବ କମି ନ ଥିବା ବେଳେ ଓ ଆଗକୁ ତୃତୀୟ ତରଙ୍ଗର ବିପଦ ସମ୍ଭାବନା ଥିବାରୁ ରାଜଧାନୀ ଡାକ୍ତରଖାନାରେ ଏଭଳି ଅବ୍ୟବସ୍ଥା ଆଗକୁ ନୂଆ ସମସ୍ୟା ଯେ ସୃଷ୍ଟି ନ କରିବ କିଏ କହିବ ? କାରଣ ପ୍ରକୃତରେ ରୋଗୀ ସେବା ସହ ପ୍ରତ୍ୟେକ୍ଷ ଭାବେ ଜଡିତ କର୍ମଚାରୀଙ୍କୁ ଅଣ ଦେଖା କରାଯିବା କେତେ ଯଥାର୍ଥ ତାହା ବିଚାର କରିବା ଆବଶ୍ୟକ।

 

 

Comments are closed.