ପ୍ରୋ ଲିଗ୍‌ ହକି, ଅଷ୍ଟ୍ରେଲିଆର ୨ୟ ବିଜୟ

ରାଉରକେଲା: ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି ୨୦୨୨-୨୩ ରେ ଅଷ୍ଟ୍ରେଲିଆ ଦ୍ବିତୀୟ ବିଜୟ ହାସଲ କରିଛି। ମଙ୍ଗଳବାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ପ୍ରଥମ ରାଉଣ୍ଡ ମ୍ୟାଚରେ ପରାଜିତ ହୋଇଥିବା ଅଷ୍ଟ୍ରେଲିଆ ପ୍ରତିଶୋଧ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା। ୧୧ ମିନିଟ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଜ୍ୟାକ୍‌ ୱେଲଟ୍‌ନ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ । ଏହାର ୩ ମିନିଟ୍‌ ବ୍ୟବଧାନ ପରେ ଅଷ୍ଟ୍ରେଲିଆ ଦ୍ବିତୀୟ ଗୋଲ ସ୍କୋର କରିଥିଲା। ୧୪ ମିନିଟ୍‌ରେ ଅଷ୍ଟ୍ରେଲିଆକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଜ୍ୟାକ୍‌ ୱେଲ୍‌ଚ ଗୋଲରେ ପରିଣତ କରି ଦଳକୁ ୨-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟର ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟର ତଥା ଖେଳର ୨୨ ମିନିଟ୍‌ରେ ଜର୍ମାନୀକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଗୋଞ୍ଜାଲୋ ପିଲାଟ୍‌ ଗୋଲରେ ପରିଣତ କରି ମ୍ୟାଚକୁ ୧-୨ ସ୍ତରକୁ ଆଣିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଅଷ୍ଟ୍ରେଲିଆ ୨-୧ ଗୋଲରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟର ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଅନ୍ତିମ କ୍ବାର୍ଟରରେ ଜର୍ମାନୀ ଗୋଲ ବରାବର କରିବା ନେଇ ଉଦ୍ୟମ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ କୌଣସି ସୁଯୋଗ ଦେଇନଥିଲା । ଶେଷରେ ଅଷ୍ଟ୍ରେଲିଆ ମ୍ୟାଚକୁ ୨-୧ ଗୋଲରେ ଜିତିବାରେ ସଫଳ ହୋଇଥିଲା। ଅଷ୍ଟ୍ରେଲିଆର ଜ୍ୟାକ୍‌ ୱେଲଟନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ପ୍ରଥମ ରାଉଣ୍ଡ ମ୍ୟାଚରେ ଜର୍ମାନୀ ୧-୦ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ବିଶ୍ବ ବିଜେତା ଜର୍ମାନୀ ୮ଟି ମ୍ୟାଚରୁ ୩ଟି ବିଜୟ, ଗୋଟିଏ ସୁଟ୍‌ଆଉଟ୍‌ ପରାଜୟ ଓ ୪ଟି ପରାଜୟ ସହ ୧୧ ପଏଣ୍ଟ ପାଇ ଗ୍ରୁପର ୪ର୍ଥ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୭ଟି ମ୍ୟାଚରୁ ୨ଟି ବିଜୟ, ଗୋଟିଏ ସୁଟ୍‌ଆଉଟ୍‌ ପରାଜୟ ଓ ୪ଟି ପରାଜୟ ସହ ୭ପଏଣ୍ଟ ପାଇ ଟେବୁଲର ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଅଷ୍ଟ୍ରେଲିଆ ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ବୁଧବାର ଭାରତ ବିପକ୍ଷରେ ୮ମ ମ୍ୟାଚ ଖେଳିବ।

Comments are closed.