www.samajalive.in
Sunday, December 7, 2025
18.1 C
Bhubaneswar

ପୃଥ୍ବୀ ସ’ଙ୍କ ଡୋପ୍‌ ପରୀକ୍ଷାକୁ ନେଇ ସନ୍ଦେହ

ମୁମ୍ବଇ : ଭାରତୀୟ ଯୁବ ଓପନର୍‌ ପୃଥ୍ବୀ ସ’ ଡୋପ୍‌ ପରୀକ୍ଷାରେ ବିଫଳ ହୋଇ କ୍ରିକେଟ୍‌ରୁ ବାସନ୍ଦ ହୋଇଛନ୍ତି। କାଶରୁ ରକ୍ଷା ପାଇବାକୁ ପୃଥ୍ବୀ ନିଷିଦ୍ଧ ଦ୍ରବ୍ୟ ଥିବା କଫ୍‌ ସିରପ୍‌ ପିଇ ଦେଇଥିବାରୁ ତାଙ୍କୁ ବାସନ୍ଦ କରାଯାଇଥିବା ବିସିସିଆଇ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା। ତେବେ ପୃଥ୍ବୀଙ୍କ ଡୋପ୍ ପରୀକ୍ଷାକୁ ନେଇ ବର୍ତ୍ତମାନ ସମୟରେ ସନ୍ଦେହ ପ୍ରକାଶ ପାଇଛି।
ଗତ ପେବୃଆରୀରେ ମୁମ୍ବଇ ଦଳ ତରଫରୁ ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ଖେଳୁଥିବା ବେଳେ ନିଷିଦ୍ଧ ଦ୍ରବ୍ୟ ଥିବା କଫ୍‌ ସିରପ୍‌ ପିଇଥିଲେ ବୋଲି ବିସିସିଆଇ ତରଫରୁ ସୂଚନା ଦିଆଯାଇଥିଲା। ତେବେ ଏହାକୁ ନେଇ ଭିନ୍ନ ମତ ପୋଷଣ କରିଛନ୍ତି ମୁମ୍ବଇ ଦଳର ପ୍ରଶିକ୍ଷକ ବିନାୟକ ସାମନ୍ତ ଓ ଫିଜିଓ ଦୀପ୍‌ ତୋମର। ମୁସ୍ତାକ ଅଲ୍ଲି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ବେଳେ ପୃଥ୍ବୀଙ୍କୁ ଥଣ୍ଡା କିମ୍ବା କାଶ ହୋଇଥିବା ସେମାନେ ଜାଣିନଥିବା କହିଛନ୍ତି। ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ବେଳେ ପୃଥ୍ବୀଙ୍କୁ ସାମାନ୍ୟ ଜ୍ବର ହୋଇଥିଲା। ତେବେ ତାଙ୍କଠାରେ ଥଣ୍ଡା କିମ୍ବା କାଶର କୌଣସି ଲକ୍ଷଣ ନ ଥିବା ସାମନ୍ତ ଓ ତୋମର ସ୍ପଷ୍ଟ କରି ଦେଇଛନ୍ତି। ମୁମ୍ବଇ ଦଳର ମ୍ୟାନେଜର ଗଣେଶ ଆୟାର ମଧ୍ୟ ସମାନ ମତ ଦେଇଥିବାରୁ ପୃଥ୍ବୀଙ୍କ ଡୋପ୍‌ ପରୀକ୍ଷାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ପୃଥ୍ବୀଙ୍କ ଡୋପ୍‌ ମାମଲା ସଂପର୍କରେ ବିସିସିଆଇ ତରଫରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ବିସିସିଆଇର ଆଣ୍ଟି ଡୋପିଂ ମ୍ୟାନେଜର ଅଭିଜିତ୍‌ ସାଲଭି, ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ତୁଫାନ୍‌ ଘୋଷ ଓ ମୁଖ୍ୟ ଫିଜିଓ ଆଶିଷ କୌଶିକ ଏହି ରିପୋର୍ଟ ପ୍ରସ୍ତୁତ କରିଥିଲେ। ରିପୋର୍ଟର ବିବରଣୀ ଅନୁଯାୟୀ ସୟଦ ମୁସ୍ତାକ ଅଲ୍ଲି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ବେଳେ ପୃଥ୍ବୀଙ୍କୁ ଥଣ୍ଡା ଓ କାଶ ହୋଇଥିଲା। ସେ ଫୋନ୍‌ ଯୋଗେ ନିଜ ବାପାଙ୍କୁ ଯୋଗାଯୋଗ କରିବା ପରେ ତାଙ୍କ ବାପା ନିକଟସ୍ଥ ଔଷଧ ଦୋକାନକୁ ଯାଇ କଫ୍‌ ସିରପ୍‌ କିଣି ପିଇ ଦେବାକୁ କହିଥିଲେ। ପୃଥ୍ବୀ ସେହି ଅନୁଯାୟୀ ନିକଟସ୍ଥ ଔଷଧ ଦୋକାନକୁ ଯାଇ କଫ୍‌ ସିରପ୍‌ କିଣି ପିଇ ଦେଇଥିଲେ। ସେଥିରେ ନିଷିଦ୍ଧ ଦ୍ରବ୍ୟ ଥିଲା ଯାହାକି ଡୋପ୍‌ ପରୀକ୍ଷାରୁ ଜଣାପଡ଼ିଲା।
ତେବେ ଏହି ରିପୋର୍ଟକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୃଥ୍ବୀଙ୍କୁ ଜାଣିଥିବା ବ୍ୟକ୍ତିଙ୍କ ଅନୁଯାୟୀ ବାପାଙ୍କ ସହ ତାଙ୍କର ଏତେଟା ଘନିଷ୍ଠତା ନାହିଁ। ସେ ଗତ ୧୦ ବର୍ଷ ହେବ ଶିବସେନା ବିଧାୟକ ସଞ୍ଜୟ ପଟନିସ୍‌ଙ୍କ ଘରେ ରହୁଛନ୍ତି। ତେଣୁ ସେ ନିଜ ବାପାଙ୍କୁ ଫୋନ୍‌ କରି ଚିକିତ୍ସା ପାଇଁ ପରାମର୍ଶ ମାଗିବା ଅଯୁକ୍ତିକର। ସେହିପରି ସେ କେଉଁ କଫ୍‌ ସିରପ୍‌ ପିଇଥିଲେ ସେ ସଂପର୍କରେ ପୃଥ୍ବୀ କୌଣସି ସୂଚନା ଦେଇ ପାରିନଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ସେହି ଔଷଧ ଦୋକାନରେ ମିଳୁଥିବା ଅଧିକାଂଶ କଫ୍‌ ସିରପ୍‌ରେ ନିଷିଦ୍ଧ ଦ୍ରବ୍ୟ ଟର୍ବୁଟାଲାଇନ୍‌ ଥିବା ପୃଥ୍ବୀ କହିଥିବା ରିପୋର୍ଟରେ ଦର୍ଶାଯାଇଛି। କଫ୍‌ ସିରପ୍‌ରେ ନିଷିଦ୍ଧ ଦ୍ରବ୍ୟ ଥିବା ଜାଣି ସୁଦ୍ଧା ପୃଥ୍ବୀ ତାହାକୁ ପିଇଥିବା ବିଷୟ ଗ୍ରହଣଯୋଗ୍ୟ ନୁହେଁ ବୋଲି ଆଲୋଚନା ହେଉଛି। ପୃଥ୍ବୀ ସ’ଙ୍କ ଡୋପ୍‌ ପରୀକ୍ଷାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବାରୁ ବିସିସିଆଇ ଏ ସଂପର୍କରେ ସ୍ପଷ୍ଟ ସୂଚନା ଦେଉ ବୋଲି କେତେକ ମହଲରୁ ଦାବି ହେଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories