www.samajalive.in
Sunday, December 7, 2025
18.1 C
Bhubaneswar

ନିଶ୍ଚିହ୍ନ ହୋଇଯିବ ବଗଲା ଧର୍ମଶାଳା; ଜମି ବିକ୍ରିକୁ ବ୍ରଜ, ମହେଶ୍ବର ଓ ଜୟନ୍ତଙ୍କ ବିରୋଧ

ପୁରୀ: ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯିବ ବଗଲା ଧର୍ମଶାଳାର ପରିଚୟ। ଦାନରେ ମିଳିଥିବା ଧର୍ମଶାଳା ଜମିରେ ନିର୍ମାଣ ହେବ ୨୬ଟି ବ୍ୟବସାୟିକ ଅଟ୍ଟାଳିକା। ସ୍ବଳ୍ପ ମୂଲ୍ୟରେ କୋଠରି ପାଇବାରୁ ବଞ୍ଚିତ ହେବେ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ। ପୁରୀ ବଡ଼ଦାଣ୍ଡରେ ରହିଥିବା ବଗଲା ଧର୍ମଶାଳା ଜମି ବିକ୍ରି ପଛରେ ବଡ଼ ଧରଣର ଷଡ଼ଯନ୍ତ୍ର ରହିଥିବା ସନ୍ଦେହ କରାଯାଉଛି। କେବଳ ସେତିକି ନୁହେଁ, ସେଠାରେ ଥିବା ଧର୍ମଶାଳାର ଆଉ ଏକ କୋଠା ଭାଙ୍ଗି ଜମି ସମତଳ କରିବାକୁ ସଂପ୍ରତି ପୁରୀ ଜିଲାପାଳ ଏକ ଚିଠି ଯୋଗେ ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମକୁ ଅନୁରୋଧ କରିଛନ୍ତି। ଧର୍ମଶାଳା ପୁନଃନିର୍ମାଣ ନାମରେ ୩ବର୍ଷ ତଳେ ଗୋଟିଏ କୋଠା ଭଙ୍ଗା ଯାଇଥିଲା। ପୁନଃନିର୍ମାଣ ପରିବର୍ତ୍ତେ ତାହାକୁ ଖଣ୍ଡ ଖଣ୍ଡ କରି ୬ ଜଣ ଲଜିଂ ମାଲିକଙ୍କ ହାତରେ ଟେକି ଦିଆଯାଇଛି। ସେଠାରେ ଥିବା ଧର୍ମଶାଳାର ଆଉ ଏକ କୋଠା ଭାଙ୍ଗିବା ପାଇଁ ଜିଲାପାଳ ଚିଠି ଲେଖିଥିବା ଜଣାପଡ଼ିଛି। ତାହାକୁ ଯଦି ଭାଙ୍ଗି ଦିଆଯାଏ ବଗଲା ଧର୍ମଶାଳାର ପରିଚୟ ସବୁଦିନ ପାଇଁ ଲୋପ ପାଇଯିବ। ଲଜିଂ ମାଲିକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଧର୍ମଶାଳା ଜମି ବିକ୍ରି କରାଯାଇଥିବା ନଥିପତ୍ର ଲୋକଲୋଚନକୁ ଆସିଛି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସୁରକ୍ଷା କରିଡରରୁ ଉଚ୍ଛେଦ ହୋଇଥିବା ଲଜିଂ ମାଲିକଙ୍କୁ ଥଇଥାନ ନିମନ୍ତେ ବଗଲା ଧର୍ମଶାଳା ଜମିରେ ୨୬ଟି ପ୍ଲଟ୍‌ କରାଯାଇଛି। ସେଥିରୁ ୬ଟି ପ୍ଲଟ୍‌ ଜିଲାପାଳ ବିକ୍ରି କରିଥିବାବେଳେ ଆଉ ୨୦ଟି ପ୍ଲଟ୍‌ ଖୁବ୍‌ଶୀଘ୍ର ଅନ୍ୟକୁ ହସ୍ତାନ୍ତର କରାଯିବା ସମ୍ଭାବନା ରହିଛି। ବଗଲା ଧର୍ମଶାଳା ଜମିରେ ଏକ ଲଜିଂ ସ୍କିମ୍‌ କରାଯାଇଛି। ସୂଚନା ଅନୁଯାୟୀ ଲଜିଂ ମାଲିକଙ୍କ ଥଇଥାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପୁରୁଣା ଜେଲ୍‌ ଜମି ସମେତ ସହରର ୬ଟି ସ୍ଥାନ ଚିହ୍ନଟ କରାଯାଇଥିଲା। ସେଥିରେ ଉତ୍କଳହିନ୍ଦୀ ବିଦ୍ୟାପୀଠ, ଅନ୍ନପୂର୍ଣ୍ଣା ଥିଏଟର, ମଣିରାମ ମଠ, ମାଜଣା ଯାଗା ଏବଂ ବଗଲା ଧର୍ମଶାଳା ଅନ୍ତର୍ଭୁକ୍ତ ଥିଲା। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗତବର୍ଷ ସେପ୍ଟେମ୍ବର ୨୬ ତାରିଖ ଲଜିଂ ମାଲିକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ୬ଟି ସ୍ଥାନ ମଧ୍ୟରୁ ବଗଲା ଧର୍ମଶାଳା ଜମି ନେବାକୁ ଲଜିଂ ମାଲିକ ଆଗ୍ରହ ପ୍ରକାଶ କରିଥିଲେ। ଆଗପଛ ବିଚାର ନକରି ପ୍ରଶାସନ ସେଥିରେ ରାଜି ହୋଇଯାଇଥିଲା।

- Advertisement -

ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ‘ପ୍ରସାଦ ଯୋଜନା’ରେ ଚାଲିଥିବା ବଗଲା ଧର୍ମଶାଳା ପୁନଃନିର୍ମାଣ ତଥା ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ କାର୍ଯ୍ୟକୁ ପ୍ରଶାସନ ପକ୍ଷରୁ ସଙ୍ଗେ ସଙ୍ଗେ ବନ୍ଦ କରାଯାଇଥିଲା। ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମ ପକ୍ଷରୁ ବଗଲା ଧର୍ମଶାଳା ଜମି ପ୍ଲଟିଂ କରାଯାଇଥିଲା। ପୁରୀ ପୌରସଂସ୍ଥାର ପ୍ରଶାସକ ଥିବା ଜିଲାପାଳଙ୍କ ଅଧ୍ୟକ୍ଷତାରେ ପୌର ପରିଷଦର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ପୌର ଆଇନର ୧୨୭ ଧାରା ଅନୁଯାୟୀ ବଗଲା ଧର୍ମଶାଳା ଜମି ରାଜସ୍ବ ବିଭାଗକୁ ହସ୍ତାନ୍ତର ନିମନ୍ତେ ସେଥିରେ ସ୍ଥିର କରାଯାଇଥିଲା। ତେବେ ପୌରସଂସ୍ଥା ପକ୍ଷରୁ ଏପର୍ଯ୍ୟନ୍ତ ବଗଲା ଧର୍ମଶାଳା ଜମି ପୌର ଆଇନର ୧୨୭ଧାରା ଅନୁଯାୟୀ ରାଜସ୍ବ ବିଭାଗକୁ ହସ୍ତାନ୍ତର କରାଯାଇନାହିଁ। ଏଭଳି ସ୍ଥିତିରେ ଜିଲାପାଳଙ୍କ ୨୫ ଅକ୍ଟୋବର ୨୦୧୯ର ଚିଠିକୁ ଭିତ୍ତିକରି ଅତିରିକ୍ତ ତହସିଲଦାର ନଭେମ୍ବର ୪ ତାରିଖରେ ରେଭେନ୍ୟୁ ମିସ୍‌ କେସ୍‌ ୫/୧୯ କରିବା ସହ ବଗଲା ଧର୍ମଶାଳା ରହିଥିବା ଲଜିଂ ହାଉସ୍‌ ଫଣ୍ଡ କମିଟି ଜମି ରାଜସ୍ବ ବିଭାଗ ନାମରେ ରେକର୍ଡ କରିଦେଇଥିଲେ।

ତାହାକୁ ଭିତ୍ତିକରି ୬ ଜଣ ଲଜିଂ ମାଲିକଙ୍କୁ ଜିଲାପାଳ ୩୪୦ ଡେସିମିଲ ଜମି ବିକ୍ରି କରିଥିବା ବେଳେ ଅବଶିଷ୍ଟ ଜମିର ସୁରକ୍ଷା ଏବଂ ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଦେଇଛି। ୬ଜଣ ଲଜିଂ ମାଲିକଙ୍କ ବ୍ୟବସାୟିକ ସ୍ବାର୍ଥ ପାଇଁ ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀ ଭକ୍ତଙ୍କ ସ୍ବାର୍ଥକୁ ପ୍ରଶାସନ ଜଳାଞ୍ଜଳି ଦେଇଥିବା ଅଭିଯୋଗ ହୋଇଛି।

ବଗଲା ଧର୍ମଶାଳା ଜମି ବିକ୍ରି ଘଟଣାକୁ ପୂର୍ବତନ ଆଇନମନ୍ତ୍ରୀ ମହେଶ୍ବର ମହାନ୍ତି, ପୂର୍ବତନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏବଂ ପୂର୍ବତନ ନଗରପାଳ ସୁରେନ୍ଦ୍ରନାଥ ଦାଶ ବିରୋଧ କରିଛନ୍ତି। ରାଜ୍ୟ ସରକାର ତୁରନ୍ତ ନିଷ୍ପତ୍ତିର ପରିବର୍ତ୍ତନ କରିବା ସହ ବିକ୍ରି କବଲା ବାତିଲ କରି ସେଠାରେ ଧର୍ମଶାଳା ପୁନଃନିର୍ମାଣ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ବୁଧବାର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ହୋଇଥିବା ୬ଜଣ ଲଜିଂ ମାଲିକଙ୍କୁ ରାଜସ୍ବ ବିଭାଗ ନାମରେ ରେକର୍ଡ ହୋଇଥିବା ବଗଲା ଧର୍ମଶାଳା ଜମି ବିକ୍ରି କରାଯାଇଥିବା ସେ ପ୍ରକାଶ କରିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories