mission shakti banner

ସାଧାରଣ ଲୋକ ଏଠାରେ ସରକାରଙ୍କ ସହ ଯୋଡ଼ି ହୋଇନାହାନ୍ତି, ଏଥର ଓଡ଼ିଶାରେ ପଦ୍ମ ଫୁଟିବ-ପ୍ରଧାନମନ୍ତ୍ରୀ

।। ଓଡ଼ିଶାକୁ ବିକାଶ ଓ ସମୃଦ୍ଧି ପଥରେ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ।। ଲକ୍ଷାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ ଏବଂ ସାଧାରଣ ଜନତାଙ୍କ ସମାଗମ ।।

BSKY banner  750×100

ଭୁବନେଶ୍ବର: ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଓଡ଼ିଶା ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ବିମାନବନ୍ଦରରୁ ବାହାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ। ଏହି ସମୟରେ ସେ ରାସ୍ତାରେ ଦୁଇ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଠିଆ ହୋଇଥିବା ହଜାର ହଜାର ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ ।  ମୋଦୀ ରୋଡ ଶୋ  ଦେଖିବାକୁ ଲକ୍ଷାଧିକ ଲୋକଙ୍କ ସମେତ ବିଜେପିର କର୍ମକର୍ତ୍ତା ଓ କର୍ମୀଙ୍କ ସମାଗମ ହୋଇଥିଲା।

ଭୁବନେଶ୍ବର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରୁ ଆରମ୍ଭ ହୋଇଥିଲା ବହୁ ପ୍ରତିକ୍ଷିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍‌ ଶୋ’। ରାମମନ୍ଦିର ଛକ ବିଜେପି କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ ବାଣୀବିହାର ପର୍ଯ୍ୟନ୍ତ ଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ସହ  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ରୋଡ୍‌ ଶୋ’ରେ ସାମିଲ୍‌ ହୋଇଥିଲେ।

ଭୁବନେଶ୍ବରରେ ରୋଡ ଶୋ’ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବିଜେପି ଉପରେ ଲୋକଙ୍କ ଅଦ୍ଭୁତ ବିଶ୍ବାସ ରହିଛି। ଦେଶର ଅନ୍ୟ ଅଞ୍ଚଳରେ ଏଭଳି ପରିବେଶ ନ ଥାଏ। ଓଡ଼ିଶା ଲୋକଙ୍କ ସହ ହୃଦୟ ଯୋଡ଼ି ହୋଇଛି। ଓଡ଼ିଶା ମାଟିର ବାସ୍ନା ଓ ସଂସ୍କୃତି ଏଇ ସରକାରରେ ନାହିଁ। କାରଣ ଓଡ଼ିଆ ଅସ୍ମିତା ଏଠାରେ ବିପଦରେ ପଡ଼ିଛି। ସାଧାରଣ ଜନତାଙ୍କ ସରକାର ସହ କୌଣସି ସମ୍ପର୍କ ନାହିଁ। ସାଧାରଣ ଲୋକ ଏଠାରେ ସରକାରଙ୍କ ସହ ଯୋଡ଼ି ହୋଇନାହାନ୍ତି। ଏଥର ଓଡ଼ିଶାରେ ପଦ୍ମ ଫୁଟିବ। ରୋଡ ଶୋ’ରେ ବିପୁଳ ଜନସମାଗମ ଉତ୍ସାହ ପ୍ରମାଣିତ କରିଛି। ପୂର୍ବରୁ ଓଡ଼ିଶାରେ ଏପରି ଜନସମାଗମ ଓ ଉତ୍ସାହ ଦେଖିନଥିଲି। ଏଠାରେ ଏକ ବଡ଼ ଟର୍ଣ୍ଣିଂ ପଏଣ୍ଟ ଆସିବାକୁ ଯାଉଛି। ଓଡ଼ିଶାରେ ଆଗକୁ ପଦ୍ମ ଫୁଟିବାକୁ ଯାଉଛି ବୋଲି ପ୍ରକାଶ କରିଛନ୍ତି।

ବିଜେଡି ସହ ଗଠବନ୍ଧନ ଆଲୋଚନା ନେଇ ମଧ୍ୟ ନେଇ ରଖିଲେ ସ୍ପଷ୍ଟ ମତ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବିଜେପି-ବିଜେଡି ସମ୍ପୂର୍ଣ୍ଣ ଅଲଗା ଦଳ। ଆମେ ଦୁଇଟି ଅଲଗା ଦଳ, ସଂସଦରେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ମିଳିଛି। ବିଧାନସଭାରେ ଆମର ଲଢ଼େଇ ଜାରି ରହିଛି। ଏଠାରେ ରାଜା ମହାରାଜା ବେଳର ସ୍ଥିତି ବଳବତ୍ତର ରହିଛି। ସାଧାରଣ ଲୋକଙ୍କ ସହ ଯୋଡ଼ି ହେବା ବିଜେପିର ଲକ୍ଷ୍ୟ। ଓଡ଼ିଶାରେ ପଦ୍ମ ଫୁଟାଇବା ପାଇଁ ଆମେ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

ନିର୍ବାଚନ ପ୍ରଚାରରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି । ଓଡ଼ିଶାକୁ ବିକାଶ ଓ ସମୃଦ୍ଧି ପଥରେ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆୟୋଜିତ ଏହି ରୋଡ ଶୋ’ ମାଷ୍ଟରକ୍ୟାଣ୍ଟିନ ଛକରୁଆରମ୍ଭ ହୋଇ ବାଣୀବିହାର ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟ ବିଜେପି କାର୍ଯ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ବିଏମସି ଅଫିସ, ମହିର୍ଷି କଲେଜ ଛକ, ବାୟାବାବା ମଠ ଛକ, ରୂପାଲି ଛକ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଏବଂ ବାଣୀବିହାର ଛକ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ଅନୁଷ୍ଠିତ ହୋଇଥିଲା। ମୋଦୀଙ୍କ ରୋଡ ଶୋ’ ପାଇଁ ରାଜ୍ୟ ବିଜେପି ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ମୋଦୀଙ୍କ କାରକେଡ ଆଗରେ ବିଜେପିର ମହିଳା କର୍ମୀମାନେ ସ୍ୱତନ୍ତ୍ର ବସ୍ତ୍ର ପରିଧାନ କରି ଆଗେ ଆଗେ ଚାଲିଥିଲେ। ମୋଦୀ ଜିନ୍ଦାବାଦ, ବିଜେପି ଜିନ୍ଦାବାଦ ଜୟ ଶ୍ରୀରାମ ନାରାରେ କମ୍ପିଥିଲା ରାଜଧାନୀ ଭୁବନେଶ୍ବର।

ବିଜେପି ଅଫିସ୍‌ ପରିସରରେ ହୁଳହୁଳି ଓ ଝାଞ୍ଜ ମୃଦଙ୍ଗ ସହ ସାହିଯାତ ପରମ୍ପରା ଦେଖିବାକୁ ମିଳିଥିଲା। କୋଣାର୍କ ସୂର୍ଯ୍ୟମନ୍ଦିରର ଚକ ଓ ଶ୍ରୀଜୀଉଙ୍କ ରଥର ଉପରପାର୍ଶ୍ୱକୁ ନେଇ ତିଆରି ହୋଇଥିଲା ବିରାଟ୍ ଷ୍ଟେଜ୍ ବ୍ୟାକଡ୍ରପ୍। ରାମମନ୍ଦିର ପରିସରରେ ୨୦ ଜଣ ପୂଜକଙ୍କ ଦ୍ୱାରା ଦୀପ ପ୍ରଜ୍ଜଳନ ସହ ଆଳତୀ ଦୃଶ୍ୟ ବେଶ୍ ମନ୍ତ୍ରମୁଗ୍ଧ କରିଥିଲାବେଳେ ରାମମନ୍ଦିରର ଡାହାଣ ପାର୍ଶ୍ବରେ ରାମଲାଲାଙ୍କ ବିରାଟ୍ କଟଆଉଟ୍ ଦେଖିବାକୁ ମିଳିଥିଲା।

ସେହିପରି ବାନରସେନାଙ୍କ ଦ୍ୱାରା ଜୟଶ୍ରୀ ରାମ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସାରା ଅଞ୍ଚଳ। ମହର୍ଷି କଲେଜ ଛକରେ ବିଭିନ୍ନ ଦେଶର ଜାତୀୟ ପତାକା ସହ ମୋଦିଙ୍କୁ ବିଶ୍ୱଗୁରୁ ଦର୍ଶାଇ ନିର୍ମାଣ କରାଯାଇଥିଲା ଏକ ବଡ଼ ପ୍ରତିକୃତୀ। ହୋଟେଲ୍ ଲାଇଫ୍ ପାଖରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଥିମରେ ଏକ ମଞ୍ଚ ତିଆରି ହୋଇଥିଲା। ଯେଉଁଠି କାଶ୍ମିରୀ ନୃତ୍ୟଶିଳ୍ପୀ ପରିବେଷଣ କରିଥିଲେ ଆକର୍ଷଣୀୟ ନୃତ୍ୟ ସଂଗୀତ। ବଲିଉଡ୍ କଣ୍ଠଶିଳ୍ପୀ ଅରିଜିତ ସିଂଙ୍କ ଦ୍ୱାରା ମଧ୍ୟ ‘ଏ ୱତନ୍ ୱତନ୍ ମେରେ ଆବାଦ ରହେ ତୁ’ ଗୀତ ପରିବେଷିତ ହୋଇଥିଲା।  ସମବାୟ ଭବନ ପାଖରେ ଅନ୍ତର୍ଜାତୀୟ ଯୋଗ ଦିବସ, ଇଡ଼କୋ ଟାୱାର ପାଖରେ ବନ୍ଦେ ଭାରତ ଏକ୍ସପ୍ରେସ ଫ୍ଲେକ୍ସ, ହର୍ ଘର୍ ଜଲ୍ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଏବଂ ଜନଧନ ଯୋଜନାର କଟଆଉଟ୍, ରମାଦେବୀ ବିଶ୍ୱବିଦ୍ୟାଳୟ ପାଖରେ ଆଦିବାସୀ ମହିଳାଙ୍କ ଦ୍ୱାରା ପାରମ୍ପାରିକ ଗୀତସଂଗୀତ ସହ ନୃତ୍ୟ ପ୍ରଦର୍ଶନ, ବାଣୀବିହାର ଛକରେ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ଶୋ’’ ପାଇଁ ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାକୁ ସିଲ କରିଦିଆଯାଇଥିଲା। ଏହାସହିତ ଏହି ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳିକନ୍ଦି ରାସ୍ତା ମଧ୍ୟ ବନ୍ଦ କରାଯାଇଥିଲା। ଉଭୟ ପଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସିଲ କରାଯାଇଛି।  ବାଣୀବିହାରେ ରୋଡ ଶୋ’ ପହଞ୍ଚିବା ପରେ ସେଠାରୁ ଜୟଦେବ ବିହାର ଏବଂ ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଯାଇଥିଲେ। ସେଠାରେ ଆଜି ପ୍ରଧାମନ୍ତ୍ରୀ ରାତ୍ରୀ ଯାପନ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ଧମାଳ, ବଲାଙ୍ଗିର ଓ ବରଗଡ଼ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

Comments are closed.