ଆଠଗଡ : କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟ ପାଦ ମାଡିନଥିବା ବିଦ୍ୟାର୍ଥୀ ବିଶେଷ କରି ୧ମ ଶ୍ରେଣୀରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ସୋମବାର ୨ବର୍ଷ ପରେ ବିଦ୍ୟାଳୟରେ ପାଦ ଦେଇ ଖୁସିରେ ବେଶ୍ ଉତ୍ଫୁଲ୍ଲିତ ହୋଇଥିବା ଦେଖିବାକୁ ମିଳିଛି । ପ୍ରାୟ ସମସ୍ତ ବିଦ୍ୟାଳୟରେ ପୂର୍ବରୁ ଶ୍ରେଣୀକକ୍ଷ ଓ ସ୍କୁଲ ପରିସରକୁ ସଫେଇ କରାଯିବା ସହ ଶିକ୍ଷକ ଓ କର୍ମଚାରୀ ବିଶୋଧନ କରିଥିଲେ। ସୋମବାର ସକାଳେ ବିଦ୍ୟାଳୟରେ ବିଦ୍ୟାର୍ଥୀ ପହଞ୍ଚିବା ପରେ ସେମାନଙ୍କୁ ଜ୍ୱରମାପକ ଯନ୍ତ୍ରରେ ପରୀକ୍ଷା କରାଯିବା ସହ ହାତକୁ ବିଶୋଧନ କରାଯାଇଥିଲା । ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାର୍ଥୀଙ୍କୁ ଫୁଲଚନ୍ଦନ ଦେଇ ସ୍ୱାଗତ କରି ସ୍କୁଲ ମଧ୍ୟକୁ ପାଛୋଟି ନେଇଥିଲେ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପିଲାମାନଙ୍କୁ ଆଜିଠାରୁ ଏକ ସପ୍ତାହ ନିୟମିତ ପାଠ ନପଢାଇ କେବଳ ସେମାନଙ୍କୁ ଗପ କହିବା ଏବଂ ଖେଳିବାକୁ ସୁଯୋଗ ଦିଆଯାଉଛି । ରାସରସିକପୁର ୟୁଜିୟୁପି ସ୍କୁଲରେ ପରିଚାଳନା କମିଟି ଅଧ୍ୟକ୍ଷ ଶିବଶଙ୍କର ଜେନା, ପ୍ରଧାନ ଶିକ୍ଷକ ଦେବରାଜ ନାୟକଙ୍କ ସମେତ ପରିଚାଳନା କମିଟିର ଅନ୍ୟ ସଦସ୍ୟ ଓ ଶିକ୍ଷକ- ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ। ସେହିପରି ବିଶ୍ୱନାଥ ବିଦ୍ୟାପୀଠ, ସରକାରୀ ବାଳିକା ହାଇସ୍କୁଲ, ବିଶ୍ୱନାଥ ଆଦର୍ଶ ପ୍ରାର୍ଥମିକ ବିଦ୍ୟାଳୟ, କନ୍ତୋଲ ନୋଡାଲ ସ୍କୁଲ ସମେତ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ ଗୁଡିକରେ ଅନୁରୁପ ଭାବେ ୨ବର୍ଷ ପରେ ସ୍କୁଲରେ ପାଦ ଦେଇଥିବା ବିଦ୍ୟାର୍ଥୀଙ୍କୁ ସ୍ୱାଗତ କରାଯାଇଥିଲା।
Popular Categories



