ଗଣମାଧ୍ୟମର ସ୍ୱାଧୀନତା ପାଇଁ ଆଇନସେବାର ଆବଶ୍ୟକତା ରହିଛି
ଭୁବନେଶ୍ୱର: ଭାରତୀୟ ସମ୍ବିଧାନ ଅନୁସାରେ ସ୍ୱାଧୀନ ଭାବେ ମତ ବ୍ୟକ୍ତ କରିବା ପ୍ରତ୍ୟେକ ଭାରତୀୟଙ୍କର ଅଧିକାର। ମାତ୍ର ମକଦ୍ଦମା ହେବା ଯୋଗୁଁ ଗଣ ମାଧ୍ୟମର ସ୍ୱାଧୀନତା ହ୍ରାସ ପାଉଥିବା ମତ ପ୍ରକାଶ ପାଇଛି। ଗଣ ମାଧ୍ୟମ ପ୍ରତିନିଧିମାନଙ୍କୁ ମାଗଣା ଆଇନସେବା ଯୋଗାଇ ଦେବା ପାଇଁ ଭୁବନେଶ୍ୱର ପ୍ରେସ କ୍ଲବରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଆଇନସେବା ସଂସ୍ଥା କ୍ଲାପର ସଭାପତି ବିକାଶ ଦାସଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ଓଡିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ ଏ ଏସ୍ ନାଇଡୁ ଗଣତନ୍ତ୍ରର ସୁରକ୍ଷାପାଇଁ ଗଣମାଧ୍ୟମ ପ୍ରତିନିଧି ଓ ସଂସ୍ଥାମାନଙ୍କୁ ମାଗଣା ଆଇନଗତ ସୁରକ୍ଷା ଯୋଗାଇ ଦେବା ପାଇଁ ମତ ପୋଷଣ କରିଛନ୍ତି। ସିବିଆଇ ଅଦାଲତର ପୂର୍ବତନ ସ୍ୱତନ୍ତ୍ର ବିଚାରପତି ହୃଦୟ ବଲ୍ଲଭ ଦାସ, ଉତ୍କଳ ବିଶ୍ୱବିଦ୍ୟାଳୟର ଆଇନ ବିଭାଗର ପୂର୍ବତନ ମୁଖ୍ୟ ଅଧ୍ୟାପକ ପ୍ରଦୀପ କୁମାର ସରକାର ଓ ରାଜ୍ୟ ଆଇନସେବା ପ୍ରାଧିକରଣର ପୂର୍ବତନ ସଦସ୍ୟା ସ୍ନିଗ୍ଧା ପାଣିଗ୍ରାହୀ ପ୍ରମୁଖ ଅଂଶ ଗ୍ରହଣ କରି ଗଣ ମାଧ୍ୟମର ସ୍ୱାଧୀନତା କ୍ଷେତ୍ରରେ ଥିବା ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଲଣ୍ଡନରେ ଥିବା ମିିଡିଆ ଡିଫେନ୍ସ ଇନିସିଏଟିଭର ପ୍ରତିନିଧି ପାଟ୍ରିକ ରେଗାନ ଓ ସୋଫୀ ପଲୋକ ଯୋଗଦେଇ ସାରା ବିଶ୍ୱରେ ଗଣମାଧ୍ୟମ ସ୍ୱାଧୀନତା ବିଷୟରେ ଥିବା ବିଭିନ୍ନ ପ୍ରତିବନ୍ଧକ ଓ ସମସ୍ୟା ତଥା ଏଥିପାଇଁ ଆଇନସେବାର ଆବଶ୍ୟକତା ବିଷୟରେ ନିଜର ମତ ଉପସ୍ଥାପନ କରିଥିଲେ।
ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମାଗଣା ଆଇଗତ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କ୍ଲାପର ସଭାପତି ବିକାଶ ଦାସ ଏହି ଅବସରରେ ସୂଚନା ଦେଇଛନ୍ତି।