ସମୁଦ୍ର କୂଳରେ ପ୍ରାତଃଭ୍ରମଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ: ରବିବାର ରଥଯାତ୍ରା ଦେଖିବା ପରେ ପୁରୀ ରାଜଭବନରେ ରହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋମବାର ସକାଳୁ ସମୁଦ୍ର କୂଳରେ ସେ ପ୍ରାତଃ ଭ୍ରମଣ କରୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ସମୟରେ କୌଣସି ପର୍ଯ୍ୟଟକଙ୍କୁ ସମୁଦ୍ର କୂଳକୁ ଯିବାକୁ ଅନୁମତି ଦିଆଯାଇନଥିଲା । ପ୍ରାତଃଭ୍ରମଣର ପରେ ମହାମହିମ କହିଛନ୍ତି ଯେ ‘ପୃଥିବୀରେ ଏପରି ଅନେକ ସ୍ଥାନ ରହିଛି, ଯାହା ସଂସ୍ପର୍ଶରେ ଆସିଲେ ଆମେ ଜୀବନର ଅର୍ଥ ବୁଝିପାରୁ । ବଣ-ପାହାଡ଼, ନଦ-ନଦୀ ଓ ସାଗର-ବେଳାର ସମାହାର ଏହି ଯେଉଁ ପ୍ରକୃତି, ଆମେ ତା’ର ଅଂଶବିଶେଷ ବୋଲି ଆମର ହୃଦବୋଧ ହୁଏ । ମୁଁ ଆଜି ବେଳାଭୂମିରେ ଚାଲୁଥିଲା ବେଳେ ପବନ ବହୁଥିଲା, ସମୁଦ୍ରର ଢେଉ ଗର୍ଜନ କରୁଥିଲା ଏବଂ ଜଳରାଶି ଦିଗବଳୟକୁ ଛୁଇଁଯାଉଥିଲା । ଏପରି ପରିବେଶରେ ମୁଁ ତଲ୍ଲୀନ ହୋଇଯାଇଥିଲି । ମୋର ମନେ ହେଲା, ମୁଁ ଯେମିତି ଧ୍ୟାନମଗ୍ନ ହୋଇଯାଇଛି । ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲାବେଳେ ମୁଁ ଯେଉଁ ପ୍ରଶାନ୍ତି ଲାଭ କରିଥିଲି, ଏହି ପରିବେଶରେ ମଧ୍ୟ ମୋର ଅନୁରୂପ ଅନୁଭୂତି ହେଲା । ମୋର ଯେ କେବଳ ଏପରି ଅନୁଭୂତି ଅଛି ତା’ ନୁହେଁ । ନିଜ ଠାରୁ କାହିଁ କେତେ ଗୁଣ ବିଶାଳ ଏକ ସତ୍ତା ସଂସ୍ପର୍ଶରେ ଆସିଲେ ହିଁ ଆମ ଭିତରେ ଏପରି ଏକ ଭାବ ସୃଷ୍ଚି ହୁଏ । ଏହି ସତ୍ତା ଆମକୁ ଧରି ରଖେ ଏବଂ ଆମ ଜୀବନକୁ ଅର୍ଥପୂର୍ଣ୍ଣ କରେ । ୪ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି । ଆଜି ରାଷ୍ଟ୍ରପତି ଭୁବନେଶ୍ୱର ଫେରି ଖଣ୍ଡଗିରି, ଉଦୟଗିରି ବୁଲିବାର କାର୍ଯ୍ୟକ୍ରମ ରହିଛି ।

Comments are closed.