www.samajalive.in
Saturday, December 6, 2025
26.1 C
Bhubaneswar

ଅଟ୍ଟାଳି ଜଗନ୍ନାଥଙ୍କ ଘୋଷଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ

ଆଠଗଡ: ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ଚଳିତବର୍ଷ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ଆଜି ଗୋଟିଏ ଦିନରେ ପଡିଥିବାରୁ ଠାକୁରଙ୍କ ନୀତିକାନ୍ତି ବିଳମ୍ବରେ ଶେଷ ହୋଇଥିଲା। ଅପରାହ୍ନ ୪ଟାରେ ଶ୍ରୀ ଜୀଉଙ୍କୁ ଗୋଟି ପହଣ୍ଡିରେ ଆଣି ରଥାରୂଢ କରିବା ବେଳକୁ ୫ଟା ବାଜି ଯାଇଥିଲା। ବଡ ରଥରେ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଓ ଜଗନ୍ନାଥ ବଲ୍ଲଭ ମଠର ସାନ ରଥରେ ଚତୁର୍ଦ୍ଧା ମୁର୍ତ୍ତି ବିଜେ ହେବା ପରେ ରଥ ଉପରେ ସମସ୍ତ ନୀତି ଶେଷ ହେବା ପରେ ରଥ ଟଣା ପ୍ରାୟ ୬ଟାରେ ଆରମ୍ଭ ହୋଇଥିଲା। ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ସମସ୍ତ ନୀତିକାନ୍ତି ଓ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ବଡପଣ୍ଡା ଶରତ କୁମାର ପଣ୍ଡା ଓ ସୁଶାନ୍ତ କୁମାର ପଣ୍ଡାଙ୍କ ସମେତ ସମସ୍ତ ପୂଜକ ଏବଂ ସେବାୟତ ନୀତିକାନ୍ତି ସମ୍ପନ୍ନ ଓ ପହଣ୍ଡି କାର୍ଯ୍ୟରେ ସହଯୋଗ କରିଥିଲେ। ପାଗ ଅନୁକୂଳ ଥିବାରୁ ରଥଯାତ୍ରାରେ ପ୍ରାୟ ୨୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭକ୍ତିମୟ ପରିବେଶରେ ଶହ ଶହ ଶ୍ରଦ୍ଧାଳୁ ଅତି ଆନନ୍ଦରେ ରଥ ଟାଣିଥିଲେ। ଅଟ୍ଟାଳି ଜଗନ୍ନାଥଙ୍କ ବଡ ରଥକୁ ସବୁ ବର୍ଗର ଲୋକ ଏବଂ ଜଗନ୍ନାଥ ବଲ୍ଲଭ ମଠ ରଥକୁ କେବଳ ମହିଳାମାନେ ଟାଣିଥିଲେ। ମାଉସୀ ମା ମନ୍ଦିର ବା ମା ବାଉତିଙ୍କ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କୁ ପୋଡପିଠା ଭୋଗ ଲାଗି କରାଯାଇଥିଲା। ସେହିପରି ରଘୁନାଥ ମନ୍ଦିର ସମ୍ମୁଖରେ ବିମାନରୂଢ ଶ୍ରୀ ହନୁମାନ ରଥ ଚତୁର୍ପାଶ୍ୱ ପ୍ରଦକ୍ଷିଣ କରିବା ସହ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ସନ୍ଧ୍ୟା ସୁଦ୍ଧା ଲକ୍ଷ୍ମୀ ବଜାରସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ରଥଖଳାରେ ଦୁଇଟିଯାକ ରଥ ପହଞ୍ଚି ଯାଇଥିଲା। ସଂକୀର୍ତ୍ତନ ମହାମଣ୍ଡଳ ସଭାପତି ଅଜୟ କୁମାର ଦାସଙ୍କ ପରିଚାଳନାରେ ୨୨ ମଣ୍ଡଳ ସଂକୀର୍ତ୍ତନ ଦଳ ରଥ ସମ୍ମୁଖରେ ସଂକୀର୍ତ୍ତନ ପରିବେଷଣ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଛୋଟ ଛୋଟ ନୃତ୍ୟାଙ୍ଗନା ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories