ରେଙ୍ଗାଲି କ୍ୟାମ୍ପ : ଆସନ୍ତା ଏପ୍ରିଲ ପହିଲାରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିର ଶାଖାର ୩୬ତମ ପ୍ରତିଷ୍ଠା ଦିବସ ପାଳନକୁ ନେଇ ଏବେ ସଂଗଠନ ପକ୍ଷରୁ ଜୋର୍ ଧରିଛି ପ୍ରାକ୍ ପ୍ରସ୍ତୁତି। ପରିଣତ ବୟସରେ ବି ସଂଗଠନର ସଭ୍ୟମାନେ ଆଜି ଗାଁ ଗାଁ ବୁଲି କୃଷକ ମାନଙ୍କ ବିଭିନ୍ନ ସମସ୍ୟା ବୁଝୁଛନ୍ତି। ସେମାନଙ୍କୁ ବିଭିନ୍ନ କୃଷି ନୀତି ଓ କୃଷକମାନଙ୍କ ଅଧିକାର ବିଷୟରେ ସଚେତନ କରିଆସୁଛନ୍ତି। ଖରା ହେଉ କି ବର୍ଷା ହେଉ କାହାକୁ ଖାତିର ନକରି ଆଗେଇ ଆସିଛନ୍ତି କୃଷକମାନଙ୍କ ପାଖକୁ। ଅଞ୍ଚଳର କୃଷକମାନଙ୍କ ଧାନ ବିକ୍ରି ଠିକ୍ ଭାବରେ ହେଉଛି କି ନାହିଁ, ସେମାନଙ୍କର ବିମା ହେଉଛି କି ନାହିଁ, ସାର ଓ କୀଟନାଶକ ଠିକ୍ କାମ ଦେଉଛି କି ନାହିଁ, ଚାଷୀ ମାନେ କ୍ଷତିରେ ପଡ଼ୁଛନ୍ତି ଏସବୁ ସମସ୍ୟାକୁ ସରକାରଙ୍କ ଦୃଷ୍ଟିକୁ ଆଣିବା ପାଇଁ ବିଭିନ୍ନ ସଭା ସମିତି କରିବା ସହ ଦରକାର ପଡ଼ିଲେ ଚାଷୀଙ୍କ ଅଧିକାରୀ ପାଇଁ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଏହି ସଂଗଠନ କେବେ ପଛଘୁଞ୍ଚା ଦେଇ ନଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
ଦୀର୍ଘ ଦିନ ଧରି ଚାଷୀଙ୍କ ସାମୁହିକ ଉନ୍ନତି ଦିଗରେ କାମ କରି ଆସୁଥିବା ଏହି ସଂଗଠନ ତାର ୩୬ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଏବେ ପ୍ରସ୍ତୁତି କରୁଛି। ତେଣୁ ସଂଘର ସମ୍ପାଦକ ଲୋକେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ରେଙ୍ଗାଲି କ୍ୟାମ୍ପ ଠାରେ ଏକ ପ୍ରସ୍ତୁତି ବୈଠକ ବସିଥିଲା। କୋଭିଡ ନିୟମ ପାଳନ ପୂର୍ବକ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ପ୍ରତିଷ୍ଠା ଦିବସ ପାଳନ କରାଯିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ସଂଘର ସଭାପତି ହାରାଧନ୍ ବାରିକଙ୍କ ସମେତ ବସନ୍ତ ବାରିକ୍, ପଲଉ ମାଝୀ, ପଞ୍ଚାନନ ପ୍ରଧାନ, ଗଣେଶ ମହାକୁର, ଶ୍ରୀମନ୍ତ ବାରିକ୍, ଭିକାରୀ ଚରଣ ବାରିକ୍, ହୃଷୀକେଶ ପ୍ରଧାନ, ପ୍ରକାଶ ନାଏକ, ସନାତନ ପ୍ରଧାନ, ଦୟାସାଗର ଭୋଇ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିଥିଲେ।



