ପରିବେଶ ସୁରକ୍ଷା ସଚେତନତା ପାଇଁ ସାଇକେଲ୍ ଶୋଭାଯାତ୍ରା ଓ ବନୀକରଣରେ ବ୍ରତୀ ସଂକଟେଶ୍ୱର କ୍ଲବ୍କୁ ପ୍ରକୃତି ମିତ୍ର ପୁରସ୍କାର
ଭୁବନେଶ୍ୱର- ପରିବେଶ ସୁରକ୍ଷା ସଚେତନତା ପାଇଁ ସାଇକେଲ୍ ଶୋଭାଯାତ୍ରା ଓ ବନୀକରଣରେ ବ୍ରତୀ ସଂକଟେଶ୍ୱର କ୍ଲବ୍କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି । ସାରା ବିଶ୍ୱ ଏବେ ପ୍ରଦୂଷଣ ଜନିତ ବିବିଧ ସମସ୍ୟାରେ ଜର୍ଜରିତ । ଏହାର ଏକମାତ୍ର ସମାଧାନ ହେଉଛି ବ୍ୟାପକ ସଚେତନତା ଏବଂ ସକ୍ରିୟ ସହଯୋଗ ଭିତ୍ତିକ ପଦକ୍ଷେପ । ଏଣୁ ସାରା ବିଶ୍ୱର ବୁଦ୍ଧିଜୀବୀ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଅନେକ ବର୍ଷ ଧରି କଟକର ଛେଦାଗ୍ରାମ ସ୍ଥିତ ସଂକଟେଶ୍ୱର ୟୁଥ୍ କ୍ଲବ୍ ଜନସଚେତନତାମୂଳକ ସାଇକେଲ୍ ଶୋଭାଯାତ୍ରା ସହ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି ।
ଚଳିତ ବର୍ଷ ଜୁନ୍ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ଅବସରରେ କ୍ଲବ୍ ପକ୍ଷରୁ ପରିବେଶ ସୁରକ୍ଷା ଏବଂ ବ୍ୟାପକ ବନୀକରଣ ପ୍ରତି ଜନସାଧାରଣଙ୍କ ଧ୍ୟାନ ଆକର୍ଷଣ ଉଦ୍ଦେଶ୍ୟରେ ସାଇକେଲ୍ ଶୋଭାଯାତ୍ରାର ସଫଳ ଆୟୋଜନ କରାଯାଇଥିଲା । ଏଥିରେ କୁନିକୁନି ପିଲା ଓ ଯୁବ ଗୋଷ୍ଠୀଙ୍କ ସମେତ ୮୩ଜଣ ଅଂଶଗ୍ରହଣକାରୀ ୨୩ କିଲୋମିଟର ଦୀର୍ଘ ସାଇକେଲ୍ ଶୋଭାଯାତ୍ରାରେ ବାହାରି ଜନସଚେତନତା ସୃଷ୍ଟି କରିବା ସହ ଚାରା ବଣ୍ଟନ ଓ ବୃକ୍ଷରୋପଣ କରିଥିଲେ । ବିଶ୍ୱ ପରିବେଶ ଦିବସ ୨୦୨୨ ପାଳନ ଅବସରରେ ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ରବୀନ୍ଦ୍ରମଣ୍ଡପଠାରେ ସଂକଟେଶ୍ୱର ୟୁଥ୍ କ୍ଲବ୍କୁ ‘ପ୍ରକୃତି ମିତ୍ର’ ପୁରସ୍କାର ପ୍ରଦାନ କରିଛନ୍ତି । ଏଥିପାଇଁ କ୍ଲବ୍ର ପ୍ରମୁଖ ମାର୍ଗଦର୍ଶକ ପ୍ରାକ୍ତନ ସରକାରୀ ଅଧିକାରୀ ସର୍ବେଶ୍ୱର ରାଉତରାୟ ଆନନ୍ଦ ପ୍ରକଟ କରିବା ସହ ଏହି ପୁରସ୍କାର ଯୁବଗୋଷ୍ଠୀଙ୍କୁ ଏପରି ପରିବେଶ ସୁରକ୍ଷା ଦିଗରେ ଅଧିକ ପ୍ରୋତ୍ସାହିତ କରିବ ବୋଲି ପ୍ରକାଶ କରିଛନ୍ତି ।
Comments are closed.