୨୮ ବର୍ଷ ପୁରୁଣା ମାମଲାରେ ପୂର୍ବତନ ସାଂସଦ ଦୋଷୀ

ଅନ୍ୟ ହତ୍ୟା ମାମଲାରେ ଭୋଗୁଛନ୍ତି ଆଜୀବନ କାରାଦଣ୍ଡ, ସେପ୍ଟେମ୍ବର ୧ରେ ଦଣ୍ଡ ଘୋଷଣା, ବ୍ୟକ୍ତିଗତ ହାଜର ହେବେ

ନୂଆଦିଲ୍ଲୀ : ବିହାରର ପୂର୍ବତନ ଆରଜେଡି ସାଂସଦ ପ୍ରଭୁନାଥ ସିଂହଙ୍କୁ ୨୮ ବର୍ଷ ପୁରୁଣା ଏକ ​ଦ୍ଵୈତ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତା ସେପ୍ଟେମ୍ବର ୧ରେ ମାମଲାର ଦଣ୍ଡ ଘୋଷଣା କରାଯିବ ଏବଂ ସେଦିନ ପ୍ରଭୁନାଥ ଅଦାଲତରେ ହାଜର ରହିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି । ତାଙ୍କୁ ବ୍ୟକ୍ତିଗତ ହାଜାର କରାଇବାକୁ ବିହାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ହୋଇଛି । ବିଧାନସଭା ନିର୍ବାଚନରେ ପ୍ରଭୁନାଥଙ୍କୁ ଭୋଟ ନଦେବାରୁ ଛାପ୍ରାଠାରେ ୧୯୯୫ ଅଗଷ୍ଟ ୨୩ରେ ରାଜେନ୍ଦ୍ର ରାଏ ଓ ଦାରୋଗା ରାଏଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ପ୍ରଭୁନାଥ ଅଭିଯୁକ୍ତ ଥିଲେ। ୨୦୦୮ରେ ପାଟନା ଉଚ୍ଚ ନ୍ୟାୟାଳୟ ତାଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ। ୨୦୧୨ରେ‌ ପୁନର୍ବାର ଉଚ୍ଚ ନ୍ୟାୟାଳୟ ଏହି ରାୟକୁ କାଏମ ରଖିଥିଲେ । ଏହା ବିରୋଧରେ ପ୍ରଭୁନାଥଙ୍କ ପରିବାର ସର୍ବୋଚ୍ଚ ନ୍ୟାୟାଳୟକୁ ଯାଇଥିଲେ। ଏହି ମାମଲାରେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ଛାଡ଼ କରିଛନ୍ତି । ସୂଚନାଯୋଗ୍ୟ ଯେ ପ୍ରଭୁନାଥ ଓ ତାଙ୍କର ଦୁଇ ଭାଇ ୧୯୯୫​‌ରେ ଜନତା ଦଳ ବିଧାୟକ ଅଶୋକ ସିଂହଙ୍କୁ ହତ୍ୟା ମାମଲାରେ ୨୦୧୭ରୁ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ଅଶୋକଙ୍କ ପତ୍ନୀଙ୍କ ଆବେଦନକ୍ରମେ ନିରପେକ୍ଷ ସ୍ଥାନ ଝାଡ଼ଖଣ୍ଡରେ ମାମଲାର ବିଚାର ହୋଇଥିଲା । ଅଶୋକ ୧୯୯୫ ବିଧାନସଭା ନିର୍ବାଚନରେ ପ୍ରଭୁନାଥଙ୍କୁ ହରାଇଥିଲେ। ଏହାପରେ ୯୦ ଦିନ ଭିତରେ ସେ ଅଶୋକଙ୍କୁ ସଫା କରିଦେବେ ବୋଲି ଧମକ ଦେଇଥିଲେ ଏବଂ ସେହି ଅନୁସାରେ ଅଶୋକଙ୍କ ଘରେ ବିସ୍ଫୋରଣ ଘଟାଇ ତାଙ୍କୁ ହତ୍ୟା କରିଥିଲେ। ପ୍ରଭୁନାଥଙ୍କର ମହାରାଜଗଞ୍ଜ ଲୋକସଭା ଆସନ ଅଞ୍ଚଳରେ ଖୁବ୍‌ ପ୍ରଭାବ ଥିଲା। ସେ ଜନତା ଦଳ ଓ ଜନତା ଦଳ(ୟୁ) ପରେ ଆରଜେଡିରେ ଯୋଗ ଦେଇଥିଲେ।

Comments are closed.