ନିର୍ଧନ ବି ଜିତିପାରେ ନିର୍ବାଚନ
କାଶୀପୁର : ନା ସେ ପ୍ରତିପତ୍ତିଶାଳୀ ନା ବାହୁବଳୀ। ପାଖରେ ଥିବା ମାତ୍ର ୧୫ ହଜାର ଟଙ୍କାକୁ ପୁଞ୍ଜି କରି ନିର୍ବାଚନ ମଇଦାନକୁ ଓହ୍ଲାଇ ସମସ୍ତଙ୍କ ମନ ଜିଣିନେଲେ। ଆଜି ସେ ଜନତାଙ୍କ ଆପଣାର ହୋଇ ଲୋକ ପ୍ରତିନିଧି ହେବାର ଗୌରବ ଅର୍ଜନ କରିପାରିଛନ୍ତି। ବ୍ୟୟବହୁଳ ନିର୍ବାଚନ ଯୁଦ୍ଧରେ ଅନେକ ବିତ୍ତଶାଳୀ ଯୋଦ୍ଧାଙ୍କୁ ପରାସ୍ତ କରି ନିର୍ବାଚନ ରଣାଙ୍ଗନ ପାର ହୋଇଥିବା ଏହି ଅସ୍ତ୍ରହୀନ ଯୋଦ୍ଧା ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି। ଆଜି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଓ ଲୋକଙ୍କ ଭଲ ପାଇବା ଯେ ଜଣକୁ କେତେ ଉଚ୍ଚକୁ ନେଇପାରେ ତାହା ପ୍ରମାଣ କରି ଦେଖାଇଛନ୍ତି।
ରାୟଗଡା ବିଧାନସଭାରେ ଏହି ଝୋଡିଆ ସମ୍ପ୍ରଦାୟର ସ୍ୱାଧୀନ ପ୍ରାର୍ଥୀ ନିଜର ଅକ୍ଳାନ୍ତ ସଂଘର୍ଷ ବଳରେ ହଜାର ହଜାର ଭୋଟ୍ରେ ଶାସକ ଦଳର ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ପରାସ୍ତ କରି ବନି ଯାଇଛନ୍ତି ବିଧାୟକ। ଓଡ଼ିଶା ଇଲେକ୍ସନ୍ ୱାଚ୍ ତଥ୍ୟ ଅନୁଯାୟୀ ସବୁଠୁ ଗରିବ ପ୍ରାର୍ଥୀ ହେଉଛନ୍ତି ରାୟଗଡାର ମକରନ୍ଦ ମୁଦୁଲି। ନିର୍ବାଚନ ସମୟରେ ତାଙ୍କ ପାଖରେ ଥିଲା ମାତ୍ର ୧୫ ହଜାର ଟଙ୍କା। ଏଭଳି ସ୍ଥିତିରେ ତାଙ୍କ ବିପକ୍ଷରେ ଥିଲେ ଏକାଧିକ ପୁଞ୍ଜିପତି ନେତା। ତଥାପି ସେସବୁକୁ ଖାତିରି ନ କରି ନିଜ ଲୋକଙ୍କୁ ଧରି ଘର ଘର ବୁଲି ପ୍ରଚାର କରୁଥିଲେ ମକରନ୍ଦ। ପାଖରେ ଅର୍ଥ ନ ଥିବାରୁ ସାଙ୍ଗସାଥୀମାନେ ତାଙ୍କ ପାଇଁ ଲିଫଲେଟ୍ ଛପାଇ ଦେଇଥିଲେ ତ ଆଉ କିଏ ଗାଡିରେ ନିଜେ ତେଲ ପକାଇ ପ୍ରତି ବୁଥ୍କୁ ଯାଇ ପ୍ରଚାର କରିଥିଲେ। ଶେଷରେ ଏହି ଅଭିନବ ଅଭିଯାନ ଭିତରେ ମନ୍ତ୍ରୀ ଲାଲ୍ବିହାରୀ ହିମିରିକାଙ୍କୁ ୪,୮୩୮ ଭୋଟ୍ରେ ପରାସ୍ତ କରି ବାଜି ମାରିଥିଲେ ମକରନ୍ଦ। ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତିଧାରୀ ମକରନ୍ଦ ଛାତ୍ର ଜୀବନରୁ ଜାରି ରଖିଥିଲେ ନିଜର ସଂଘର୍ଷର ଯାତ୍ରା। ଛାତ୍ର ଆନ୍ଦୋଳନରୁ ଆରମ୍ଭ କରିଥିଲେ ରାଜନୈତିକ କ୍ୟାରିୟର। ୨୦୦୦ ମସିହାରେ ପାଦ ଦେଇଥିଲେ ପ୍ରତ୍ୟକ୍ଷ ରାଜନୀତିରେ। ୨୦୦୨ ମସିହାରେ ମାଇକଞ୍ଚ ଗୁଳିରେ ଉତ୍କଳ ଆଲୁମିନା କାରଖାନା ନିର୍ମାଣକୁ ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ ମକରନ୍ଦ। ୨୦୦୦ ଓ ୨୦୦୪ ମସିହାରେ ସାଧାରଣ ନିର୍ବାଚନରେ କୋରାପୁଟ ଜିଲା ଲକ୍ଷ୍ମୀପୁର ବିଧାନସଭା ଆସନରୁ ବହୁଜନ ସମାଜ ପାର୍ଟି ଟିକଟରେ ନିର୍ବାଚନ ଲଢ଼ିଥିଲେ ମକରନ୍ଦ; କିନ୍ତୁ ସେ ସଫଳତା ପାଇ ନ ଥିଲେ। ୨୦୦୮ରେ ସେ କଂଗ୍ରେସରେ ଯୋଗଦେଇ ୨୦୧୪ ନିର୍ବାଚନରେ ରାୟଗଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ହାରିଥିଲେ। ଏଥିର ନିର୍ବାଚନରେ କଂଗ୍ରେସ ଟିକଟ ନ ଦେବାରୁ ଶେଷରେ ଆତ୍ମବିଶ୍ୱାସ ଓ ଦୀର୍ଘବର୍ଷର ଲୋକ ସମ୍ପର୍କକୁ ପାଥେୟ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ ଏବଂ ସଫଳତା ପାଇଥିଲେ।
ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ଖୁଟଲାପଦର ଗ୍ରାମରେ ମକରନ୍ଦ ମୁଦୁଲିଙ୍କ ଜନ୍ମ। ୪ ଭାଇ ଦୁଇଭଉଣୀଙ୍କୁ ନେଇ ତାଙ୍କ ପରିବାର। ଏବେ ମଧ୍ୟ ତାଙ୍କ ପରିବାର ଲୋକେ ଚାଳଛପର ଘରେ ରହୁଛନ୍ତି। ମକରନ୍ଦଙ୍କ ପରିବାର ଲୋକେ ଗରିବ ଓ ଜମିର ପରିମାଣ ଖୁବ୍ କମ୍ ଥିବା ଯୋଗୁଁ ପରିବାର ଲୋକେ ପାରମ୍ପାରିକ ଚାଷ ଏବଂ କୁଲି କାର୍ଯ୍ୟ କରି ଜୀବିକା ନିର୍ବାହ କରନ୍ତି। ପରିବାରର ସମସ୍ତ ଲୋକଙ୍କ ଜବ୍କାର୍ଡ଼ ମଧ୍ୟ ରହିଛି। ଲୋକଙ୍କ ସେବା କରିବା ପାଇଁ ସେ ସଂସାର ବାନ୍ଧିବାକୁ ମଧ୍ୟ ଉଚିତ୍ ମଣିନାହାନ୍ତିି।
ରାୟଗଡା କଲେଜରେ ଯୁକ୍ତ ତିନି ପଢୁଥିବା ସମୟରେ ଏକ ବ୍ୟାଙ୍କରେ ଚାକିରି କରିବା ପାଇଁ ତାଙ୍କର ଇଚ୍ଛା ଥିଲା। କିନ୍ତୁ ଛାତ୍ର ଆନ୍ଦୋଳନ ସମୟରେ ନେତାମାନେ ଲୋକଙ୍କ ପାଇଁ କାର୍ଯ୍ୟ କରୁ ନ ଥିବାରୁ ସେହି ସମୟରେ ନିଜ ଇଚ୍ଛାକୁ ପରିବର୍ତ୍ତନ କରି ଲୋକଙ୍କ ସେବା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କଲେଜରେ ପାଠ ପଢ଼ିବା ସମୟରେ ପରିବାରର ଆର୍ଥିକ ଅବସ୍ଥା ଏତେ ଦୁର୍ବଳ ଥିଲା ଯେ ଛୁଟିଥିବା ସମୟରେ ସେ ଘରକୁ ଆସି ବିଭିନ୍ନ ପ୍ରକାର କାମ କରୁଥିଲେ। ଛେଳି, କୁକୁଡା ବିକି ପରିବାର ଲୋକେ ତାଙ୍କୁ ପାଠ ପଢ଼ିବା ପାଇଁ ଟଙ୍କା ଦେଉଥିଲେ। ଘରୁ ଚାଉଳ ନେଇ ହଷ୍ଟେଲରେ ରୋଷେଇ କରି ଖାଉଥିଲେ। ସଂପର୍କୀୟ, ସାଙ୍ଗସାଥୀଙ୍କ ସହଯୋଗ ଓ ସହାୟତାରେ ବହୁ କଷ୍ଟ କରି ଏମଏଏଲଏଲବି ଡିଗ୍ରି ହାସଲ କରିଥିବା ମକରନ୍ଦ ମୁଦୁଲି ଚାକିରି ପଛରେ ନ ଗୋଡ଼ାଇ ନିଜକୁ ଜନସେବାରେ ନିୟୋଜିତ କରିଛନ୍ତି।
ବିଭିନ୍ନ ସମୟରେ ଲୋକଙ୍କ ସମସ୍ୟା ଛାତ୍ରଜୀବନରୁ ଖଣି ବିରୋଧୀ ଆନ୍ଦୋଳନ, ଜନ ଆନ୍ଦୋଳନ, ବିସ୍ଥାପିତ ଆନ୍ଦୋଳନ, ଫରେଷ୍ଟଆକ୍ଟ ଆନ୍ଦୋଳନ, ଗ୍ରାମସଭା, ପଲ୍ଲୀସଭା ଆନ୍ଦୋଳନ ଭଳି ବିଭିନ୍ନ ଆନ୍ଦୋଳନ କରି ଲୋକଙ୍କ ସହିତ ରହିଲି ଆଜି ମଧ୍ୟ ମୁଁ ଲୋକଙ୍କ ସହିତ ରହିଛି ଏବଂ ଲୋକଙ୍କ ସହିତ ରହିଥିବି। ଲୋକଙ୍କ ସମସ୍ୟା ସମାଧାନ କରିବି ବୋଲି ପ୍ରକାଶ କରିଛନ୍ତି।
Comments are closed.