ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ
ଇଲେକ୍ଟୋରାଲ କଲେଜର ୪୭୯୬ ଇଲେକ୍ଟରଙ୍କ ମଧ୍ୟରୁ ମତଦାନ କଲେ ୯୯%ରୁ ଅଧିକ
୧୧ଟି ରାଜ୍ୟ ଏବଂ ପୁଡୁଚେରୀ କେନ୍ଦ୍ର ଶାସିତ ପ୍ରଦେଶରେ ୧୦୦% ବିଧାୟକଙ୍କ ମତଦାନ
ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ସୋମବାର ମତଦାନ ଅନୁଷ୍ଠିତ ହୋଇଯାଇଛି । ସଂସଦ ଭବନ ସମେତ ୩୦ଟି ରାଜ୍ୟ ବିଧାନସଭାରେ ଭୋଟ୍ ଗ୍ରହଣ କରାଯାଇଥିଲା । ଏଥିରେ ଏନସିଟି ଦିଲ୍ଲୀ ଏବଂ ପୁଡୁଚେରୀ କେନ୍ଦ୍ର ଶାସିତ ପ୍ରଦେଶ ସାମିଲ ରହିଛି । ଭାରତୀୟ ଗଣତନ୍ତ୍ରରେ ରାଷ୍ଟ୍ରପତିଙ୍କ ନିର୍ବାଚନ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭାବେ ବିବେଚିତ ହୋଇଥାଏ । ସମ୍ବିଧାନର ଅନୁଚ୍ଛେଦ ୩୨୪ରେ ପ୍ରଦତ୍ତ ବ୍ୟବସ୍ଥା ଅନୁଯାୟୀ ଭାରତର ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ଗୋପନୀୟ, ମୁକ୍ତ, ସ୍ବଚ୍ଛ ଭାବେ ରାଷ୍ଟ୍ରପତି ନିର୍ବାଚନର ମତଦାନ ସମାପନ କରିଛନ୍ତି । ଷୋଡ଼ଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଶ୍ରୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ୩୧ଟି ସ୍ଥାନରେ ସକାଳ ୧୦ଟା ଠାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇଥିଲା।
ସମ୍ବିଧାନର ଅନୁଚ୍ଛେଦ ୫୪ ଅନୁଯାୟୀ, ଭାରତର ରାଷ୍ଟ୍ରପତି ଇଲେକ୍ଟୋରାଲ କଲେଜର ସଦସ୍ୟମାନଙ୍କ ଦ୍ବାରା ନିର୍ବାଚିତ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ସଂସଦର ଉଭୟ ସଦନର ନିର୍ବାଚିତ ସଦସ୍ୟ ଏବଂ ସବୁ ରାଜ୍ୟ ବିଧାନସଭାର ନିର୍ବାଚିତ ସଦସ୍ୟ । ଜାତୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ଏବଂ ପୁଡୁଚେରୀ କେନ୍ଦ୍ର ଶାସିତ ପ୍ରଦେଶ ବିଧାନସଭାର ନିର୍ବାଚିତ ବିଧାୟକମାନେ ମଧ୍ୟ ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି । ବିଧାନସଭା କିମ୍ବା ସଂସଦକୁ ମନୋନିତ ହୋଇଥିବା ସଦସ୍ୟମାନଙ୍କର ଭୋଟ୍ ଦେବାର ଅଧିକାର ନଥାଏ ।
ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ନିୟମାବଳୀ ୧୯୭୪ର ନିୟମ ୪୦ ଅନୁଯାୟୀ ଭାରତର ନିର୍ବାଚନ ଆୟୋଗ ଇଲେକ୍ଟୋରାଲ କଲେଜର ସଦସ୍ୟମାନଙ୍କର ତାଲିକା ରଖିଥାନ୍ତି । ଏଥିରେ ରାଜ୍ୟସଭା, ଲୋକସଭା ଏବଂ ବିଧାନସଭାର ସଦସ୍ୟମାନଙ୍କର ନାମ ରହିଥାଏ । ତେବେ ଅଦାଲତଙ୍କ ଆଦେଶ କାରଣରୁ ଆଜି ଦୁଇ ଜଣ ସଦସ୍ୟ ଅନନ୍ତ କୁମାର ସିଂ ଏବଂ ମହେନ୍ଦ୍ର ହରି ଦାଲଭୀ ମତଦାନ କରିପାରିଥିଲେ । ଆହୁରି ରାଜ୍ୟସଭାରେ ଖାଲିଥିବା ୫ଟି ଆସନ ଏବଂ ରାଜ୍ୟ ବିଧାନସଭାରେ ଖାଲିଥିବା ୬ଟି ଆସନରୁ ମତଦାନ ହୋଇନଥିଲା । ଫଳରେ ଇଲେକ୍ଟୋରାଲ କଲେଜର ୪୭୯୬ ଜଣ ଇଲେକ୍ଟର ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଇଥିଲେ ।
ନୂଆଦିଲ୍ଲୀର ସଂସଦ ଭବନସ୍ଥିତ ୬୩ନଂ କକ୍ଷରେ ମତଦାନ ଅନୁଷ୍ଠିତ ହୋଇଥିଲା। ସେହିପରି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ରାଜ୍ୟ ବିଧାନସଭାରେ ମଧ୍ୟ ଭୋଟ ଗ୍ରହଣ କରାଯାଇଥିଲା । ଦିଲ୍ଲୀ ଏବଂ ପୁଡୁଚେରୀ କେନ୍ଦ୍ର ଶାସିତ ପ୍ରଦେଶ ବିଧାନସଭାର ସଦସ୍ୟମାନେ ସେମାନଙ୍କ ବିଧାନସଭାରେ ଭୋଟ୍ ଦେଇ ଥିଲେ । ତେବେ, କିଛି ବିଧାୟକ ଏବଂ ସାଂସଦମାନଙ୍କ ପାଇଁ ସେମାନଙ୍କର ନିଜ ଇଚ୍ଛା ମୁତାବକ ସ୍ଥାନରେ ଭୋଟ୍ ଦେବାର ବ୍ୟବସ୍ଥା ନିର୍ବାଚନ ଆୟୋଗଙ୍କ ପକ୍ଷରୁ କରାଯାଇଥିଲା । ତଦନୁଯାୟୀ ୪୪ ଜଣ ସାଂସଦଙ୍କୁ ସେମାନଙ୍କ ରାଜ୍ୟ ମୁଖ୍ୟାଳୟରେ ଭୋଟ୍ ଦେବାକୁ ଅନୁମତି ମିଳିଥିଲା । ୯ ଜଣ ବିଧାୟକ ସଂସଦ ଭବନରେ ଭୋଟ୍ ଦେଇଥିବା ବେଳେ ଅନ୍ୟ ଦୁଇ ଜଣ ବିଧାୟକ ଅନ୍ୟ ରାଜ୍ୟର ମୁଖ୍ୟାଳୟରେ ମତାଧିକାର ସାବ୍ୟସ୍ତ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ୭୭୧ ଜଣ ସଂସଦ ସଦସ୍ୟ ଏବଂ ୪୦୨୫ ଜଣ ବିଧାନସଭା ସଦସ୍ୟ ମତଦାନ କରିଛନ୍ତି । ଆଜି ୯୯% ମତଦାନ ହୋଇଛି । ତେବେ ଛତିଶଗଡ଼, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ମିଜୋରାମ, ପୁଡୁଚେରୀ, ସିକ୍କିମ ଏବଂ ତାମିଲନାଡ଼ୁରେ ଶତପ୍ରତିଶତ ମତଦାନ ହୋଇଛି ।
ଷୋଡ଼ଶ ରାଷ୍ଟ୍ରପତି ନିର୍ବାଚନ ପାଇଁ କେତେକ ସ୍ବତନ୍ତ୍ର ବ୍ୟବସ୍ଥା :
- କୋଭିଡ ସଂକ୍ରମିତ ଇଲେକ୍ଟରଙ୍କ ମତଦାନ ପାଇଁ ନିର୍ବାଚନ ଆୟୋଗ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ । ସବୁ ସୁସ୍ଥ ସଦସ୍ୟମାନେ ଭୋଟ୍ ଦେଇ ସାରିବା ପରେ ଭୋଟ୍ ଗ୍ରହଣର ଶେଷ ଏକ ଘଣ୍ଟାରେ କୋଭିଡ ସଂକ୍ରମିତ ଭୋଟରଙ୍କୁ ମତଦାନ ପାଇଁ ସୁଯୋଗ ମିଳିଥିଲା । ଏହି ବ୍ୟବସ୍ଥା ଅନୁଯାୟୀ ତାମିଲନାଡ଼ୁ ବିଧାନସଭାରେ ଦୁଇ ଜଣ କୋଭିଡ ସଂକ୍ରମିତ ଇଲେକ୍ଟର ଭୋଟ୍ ଦେଇଥିଲେ । ସେହିପରି କେରଳର ତିରୁଅନନ୍ତପୁରମରେ ଜଣେ କୋଭିଡ-୧୯ ସଂକ୍ରମିତ ସାଂସଦ ମତଦାନ କରିଥିଲେ ।
- ଭାରତ ସରକାରଙ୍କ ପକ୍ଷରୁ ପ୍ଲାଷ୍ଟିକ ସାମଗ୍ରି ଉପରେ ପ୍ରତିବନ୍ଧ ଲାଗୁ କରାଯାଇଥିବାରୁ ପରିବେଶ ଅନୁକୂଳ ଏବଂ ଜୈବକ୍ଷୟଯୋଗ୍ୟ ସାମଗ୍ରୀ ନିର୍ବାଚନରେ ବ୍ୟବହାର କରିବା ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ବାଚନ ଅଧିକାରୀ ଏବଂ ସହାୟକ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
- ମେଘାଳୟ ଠାରେ ସବୁଜ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା
ରାଜ୍ୟମାନଙ୍କରୁ ମତଦାନ ହୋଇଥିବା ୩୦ଟି ବାଲଟ ବାକ୍ସ ଫେରାଇ ଆଣିବା ଲାଗି କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ସବୁ ଭୋଟ୍ ବାକ୍ସ ୧୯ ତାରିଖ, ମଙ୍ଗଳବାର ସୁଦ୍ଧା ସଂସଦ ଭବନରେ ପହଞ୍ଚିବ । ଆସନ୍ତା ୨୧ ତାରିଖ ପୂର୍ବାହ୍ନ ୧୧ଟାରୁ ଭୋଟ୍ ଗଣତି ଆରମ୍ଭ ହେବ ।
Comments are closed.