ତିଗିରିଆ : ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ପଞ୍ଚାୟତର ହରିଡ଼ାପଶି ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲ ନିକଟ ଏକ ଆମ୍ବ ତୋଟାରେ ଶନିବାର ସନ୍ଧ୍ୟାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ ଅତର୍କିତ ଚଢ଼ାଉ କରିଥିଲା । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟ କୁମାର ବିଶି ଏବଂ ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା ସଦଳବଳେ ମିଳିତ ଚଢ଼ାଉ କରି ୩ଜଣ ଜୁଆଡ଼ିଙ୍କୁ ଗିରଫ କରିଛନ୍ତି । ଏହାଛଡ଼ା ସେଠାରୁ ୧୧ଟି ମୋଟର ସାଇକେଲ, ୨ଟି ମୋବାଇଲ, ୧୯ ହଜାର ୩୨୦ଟଙ୍କା ସହିତ ୯ପ୍ୟାକେଟ ତାସ୍, ୫୫ଟି ତାସ ପତା, ଗୋଟିଏ ମନିପର୍ସ, ୧୭ଟି କାର୍ବନ ପେପର, ଗୋଟିଏ ଖାତା, ଖଇନି, ଥଣ୍ଡା ପାନୀୟ, ଗ୍ଲାସ ଆଦି ଜବତ କରିଥିବା ଜଣାପଡ଼ିଛି।

ଜୁଆ ଆଡ୍ଡା ଉପରେ ପୁଲିସର ଅତର୍କିତ ଚଢ଼ାଉ ହୋଇଥିଲେ ମଧ୍ୟ ସେଠାରେ ବିଭିନ୍ନ ଅଞ୍ଚଳରୁ ଆସି ଜୁଆ ଖେଳରେ ମାତିଥିବା ବ୍ୟକ୍ତିବିଶେଷ ଫେରାର ହୋଇ ଯାଇଥିଲେ। ତେବେ ପୁଲିସ କାବୁ କରିନେଇଥିବା ଜୁଆଡ଼ିଙ୍କ ମଧ୍ୟରେ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜେମାଦେଇପୁର ଗ୍ରାମର ଦୁଃଖବନ୍ଧୁ ଜେନା, ଅଚଳକୋଟର ସମୀର ଧଳ ଏବଂ ସନ୍ତୋଷ ରାଉତଙ୍କୁ ପୁଲିସ ଗିରଫ କରି ଥାନାକୁ ଆଣିଥିବା ଥାନା ଅଧିକାରୀ ଶ୍ରୀମତି ଜେନାଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି। ଉକ୍ତ ଜୁଆ ଆଡ୍ଡା ସ୍ଥଳରୁ ଆହୁରି ୧୫ରୁ ଅଧିକ ବ୍ୟକ୍ତି ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ତେବେ ଉକ୍ତ ସ୍ଥାନରେ ଦୀର୍ଘ ଦିନ ହେଲା ଜୁଆ ଖେଳ ଚାଲୁ ରହିଥିଲା ଏବଂ ଏଠାକୁ ବିଭିନ୍ନ ଅଞ୍ଚଳରୁ ଲୋକେ ଆସି ଜୁଆ ଖେଳରେ ମାତୁଥିବା ସ୍ଥାନୀୟ କେତେକ ଲୋକଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି । ଆଗକୁ ପାର୍ବଣ ଆସୁଥିବାରୁ ପୁଲିସ ଅସାମାଜିକ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ବିଭିନ୍ନ ସ୍ଥାନରେ ପଇଁତରାକୁ ଅଧିକ ତ୍ୱରାନ୍ୱିତ କରିଥିବା ଜଣାପଡ଼ିଛି ।



