ପାର୍କିଂକୁ ନେଇ ତିସ୍ ହଜାରୀ ଅଦାଲତ ପରିସର ରଣକ୍ଷେତ୍ର
ଓକିଲ-ପୁଲିସ ଖଣ୍ଡଯୁଦ୍ଧ; ପୁଲିସ ଗାଡ଼ି ପୋଡ଼ି
ନୂଆଦିଲ୍ଲୀ:ସାମାନ୍ୟ କଥାକୁ ନେଇ ପୁରୁଣା ଦିଲ୍ଲୀସ୍ଥିତ ତିସ୍ ହଜାରୀ ଅଦାଲତ ପରିସରରେ ଶନିବାର ଅପରାହ୍ଣରେ ଆଇନଜୀବୀ ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଛି। ଆଇନଜୀବୀମାନେ ଗୋଟିଏ ପୁଲିସ ଭ୍ୟାନ୍ ଜାଳି ଦେଇଥିବାବେଳେ ୮ଟି ଗାଡ଼ି ଭାଙ୍ଗିରୁଜି ଦେଇଛନ୍ତି। ଏଥିରେ ଗୁଳିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଏହି ଗଣ୍ଡଗୋଳରେ ଜେଣ ଆଇନଜୀବୀ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁଯାୟୀ, ଗାଡ଼ି ପାର୍କିଂକୁ ନେଇ ଜଣେ ପୁୁଲିସ କର୍ମଚାରୀ ଓ ଆଇନଜୀବୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଓ କିଛି ସମୟ ମଧ୍ୟରେ ଏହା ହିଂସାତ୍ମକ ରୂପ ନେଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଅଗ୍ନିଶମ ସେବା କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ପୁଲିସ ବିେରାଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଇନଜୀବୀମାନେ ଧାରଣା ଦେଇଛନ୍ତି। ପୁଲିସ ପ୍ରଥମେ ଗୁଳି ଫୁଟାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ଘଟଣା ନେଇ ସେମାନେ ସୋମବାର ଅଦାଲତ କାର୍ଯ୍ୟ ବନ୍ଦ ରଖିବେ ବୋଲି ଘୋଷଣା କରିଛନ୍ତି।
ତିସ୍ ହଜାରୀ ବାର୍ ଆସୋସିଏସନ୍ର ଜଣେ କର୍ମକର୍ତ୍ତା ଜୟ ବିଶ୍ବାଳଙ୍କ କହିବାନୁଯାୟୀ, ଜଣେ ଆଇନଜୀବୀ ଅଦାଲତକୁ ଆସୁଥିବାବେଳେ ତାଙ୍କ ଗାଡ଼ିକୁ ଏକ ପୁଲିସ ଗାଡ଼ି ପ୍ରଥମେ ଧକ୍କା ଦେଇଥିଲା। ଆଇନଜୀବୀ ଜଣଙ୍କ ଏହାର ପ୍ରତିବାଦ କରିବାରେ ୬ଜଣ ପୁଲିସ କର୍ମଚାରୀ ତାଙ୍କୁ ଥାନା ଭିତରକୁ ନେଇ ମାଡ଼ ମାରିଥିଲେ। ଏହା ଦେଖି ଉପସ୍ଥିତ ଲୋକେ ପାଟିତୁଣ୍ଡ କରିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ; କିନ୍ତୁ ତାଙ୍କୁ ଭିତରକୁ ଛଡ଼ା ଯାଇ ନ ଥିଲା। ଏହି ଘଟଣା ସମ୍ପର୍କରେ ଆଇନଜୀବୀଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ତୁରନ୍ତ ଅବଗତ କରାଯାଇଥିଲା। ଘଟଣାସ୍ଥଳକୁ ଏକ ଛ’ଜଣିଆ ବିଚାରପତି ଦଳ ଆସିଥିଲେ ମଧ୍ୟ ସେମାନଙ୍କୁ ଭିତରକୁ ଛଡ଼ା ଯାଇ ନ ଥିଲା। ସେମାନେ ଫେରିଯାଉଥିବା ସମୟରେ ପୁଲିସ ଫାଙ୍କା ଗୁଳିଚାଳନା କରିଥିଲା। ଉତ୍ତେଜନା ବଢ଼ିବା ପରେ ପୁଲିସ ଅଦାଲତର ସମସ୍ତ ଫାଟକ ବନ୍ଦ କରି ଦେଇଥିଲା। ଘଟଣାସ୍ଥଳରେ ପୁଲିସ ମୁତୟନ ଅଛନ୍ତି ଓ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଦିଲ୍ଲୀ ବାର୍ କାଉନ୍ସିଲ ଅଧ୍ୟକ୍ଷ କେ.ସି ମିତ୍ତଲ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଆଇନଜୀବୀଙ୍କ ଉପରେ ପୁଲିସର ଆକ୍ରମଣ ଅପରିଣାମଦର୍ଶୀ ବୋଲି ସେ କହିଛନ୍ତି। ତିସ୍ ହଜାରୀ ଅଦାଲତ ପରିସରରେ ଗାଡ଼ି ପାର୍କିଂକୁ ନେଇ ସବୁବେଳେ ସମସ୍ୟା ଲାଗି ରହିଥାଏ। ଏ ନେଇ ସୁପ୍ରିମକୋର୍ଟ ମଧ୍ୟ ପୂର୍ବରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
Comments are closed.