କୋୱିନ୍‌ ପ୍ରମାଣପତ୍ରରୁ ହଟିଲା ପ୍ରଧାନମନ୍ତ୍ରୀଙ୍କ ଫଟୋ

ନୂଆଦିଲ୍ଲୀ : କୋଭିଡ ଟିକାକୁ ନେଇ ଏବେ ବିବାଦ ଜୋର୍‌ ଧରିଛି। ‘ଆଷ୍ଟ୍ରାଜେନିକା’ ଟିକା ‘କୋଭିସିଲ୍ଡ’ର ରକ୍ତ ଜମାଟ ବାନ୍ଧିବା ଭଳି ପାର୍ଶ୍ବ ପ୍ରତିକ୍ରିୟା ରହିଥିବା ସ୍ବୀକାର କରାଯିବା ପରେ ଏହି ବିବାଦ ସୃଷ୍ଟି ହୋଇଛି। ଅନ୍ୟତମ ଟିକା ଉତ୍ପାଦନକାରୀ ଭାରତ ବାୟୋଟେକ୍‌ ଦାବି କରିଛି ଯେ ଏହା ଦ୍ବାରା ପ୍ରସ୍ତୁତ ‘କୋଭାକ୍ସିନ୍‌’ ନିରାପଦ। ଏହାର ପ୍ରସ୍ତୁତି ସମୟରେ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯାଇଛି। ଅପରପକ୍ଷରେ ଆଷ୍ଟ୍ରାଜେନିକାର ପ୍ରସ୍ତୁତକର୍ତ୍ତା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଏହି ସ୍ବୀକାରୋକ୍ତି ପରେ ହଠାତ୍‌ କୋୱିନ୍‌ ପୋର୍ଟାଲ ତଥା ଟିକା ପ୍ରମାଣପତ୍ରରେ ରହିଥିବା ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ହଟାଇ ଦିଆଯାଇଛି। ଏଥିନେଇ ସ୍ବାଭାବିକ ଭାବେ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ବାଚନ ଆଚରଣବିଧି ପରିପ୍ରେକ୍ଷୀରେ ଫଟୋ ହଟାଯାଇଥିବା କୁହାଯାଇଛି। ଆଷ୍ଟ୍ରାଜେନିକା ପ୍ରସ୍ତୁତକର୍ତ୍ତାଙ୍କ ପକ୍ଷରୁ ନିକଟରେ ଅଦାଲତରେ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ କିଛି ବିରଳ ଘଟଣାରେ କୋଭିସିଲ୍ଡ ଓ ଭାକ୍ସଜେଭିରା ନାମରେ ପ୍ରସ୍ତୁତ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଲକ୍ଷ୍ୟ କରାଯାଇଛି। ଏଥିରେ ଟିକା ନେଇଥିବା ଲୋକଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧୁଥିବା କମ୍ପାନୀ ସ୍ବୀକାର କରିଛି। ଏହା ଟିକା ସମଗ୍ର ବିଶ୍ବରେ ବହୁଳ ବ୍ୟହୃତ ହୋଇଥିବାରୁ ସ୍ବାଭାବିକ ଭାବେ ଚିନ୍ତା ପ୍ରକଟ ହୋଇଛି। ସୂଚନାଯୋଗ୍ୟ ଯେ କୋଭିସିଲ୍ଡ ଟିକା ନେଇଥିବା ଜେମି ସ୍କଟ ନାମକ ବ୍ୟକ୍ତିଙ୍କ ଶରୀରରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପରେ ସେ ଏହା ବିରୋଧରେ ମାମଲା ରୁଜୁ କରିଛନ୍ତି। ଏବେ ଏହାର ଶୁଣାଣି ଚାଲିଥିଲାବେଳେ କମ୍ପାନୀର ସ୍ବୀକାରୋକ୍ତି ପ୍ରକାଶ ପାଇଛି। ଅପରପକ୍ଷରେ କୋଭାକ୍ସିନ୍‌ ପକ୍ଷରୁ କୁହାଯାଇଛି ଯେ ଏହି ଟିକା ୨୭ହଜାର ପରୀକ୍ଷା ପରେ ଚୂଡ଼ାନ୍ତ ପ୍ରସ୍ତୁତି ପର୍ଯ୍ୟାୟକୁ ଯାଇଥିଲା। ଭାରତର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏହାର ନିରାପଦ ଗୁଣବତ୍ତାକୁ ଯାଞ୍ଚ କରିଥିଲା; ତେଣୁ ଏହା ସୁରକ୍ଷିତ। ଦୁଇ ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କ ମଧ୍ୟରେ ଏମିତି ବିବାଦ ମଧ୍ୟରେ କୋୱିନ୍‌ ପୋର୍ଟାଲରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇ ଦିଆଯିବା ରାଜନୈତିକ ବିତର୍କ ସୃଷ୍ଟି କରିଛି। ଟିକା ନେଉଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଉଥିବା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହିବା ନେଇ ପୂର୍ବରୁ ବିବାଦ ସୃଷ୍ଟି ହୋଇଥିଲା। କିଛି ବିରୋଧୀ ଦଳ ଶାସିତ ରାଜ୍ୟ ସରକାର ଏହାକୁ ବିରୋଧ କରିବା ସହ ପ୍ରମାଣପତ୍ରରେ ନିଜ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଛାପିଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ରାଜ୍ୟର ନିର୍ବାଚନବେଳେ ଫଟୋ ପ୍ରତ୍ୟାହାର ନେଇ ଦାବି ହୋଇଥିଲା ଓ କେବଳ ନିର୍ବାଚନ ହେଉଥିବା ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ଏବେ ମୋଦୀଙ୍କ ଫଟୋ ହଟାଇ ଦିଆଯିବାର କାରଣ ସ୍ବରୂପ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦର୍ଶାଇଛି ଯେ ନିର୍ବାଚନ ଆଚରଣ ବିଧି ପାଳନ ଦୃଷ୍ଟିରୁ ଏବଂ ନିର୍ବାଚୟ ଆୟୋଗଙ୍କ ନିର୍ଦେଶକ୍ରମେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Comments are closed.