ମହାନ ସାଧୁ ଏବଂ କବି ସନ୍ଥ କବୀରଙ୍କ ୫୦୦ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସେ ସନ୍ଥ କବୀର ସମାଧି ପୀଠରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସେ ମଧ୍ୟ ସନ୍ଥ କବୀର ମଜରରେ ଚାଦର ଅର୍ପଣ କରିଛନ୍ତି । ସେ ସନ୍ଥ କବୀର ଗୁମ୍ଫା ପରିଦର୍ଶନ କରିଥିଲେ ଏବଂ ଫଳକ ଉନ୍ମୋଚନ ପୂର୍ବକ ସନ୍ଥ କବୀର ଏକାଡେମୀର ଆଧାରଶିଳା ରଖିଥିଲେ । ଏହି ଏକାଡେମୀ ମହାନ ସନ୍ଥଙ୍କର ଶିକ୍ଷା ଓ ଚିନ୍ତାଧାରାକୁ ଗୁରୁତ୍ୱ ପ୍ରଦାନ କରିବ ।
ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ କହିଲେ ଯେ ମଘରର ପବିତ୍ର ଭୂମିରେ ମହାନ ସନ୍ଥ କବୀରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ଦ୍ୱାରା ବର୍ଷ ବର୍ଷ ଧରି ଅପୁରଣୀୟ ରହିଥିବା ତାଙ୍କର ଏକ ଇଚ୍ଛା ଫଳବତୀ ହୋଇଛି । ପ୍ରାଚୀନ କଥାରୁ ଜଣାପଡେ ଯେ ଏଠାରେ ସନ୍ଥ କବୀର, ଗୁରୁ ନାନକ ଏବଂ ବାବା ଗୋରଖନାଥ ଆଧ୍ୟାତ୍ମିକ ଚର୍ଚ୍ଚାରେ ମଗ୍ନ ଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରାୟ ୨୪ କୋଟି ଟଙ୍କା ବିନିମୟରେ ନିର୍ମାଣ ହେବାକୁ ଥିବା କବୀର ଏକାଡେମୀ ସନ୍ଥ କବୀରଙ୍କ ମହାନ ଐତିହ୍ୟକୁ ସଂରକ୍ଷିତ କରି ରଖିବା ନିମନ୍ତେ ଏକ ଅନୁଷ୍ଠାନ ନିର୍ମାଣ କରିବ ଏବଂ ଏହା ମଧ୍ୟ ଆଂଚଳିକ ଉପଭାଷା ଓ ଉତ୍ତର ପ୍ରଦେଶର ଲୋକକଳାକୁ ସଂରକ୍ଷିତ କରିବ ।
ପ୍ରଧାନମନ୍ତ୍ରୀ କହିଲେ ଯେ ସନ୍ଥ କବୀର ଭାରତୀୟ ଆତ୍ମାର ସାରବତ୍ତାର ପ୍ରତିନିଧିତ୍ୱ କରୁଛନ୍ତି । ସେ ଜାତିପ୍ରଥାର ସୀମାକୁ ଭାଙ୍ଗିଦେଇଥିଲେ ଏବଂ ସାଧାରଣ ଜନତା ଏବଂ ଗ୍ରାମୀଣ ଭାରତର ଭାଷା କହୁଥିଲେ ।
ପ୍ରଧାନମନନ୍ତ୍ରୀ କହିଲେ ଯେ ଭାରତର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ସମୟରେ ସନ୍ଥମାନେ ଉଦ୍ଭବ ହୋଇଛନ୍ତି, ଯେଉଁମାନେ କି ସାମାଜିକ କୁସଂସ୍କାର ଦୂର କରିବା ନେଇ ସମାଜକୁ ମାର୍ଗଦର୍ଶନ କରିଛନ୍ତି । ବିଭିନ୍ନ ସମୟରେ ଭାରତର ବିଭିନ୍ନ ଭାଗର ଏହିପରି ସନ୍ଥମାନଙ୍କ ସମ୍ବନ୍ଧରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ବାହାସାହେବ ଆମ୍ବେଦକରଙ୍କ ନାମ ଉଲ୍ଲେଖ କରିଥିଲେ, ଯିଏକି ସମ୍ବିଧାନ ମାଧ୍ୟମରେ ପ୍ରତ୍ୟେକ ଭାରତୀୟ ନାଗରିକ ସମାନତାର ଅଧିକାର ପାଇବାକୁ ନିଶ୍ଚିତ କରିଥିଲେ ।
ରାଜନୈତିକ ସୁବିଧାବାଦକୁ ଦୃଢ଼ ଭାବେ ସମାଲୋଚନା କରି ପ୍ରଧାନମନ୍ତ୍ରୀ କବୀରଙ୍କ ବାଣୀକୁ ମନେପକାଇ କହିଥିଲେ ଯେ ଆଦର୍ଶ ଶାସକ ହେଉଛି ସିଏ ଯିଏକି ଜନସାଧାରଣଙ୍କ ଭାବନା ଏବଂ ଦୁଃଖ ଯନ୍ତ୍ରଣାକୁ ଅନୁଭବ କରିପାରେ । ସେ କହିଲେ ଯେ ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା ପ୍ରତ୍ୟେକ ସାମଜିକ ବ୍ୟବସ୍ଥାକୁ ସନ୍ଥ କବୀର ସମାଲୋଚନା କରିଥିଲେ । ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ସମ୍ବନ୍ଧରେ ଉଲ୍ଲେଖ କରିଥିଲେ, ଯେଉଁଗୁଡ଼ିକ କି ଗରିବ ଓ ସମାଜର ଅବହେଳିତ ବର୍ଗଙ୍କୁ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ । ଏହି ଯୋଜନାଗୁଡ଼ିକ ମଧ୍ୟରେ ରହିଛି ଜନ ଧନ ଯୋଜନା, ଉଜ୍ଜ୍ୱଳା ଯୋଜନା, ବୀମା ଯୋଜନା, ପାଇଖାନା ନିର୍ମାଣ ଯୋଜନା ଓ ସିଧାସଳଖ ସବସିଡି ଲାଭାଂଶ ହସ୍ତାନ୍ତରଣ ଯୋଜନା । ସେ ମଧ୍ୟ ବିଭିନ୍ନ ଭିତ୍ତିଭୂମି କ୍ଷେତ୍ର ଯଥା ରାସ୍ତା, ରେଳପଥ, ଅପ୍ଟିକାଲ ଫାଇବର ନେଟୱର୍କ ଆଦିର ଉନ୍ନତିକରଣରେ ଗତି ଆସିବା ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ କହିଲେ ଯେ ଭାରତର ପ୍ରତ୍ୟେକ ଭାଗ ଉନ୍ନତିର ଲାଭ ପାଇବା ନିଶ୍ଚିତ କରିବା ନେଇ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ।
ସେ ଆଶାପ୍ରକାଶ କରିଥିଲେ ଯେ ସନ୍ଥ କବୀରଙ୍କ ଶିକ୍ଷା ନୂତନ ଭାରତର ଅନ୍ତର୍ଦୃଷ୍ଟିକୁ ସାକାର କରିବା ଦିଗରେ ଆମ ପାଇଁ ସହାୟକ ହେବ ।