ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତକୁ ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବାରେ ସଂଯୁକ୍ତ ଆରବ ଏମିରେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାର ହୋଇପାରିବ। ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ କ୍ଷେତ୍ରରେ ଘନିଷ୍ଠ ଭାଗିଦାରୀ ସମ୍ପର୍କ ସ୍ଥାପନ କରାଯାଇ ପାରିବ ବୋଲି ମୋଦୀ କହିଛନ୍ତି। ଏମିରେଟ୍ସ୍ ନ୍ୟୁଜ୍ ଏଜେନ୍ସୀକୁ ଦେଇଥିବା ଏକ ସାକ୍ଷାତକାରରେ ମୋଦୀ କହିଛନ୍ତି, ୨୦୨୪-୨୫ ସୁଦ୍ଧା ପାଞ୍ଚ ଲକ୍ଷ କୋଟି ଡଲାର ସମ୍ବଳିତ ଅର୍ଥନୀତିରେ ପରିଣତ ହେବାକୁ ଭାରତ କାର୍ଯ୍ୟ କରୁଛି। ଆଗାମୀ ପାଞ୍ଚ ବର୍ଷ ଭିତରେ ଦେଶରେ ୧ ଲକ୍ଷ ୭୦ହଜାର କୋଟି ଡଲାରର ପୁଞ୍ଜିନିବେଶ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଲକ୍ଷ୍ୟ ହାସଲ ପାଇଁ ସରକାର ଉଭୟ ଦେଶରୁ ଓ ବିଦେଶରୁ ପୁଞ୍ଜିନିବେଶକୁ ଆତ୍କୃଷ୍ଟ କରିବା ଦିଗରେ କାର୍ଯ୍ୟ କରୁଛନ୍ତି।
ସେ କହିଛନ୍ତି, ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ ମଧ୍ୟରେ ସମ୍ପର୍କ ବର୍ତ୍ତମାନ ସର୍ବୋଚ୍ଚ ଶିଖରରେ ପହଞ୍ଚିଛି। ସେ କହିଛନ୍ତି, ଭାରତରେ ପୁର୍ନବ୍ୟବହାର କ୍ଷମ ଶକ୍ତି, ଖାଦ୍ୟ, ବନ୍ଦର, ବିମାନ ବନ୍ଦର ଓ ପ୍ରତିରକ୍ଷା ଆଦି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ପାଇଁ କମ୍ପାନୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟ ଲୋକମାନଙ୍କ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ଆଧୁନିକ, ବିବିଧ ଓ ଉନ୍ନତ ସଂଯୁକ୍ତ ଆରବ ଏମିରେଟ୍ ଗଠନରେ ସେମାନଙ୍କର ଅବଦାନକୁ ନେଇ ଭାରତ ଗର୍ବ ଅନୁଭବ କରୁଛି।



